ଭୁବନେଶ୍ବର: ବାପୁଜୀନଗରରେ ଜବରଦଖଲ ସମସ୍ୟା ସାଧାରଣ ନାଗରିକଙ୍କ ପାଇଁ କାଳ ହୋଇଛି। ରାସ୍ତା ଉପରେ ଘର ହୋଇଛି। ଖାଲି ଜାଗାରେ ଦୋକାନ ହୋଇଛି। ପୁଣି କିଏ ଲୁହା ଗ୍ରିଲ୍‌ ଲଗାଇ ସର୍ବସାଧାରଣ ରାସ୍ତାକୁ ବନ୍ଦ କରିଦେଇଛି। ବର୍ଷ ବର୍ଷ ଧରି ସରକାରୀ ଜାଗାରୁ କୋଟି କୋଟି ଟଙ୍କା ରୋଜଗାର କରି ଜବରଦଖଲକାରୀ ମାଲେମାଲ୍‌ ହେଉଛନ୍ତି। କିଛି ଅଧିକାରୀଙ୍କ ପକେଟ ମଧ୍ୟ ଗରମ ହେଉଛି। କିନ୍ତୁ ଉଚ୍ଛେଦ କରିବାକୁ ବିଭାଗୀୟ ଅଧିକାରୀ ସାହସ ଜୁଟାଇ ପାରୁ ନାହାନ୍ତି। ଏହାର ଏକ ବଡ଼ ପ୍ରମାଣ ହେଉଛି, ୪୭ ବର୍ଷ ହେଲା ଏକ କୋଠା ଉଚ୍ଛେଦ ପାଇଁ ଆଦେଶ ହୋଇଥିଲେ ମଧ୍ୟ ଆଦେଶ କାର୍ଯ୍ୟକାରୀ ହେଉନାହିଁ। ଜିଏ (ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ) ବିଭାଗ ନାଟର ଗୋବର୍ଦ୍ଧନ ସାଜିଛି। ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିବା କହି ଅଧିକାରୀମାନେ ଜବରଦଖଲକାରୀକୁ ସୁରକ୍ଷା ଦେଇଛନ୍ତି। କିନ୍ତୁ ବାସ୍ତବରେ ହାଇକୋର୍ଟ ଅଭିଯୋଗକାରୀଙ୍କ ଆବେଦନର ଶୁଣାଣି କରି ଜିଏ ବିଭାଗକୁ ବିଚାର ପାଇଁ ପଠାଇ‌ ଦେଇଥିବାବେଳେ ଖୋଦ୍‌ ଜିଏ ମଧ୍ୟ ଏହି ଜବରଦଖଲ ଉଚ୍ଛେଦ ପାଇଁ ଆଦେଶ ଦେଇଛି। ନିଜ ବିଭାଗର ଆଦେଶକୁ ଚାପି ଅଧିକାରୀମାନେ ବର୍ଷ ବର୍ଷ ଧରି ଲାଭବାନ୍‌ ହେଉଥିବା ଅଭିଯୋଗ ହୋଇଛି।

Advertisment

ନାଟର ଗୋବର୍ଦ୍ଧନ ଜିଏ ବିଭାଗ
୪୭ ବର୍ଷର ଉଚ୍ଛେଦ ଆଦେଶ କାର୍ଯ୍ୟକାରୀ ହେଉନି
ଅଧିକାରୀ-ଜବରଦଖଲକାରୀ କୋଳାକୋଳି

୧୯୭୦ ମସିହା ସେପ୍ଟେମ୍ବର ୨୦ ତାରିଖରେ ସେଖ୍‌ ଖଲିଲୁର୍‌ ରହମନ୍‌ଙ୍କୁ ବାପୁଜୀନଗରରେ ସରକାର ୯୯ ବର୍ଷିଆ ଲିଜ୍‌ ସୂତ୍ରରେ ଏକ ଜମି ଦେଇଥିଲେ। ଏହି ଜିଏ ପ୍ଲଟ୍‌ ନଂ. ‘ଏସ୍‌ସିଆର୍‌ ୧୫ଏ’ ସରକାରୀ ଖାତା ୫୪, ପ୍ଲଟ୍‌ ନଂ. ୬୮୩ରେ ରହିଛି। ଏହାର ଆକାର ହେଉଛି ୩୬୦୦ (୪୫x୮୦) ବର୍ଗଫୁଟ୍‌। ଖଲିଲୁର୍‌ ରାଜସ୍ବ ବିଭାଗରୁ ମୁଖ୍ୟସହାୟକ ଭାବରେ ଅବସର ନେଇଥିଲେ। ୧୯୭୧ ମସିହାରେ ଜିଏ ବିଭାଗ ଖଲିଲୁର୍‌ଙ୍କୁ ଏହି ଜମିର ଦଖଲ ଦେଇଥିଲା ଓ ଖଲିଲୁର୍‌ ୧୯୭୩ ମସିହାରେ ଏହା ଉପରେ ଘର ନିର୍ମାଣ ଶେଷ କରିଥିଲେ। ୨୦୦୦ ମସିହାରେ ଖଲିଲୁର୍‌ଙ୍କ ମୃତ୍ୟୁ ହୋଇଥିଲା। ତେବେ ୧୯୭୪ ମସିହାରେ ଜିଏ ବିଭାଗରେ ଅଭିଯୋଗ ହୋଇଥିଲା ଯେ ଖଲିଲୁର୍‌ ରାସ୍ତା ଆଡ଼କୁ ୨୫ ଫୁଟ୍‌ ଓସାର ଓ ୪୫ ଫୁଟ୍‌ ଲମ୍ବାର ୧୧୨୫ ବର୍ଗଫୁଟ୍‌ ସରକାରୀ ଜାଗା ମାଡ଼ିବସି ଘର କରିଛନ୍ତି। ଅଭିଯୋଗ ଆଧାରରେ ଉଚ୍ଛେଦ ପାଇଁ ଜିଏ ପ୍ରକ୍ରିୟା ଆରମ୍ଭ କରିଥିଲା। ମାପଚୁପ କରିବା ପରେ ଅଭିଯୋଗ ପ୍ରମାଣିତ ହୋଇଥିଲା। ଏଣୁ ବିଭାଗ ତରଫରୁ ଉଚ୍ଛେଦ ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ବିଭାଗ ବିନା ନୋଟିସ୍‌ରେ ଉଚ୍ଛେଦ କରିବାକୁ ଆସିଥିବା ଅଭିଯୋଗ କରି ଜବରଦଖଲକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଛେଦ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିବା ସହ ଶୁଣାଣି କରିଥିଲେ।

୧୯୭୫ ମସିହାରେ ହାଇକୋର୍ଟ ଜିଏର ଉଚ୍ଛେଦ ଆଦେଶକୁ ରହିତାଦେଶ ମୁକ୍ତ କରିବା ସହ ଆବେଦନକାରୀଙ୍କୁ ଜିଏ ବିଭାଗର ଇଷ୍ଟେଟ୍‌ ଅଫିସର୍‌ଙ୍କ ନିକଟରେ ସାନି ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଏହି ନୂଆ ଆବେଦନର ବିଚାର କରି ଜିଏର ଇଷ୍ଟେଟ୍‌ ଅଫିସର ପୂର୍ବ ଉଚ୍ଛେଦ ଆଦେଶକୁ କାଏମ୍‌ ରଖିଥିଲେ। ସେବେଠାରୁ ୪୭ ବର୍ଷ ଧରି ଏହି ଆଦେଶ ଆଜି ବି କା‌ଏମ୍‌ ରହିଛି। ବିଭିନ୍ନ ସମୟରେ ଦାୟିତ୍ବରେ ରହିଥିବା ଅଧିକାରୀ ସଦଳବଳେ ଘଟଣାସ୍ଥଳକୁ ଯାଆନ୍ତି ଓ କିଛି ସମୟ ପରେ ଫେରି ଯାଆନ୍ତି। ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିଛି। ଏଣେ ‘ହାର୍ଟ ଅଫ୍‌ ଦି ଟାଉନ୍‌’ କୁହାଯାଉଥିବା ବାପୁଜୀନଗରରେ ୧୧୨୫ ବର୍ଗଫୁଟ୍‌ ସରକାରୀ ଜାଗା, ଯାହାର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ହେବ ସେଠାରେ ତିଆରି ହୋଇଥିବା ଘରୁ ଭଡ଼ା ବାବଦକୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଛି।

ଏହା କେବଳ ‌ଭାତ ହାଣ୍ଡିରୁ ଗୋଟିଏ ଭଳି। ଏହି ଘଟଣାରୁ ଅନ୍ୟ ଜବରଦଖଲକାରୀ ପ୍ରୋତ୍ସାହିତ ହୋଇଥିବାରୁ ବାପୁଜୀନଗର ସାରା ସରକାରୀ ଜମିର ଅନେକ ଜବରଦଖଲ ହୋଇଛି। ସେଥିପାଇଁ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିକ୍ରିୟାରେ ଜିଏର ଜଣେ ଅଧିକାରୀ ସରକାରୀ ରୀତିରେ କହିଲେ, ‘‘ପୁରୁଣା ଆଦେଶସବୁକୁ ଖୋଜା ଯାଉଛି। ଖୁବ୍‌ଶୀଘ୍ର ଏହି ସବୁ ଜବରଦଖଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’ କିନ୍ତୁ ଏ ‘ଖୁବ୍‌ଶୀଘ୍ର’ର ସଂଜ୍ଞା କ’ଣ, ତା’ର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ତାଙ୍କ ପାଖରେ ନାହିଁ।