ବିନିକା ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ବିନିକା: ବିନିକାରେ ମୋଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଏନ୍‌ଏସି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ନୂଆ ବସ୍‌ଷ୍ଟାଣ୍ଡକୁ ନେଇ ସହରବାସୀ ଆଶାବାଦୀ ଅଛନ୍ତି।

ବିନିକାରେ ଏକ ମୋଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ପୁରୁଣା ପରିତ୍ୟକ୍ତ ହୋଇ ପଡ଼ିଥିବା ବସ୍‌ଷ୍ଟାଣ୍ଡ ନିକଟରେ ଏହା ନିର୍ମାଣ କରାଯିବ। ଫଳରେ ଏହା ନିକଟରେ ଥିବା ଦୋକାନ ଓ ବାସଗୃହ ଉଚ୍ଛେଦ ପାଇଁ ଗତ ୯ ତାରିଖରେ ନୋଟିସ୍ ହୋଇ ୭ ଦିନ ମଧ୍ୟରେ ଖାଲି କରିବାକୁ କୁହାଯାଇଥିଲା। ଏ କ୍ରମରେ ବୁଧବାର ମାଜି‌ଷ୍ଟେଟ, ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ବିନିକା ଥାନା ଅଧିକାରୀ ପବିତ୍ର ସାହୁ, ଆଇଆଇସି କୃଷ୍ଣଚନ୍ଦ୍ର ମେହେର, ବଲାଙ୍ଗୀର ଡିଟିଏମ୍‌ ସୁରେଶ ଦାଶ, ଏନ୍‌ଏସି ସମସ୍ତ କର୍ମଚାରୀ, ବିନିକା ତହସିଲ ସୁପରଭାଇଜର, ଅମିନ, ଆର୍‌ଆଇ, ଟାଟା ପାୱାର କର୍ତ୍ତୃପକ୍ଷ, ଏନ୍‌ଏସିର କର୍ମଚାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏଠାରେ ଏନ୍‌ଏସିର ୧୯ଟି ଷ୍ଟଲ ସହ ୩୦ଟି ଦୋକାନ ଓ କିଛି ବାସଗୃହ ଉଚ୍ଛେଦ କରାଯିବ ବୋଲି ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ପ୍ରକାଶ କରିଛନ୍ତି। ସମସ୍ତ ଦଖଲକାରୀ ଓ ବିନିକା ଜନସାଧାରଣଙ୍କ ସହଯାଗରେ ଉଚ୍ଛେଦ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଜଣାଯାଇଛି। ଏହି ଉଚ୍ଛେଦ ଫଳରେ କିଛି ଲୋକ ବାସହରା ହୋଇପଡ଼ିଛନ୍ତି ଆଉ କିଛି ଜୀବିକା ହରାଇଛନ୍ତି। ‌ତେଣୁ ସେମାନଙ୍କୁ ଥଇଥାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର