ଯଯାତିକେଶରୀଙ୍କ ପ୍ରତିମୂର୍ତ୍ତି ପାଇଁ ହଟିଲା ଜବରଦଖଲ

ଭିଟାମାଟି ହରାଇଲେ ୪୫ ପରିବାର
୧୩ ଆବାସ ହିତାଧିକାରୀଙ୍କ ଘର ବି ଭାଙ୍ଗିବ

ଯାଜପୁରସଦର : ଯାଜପୁର ସହର ଉପକଣ୍ଠ ସଢ଼େଇପୋଖରୀ ଅଞ୍ଚଳରେ ହେବାକୁ ଥିବା ସୌନ୍ଦର୍ଯ୍ୟୀକରଣ ଏବଂ ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଙ୍ଗଳବାର ଦିନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ ପକ୍ଷରୁ ଗୋଚର ଜମିରେ ରହିଥିବା ୪୫ ପରିବାରକୁ ଉଚ୍ଛେଦ କରାଯାଇଛି। ଲୋକ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଉଚ୍ଛେଦ କରାଯାଉଥିବା ନେଇ କେତେକ ଲୋକ ଅଭିଯୋଗ କରିଛନ୍ତି। ତେବେ, ସରକାରୀ ଜାଗାରେ ଏହି ପରିବାରଗୁଡ଼ିକ ରହୁଥିବାରୁ ସେମାନଙ୍କୁ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

ସଢ଼େଇପୋଖରୀ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ପାଇଁ ପ୍ରଶାସନ ପକ୍ଷରୁ ଏଠାରେ ଥିବା ୭ ଏକରରୁ ଊର୍ଦ୍ଧ୍ବ ଜମିକୁ ଅଧିଗ୍ରହଣ କରିବା ଯୋଜନା ରହିଛି। ଏଠାରେ ଯାଜପୁର ସହରର ପ୍ରବେଶପଥରେ ରାଜା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସଢ଼େଇପୋଖରୀର ପୁନଃଉଦ୍ଧାର କରାଯିବ। କିଛିଦିନ ପୂର୍ବରୁ ସରକାରୀ ଜମିରେ ଥିବା ପରିବାରଗୁଡ଼ିକୁ ଏଠାରୁ ଉଠାଇ ଦେବାକୁ ଯୋଜନା ହୋଇଥିଲା। ଜମି ହରାଇବାକୁ ଥିବା ଲୋକମାନେ ଏନେଇ ହାଇକୋର୍ଟ ଓ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ, ସେଠାରେ ସେମାନଙ୍କର ପରାଜୟ ହୋଇଥିଲା। ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏଥିପାଇଁ ପୂର୍ବରୁ ଗୋଚର ଜମିରେ ରହୁଥିବା ପରିବାରକୁ ପୂର୍ବରୁ ନୋଟିସ ଦିଆଯାଇଥିଲା। ତେବେ, ଉଚ୍ଛେଦ ସମୟରେ କେତେକ ପରିବାର ଏହାକୁ ବିରୋଧ କରିଥିଲେ। ଉଚ୍ଛେଦ ସମୟରେ ଜଣେ ମହିଳା ନିଜର ବଢ଼ିଲା ଝିଅଙ୍କୁ ନେଇ କାହାଘରେ ମୁଣ୍ଡ ଗୁଞ୍ଜିବେ ବୋଲି କୋହଭରା କଣ୍ଠରେ କହିଥିଲେ। ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିବା ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଯାଜପୁର ତହସିଲଦାର କହିଛନ୍ତି, ତହସିଲ ପକ୍ଷରୁ ଏହିଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ବିସ୍ଥାପିତ ପରିବାର ସଦସ୍ୟଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କିଛି ବିସ୍ଥାପିତଙ୍କୁ ମଧ୍ୟ ଓସ୍ତପଡ଼ିଆ ଠାରେ ଟ୍ରାନଜିଟ୍ କ୍ୟାମ୍ପରେ ରଖିବାର ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ସହ ୧୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଥିଲା।

ଅନ୍ୟପକ୍ଷରେ, ଏହି ୪୫ ପରିବାର ଏଠାରେ ୮୦ ବର୍ଷ ଧରି ରହିଆସୁଥିଲେ। ଏହିସ୍ଥାନରେ କେଉଁକାଳୁ ରହିଆସୁଥିବା ପରିବାରର ନିଜସ୍ବ ଜମି ନଥିବା ସତ୍ତ୍ବେ କିପରି ଆବାସ ଯୋଜନାରେ ସାମିଲ କରାଯାଇଥିଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସରକାରୀ ଜମିରେ ରହୁଥିବା ୧୩ ଜଣ ପରିବାର ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ସରକାରୀ ଆବାସ ପାଇଛନ୍ତି। ଜବରଦଖଲ ଉଚ୍ଛେଦ ସମୟରେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ଆଇଆଇସି ଅଜୟ ଜେନା, ସ୍ଥାନୀୟ ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ସମେତ ସ୍ଥାନୀୟ ଆରଆଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର