କଟକ: ଡିଏନଏ ଟେଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ। ପାରିବାରିକ ସଂପତ୍ତି ବିଭାଜନ/ବଣ୍ଟନ ସଂପର୍କିତ ମାମଲାରେ ବିରୋଧୀ ପକ୍ଷଙ୍କ ପିତୃତ୍ୱ ର୍ନିଦ୍ଧାରଣ ପାଇଁ ଡିଏନଏ ଟେଷ୍ଟ ପାଇଁ କୁହାଯିବା ଅନୁଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥିସହିତ ପାରିବାରିକ ସଂପତ୍ତି ବିବାଦକୁ ନେଇ ବିଚାରାଧୀନ ମାମଲାରେ ଜଣେ ପ୍ରତିପକ୍ଷଙ୍କ ପିତୃତ୍ୱ ନିରୂପଣ କରିବା ପାଇଁ ଡିଏନଏ ଟେଷ୍ଟ ପ୍ରସଂଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ଲାଗି ଏହା ଏକ ଉପଯୁକ୍ତ ମାମଲା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଡିଏନଏ ଟେଷ୍ଟ ସଂପର୍କିତ ଆବେଦନକୁ ଖାରଜ କରି କୁଚିଣ୍ଡା ସିଭିଲ ଜଜ୍ (ବରିଷ୍ଠ ଡିଭିଜନ) ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶ ହାଇକୋର୍ଟରେ କାଏମ ରହିଛି।

Advertisment

ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୋଲାପ ମାଝୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮ରେ ଜଣେ ବ୍ୟକ୍ତି ପାରିବାରିକ ସଂପତ୍ତି ବିଭାଜନ/ବଣ୍ଟନ ପ୍ରସଂଗ ନେଇ କୁଚିଣ୍ଡାସ୍ଥିତ ସିଭିଲ ଜଜ୍ (ବରିଷ୍ଠ ଡିଭିଜନ) ଅଦାଲତରେ ମାମଲା ଦାୟର କରିଥିଲେ। ମକଦ୍ଦମାର ପ୍ରତିପକ୍ଷ ନମ୍ବର-୧ ଲିଖିତ ଜବାବ ଦାଖଲ କରିବା ସହିତ ପ୍ରତିପକ୍ଷ ନମ୍ବର-୩ଙ୍କ ପାରିବାରିକ ସଂପତ୍ତିରେ କୌଣସି ଅଂଶ ବା ଅଧିକାର ନାହିଁ ବୋଲି ଦର୍ଶାଇଥିଲେ। ମକଦ୍ଦମାର ଆବେଦନକାରୀ ଓ ସମସ୍ତ ପ୍ରତିପକ୍ଷଙ୍କ ସହ ପୂର୍ବଜଙ୍କ ପ୍ରତିପକ୍ଷ ନମ୍ବର-୩ ପୁଅ ନୁହେଁ ବୋଲି ପ୍ରତିପକ୍ଷ ନମ୍ବର-୧ ଉଲ୍ଲେଖ କରିଥିଲେ। ଏଥିସହିତ ପ୍ରତିପକ୍ଷ ନମ୍ବର-୩ଙ୍କ ପିତୃତ୍ୱ ନିରୂପଣ ପାଇଁ ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ପ୍ରଦାନ କରିବାକୁ ପ୍ରତିପକ୍ଷ ନମ୍ବର-୧ ଏକ ଆବେଦନ ଦାୟର କରିଥିଲେ।

ମାମଲାର ଶୁଣାଣି ବେଳେ ପ୍ରତିପକ୍ଷ ନମ୍ବର-୩ ଙ୍କ ମା ଅଦାଲତରେ ସାକ୍ଷ୍ୟ ପ୍ରଦାନ କରି ସେ ସଂପୃକ୍ତ ସହପୂର୍ବଜଙ୍କ ତଥା ତାଙ୍କ ପୁଅ ବୋଲି କହିଥିଲେ। ସଂପୃକ୍ତ ସହପୂର୍ବଜଙ୍କ ସହିତ ପ୍ରତିପକ୍ଷ ନମ୍ବର-୩ଙ୍କ ମାଙ୍କ ବିବାହକୁ ନେଇ କୌଣସି ବିବାଦ ନଥିବା ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ସିଭିଲ ଜଜ୍ ଅଦାଲତ ୨୦୨୪, ଡିସେମ୍ବର ୨ରେ ପ୍ରତିପକ୍ଷ ନମ୍ବର-୩ଙ୍କ ଡିଏନଏ ଟେଷ୍ଟ ପାଇଁ ପ୍ରତିପକ୍ଷ ନମ୍ବର-୧ ଦାୟର କରିଥିବା ଆବେଦନକୁ ଖାରଜ କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ପ୍ରତିପକ୍ଷ ନମ୍ବର-୧ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Odisha | high court | Cuttack