କେନ୍ଦୁଝର: ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ କେନ୍ଦୁଝର ସହରରେ ଦିନକୁ ଦିନ ସରକାରୀ ଓ ଦେବୋତ୍ତର ଜମି ଜବରଦଖଲ ବଢ଼ିବାରେ ଲାଗିଛି। ଏପରି କି ଜବରଦଖଲକାରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା କେନ୍ଦୁଝରର ରାଷ୍ଟ୍ରଦେବତା ବଳଦେବଜିଉଙ୍କ ମୂଲ୍ୟବାନ ଜମିକୁ ମାଡ଼ି ବସିଛନ୍ତି। ଏହାସତ୍ତ୍ବେ ପ୍ରଶାସନର ନିଦ ଭାଙ୍ଗୁ ନଥିବାରୁ ଏହାକୁ ଜନଅସନ୍ତୋଷ ପ୍ରକାଶ ପାଇଛି। ବଳଦେବଜିଉଙ୍କ ନାମରେ ଥିବା ଜମିକୁ ଜବରଦଖଲମୁକ୍ତ କରିବାକୁ କେନ୍ଦୁଝର ପୌରପାଳିକାର କିଛି କାଉନସିଲର ଓ ଜନସାଧାରଣ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସମ୍ପୃକ୍ତ କାଉନସିଲରଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ଜେସିବି ମେସିନ ଲଗାଇ ଜବରଦଖଲକୁ ଉଚ୍ଛେଦ କରିଛନ୍ତି।

Advertisment

ବାଘୁଆବେଢ଼ା ନିକଟରେ ତଥା ଧନୁର୍ଜୟପୁର ମୌଜାରେ ଥିବା ଖାତା ନମ୍ବର ୧୧୬, ପ୍ଲଟ୍‌ ନମ୍ବର ୪୭୩ରେ ଶ୍ରୀଜିଉଙ୍କ ନାମରେ ୩ ଏକର ୮୦ ଡିସିମିଲ ଜମିରୁ ପ୍ରାୟ ଦେଢ଼ ଏକର ଜମି‌କୁ କିଛି ଲୋକ ଜବରଦଖଲ କରି ପୋଖରୀ ଖୋଳିବା ସହ ଛେଳି ଗୁହାଳ ଓ ସ୍ଥାୟୀ ବାସଗୃହ ନିର୍ମାଣ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଓ ଠିକଣା ପ୍ରଶାସନକୁ ଅବଗତ କରାଯାଇଥିଲା। ବଳଦେବଜିଉଙ୍କ ମୂଲ୍ୟବାନ ଜମିକୁ ତୁରନ୍ତ ଜବରଦଖଲମୁକ୍ତ କରିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଥିଲା। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଲା ନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଆଜି ଶ୍ରଦ୍ଧାଳୁମାନେ ଏକାଠି ହୋଇ ଜେସିବି ମେସିନ ଲଗାଇ ଠାକୁରଙ୍କ ଜମିରୁ ଜବରଦଖଲ ଉଚ୍ଛେଦ କରିଛନ୍ତି।

ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ସୂଚନାଯୋଗ୍ୟ ଯେ, ଦେବୋତ୍ତର ବିଭାଗର ନିରବତା ଯୋଗୁଁ କିଛି ପ୍ରଭାବଶାଳୀ ଲୋକ ଠାକୁରଙ୍କ ଜମିକୁ ଅକ୍ତିଆର କରି ଘର, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି। ଦେବୋତ୍ତର ଜମିରେ ଘର କରିବା ପରେ ବିଦ୍ୟୁତ୍ ଏବଂ ପାଣି ପାଇପ୍‌ ସଂଯୋଗ ମଧ୍ୟ ଦିଆଯାଉଛି। ବିଶେଷକରି ସିରାଜୁଦ୍ଦିନଛକରୁ ଡିଡି କଲେଜ ମଧ୍ୟରେ ଥିବା ମୂଲ୍ୟବାନ ଜାଗା ଗୁଡ଼ିକୁ ଜବରଦଖଲ କରାଯାଇ ମୌଖିକ ଭାବେ ମୂଲଚାଲ କରି ମାଫିଆମାନେ ବିକ୍ରିବଟା କରିବାକୁ ପଛାଉନାହାନ୍ତି। କିଛିଦିନ ତଳେ ବଣିଆପାଟଛକ ନିକଟ ସାତଶିଙ୍ଗା ମୌଜାରେ ଏକ ମୂଲ୍ୟବାନ ଦେବୋତ୍ତର ଜାଗାରେ ଘର ତିଆରି କରାଯାଉଥିବା ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।