ପୈତୃକ ଜମି ଜବରଦଖଲ: ପ୍ରଶାସନ ପକ୍ଷରୁ ନ୍ୟାୟ ମିଳିଲାନି

ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ଅନୁମତି ମାଗିଲେ ଦିବ୍ୟାଙ୍ଗ

କଣ୍ଟାବାଞ୍ଜି: ପୈତୃକ ସଂପତ୍ତି ଜମି ମାଫିଆଙ୍କ କବ୍‌ଜାରେ। ଭରଣପୋଷଣ ପାଇଁ ଅର୍ଥାଭାବ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେନି। ଶେ‌ଷରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଦିବ୍ୟାଙ୍ଗ ଅମିତ ଜୈନ।

କଣ୍ଟାବାଞ୍ଜି ମେନ୍‌ରୋଡ଼ ନିବାସୀ ଅମିତ ଜୈନ (୩୭ବର୍ଷ) ଗତ ୨୦୦୯ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ତାଙ୍କ ଗୋଟିଏ ଗୋଡ଼ ହରାଇଥିଲେ। ଗୋଟିଏ ହାତ ବି ଆଉ କାମ କରୁ ନାହିଁ। ଡାକ୍ତରଙ୍କଠାରୁ ୧୦୦% ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ବି ପାଇଛନ୍ତି। ୨୦୧୧ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ବଡ଼ ଭାଇ ସେଲେନ୍ଦ ଜୈନ ଘର ସମ୍ଭାଳୁଥିଲେ। ଅମିତ ଓ ତାଙ୍କ ମା’ଙ୍କ ଔଷଧପତ୍ରଠୁ ଆରମ୍ଭ କରି ସେବାଯତ୍ନ କରୁଥିଲେ। ଏବେ ସେଲେନ୍ଦ ମଧ୍ୟ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଘରର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନାହିଁ। ଫଳରେ ପୂରା ପରିବାର ଉପରେ ଚଡ଼କ ପଡ଼ିଛି। ପୁଣି ପୈତୃକ ସମ୍ପତ୍ତିକୁ କିଛି ପ୍ରଭାବଶାଳୀ ଜମି ମାଫିଆ ଜବରଦଖଲ କରି ନେଇଛନ୍ତି। ୨୦୧୭ ମସିହାରୁ ଅମିତ ତହସିଲଦାର, ଥାନାଧିକାରୀ, ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି। ହେଲେ ଆଜି ଯାଏ ତାଙ୍କୁ ନ୍ୟାୟ ମିଳି ପାରିଲାନି।

ସବୁଆଡ଼ୁ ନିରାଶ ହେବା ପରେ ଗତ ଜାନୁଆରି ୨୪ ତାରିଖ ଦିନ ପୁଣି ଅମିତ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦିବ୍ୟାଙ୍ଗ ଥିବାରୁ ତାଙ୍କ ଅସହାୟ ଅବସ୍ଥା ସଂପର୍କରେ ମଧ୍ୟ ଜଣାଇଥିଲେ। ତାଙ୍କ ଜମିରେ କିଛି ନିର୍ମାଣ କାମ କରାଇବାକୁ ଯାଉଥିଲେ। କିନ୍ତୁ ଜମି ମାଫିଆମାନେ ତାଙ୍କୁ ହଇରାଣ କରୁଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ଉକ୍ତ ଅଭିଯୋଗକୁ ଏତେ ଗମ୍ଭୀର ଭାବେ ନେଇ ନଥିଲା। ତହସିଲଦାରଙ୍କୁ ମଧ୍ୟ ଗତ ଜାନୁଆରି ୨୪ ତାରିଖ ଦିନ ଜମି ଡିମାର୍କେସନ ପାଇଁ ଲିଖିତ ଅନୁରୋଧ କରିଥିଲେ।

ତିନି ମାସ ପରେ ବି ତହସିଲ କର୍ତ୍ତୃପକ୍ଷ ଏହା ଉପରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ୫ ବର୍ଷ ଧରି ସଂଘର୍ଷ କରିବା ପରେ ଅମିତ ଭାଙ୍ଗି ପଡ଼ିଛନ୍ତି। ଅର୍ଥ ଅଭାବରୁ ଚିକିତ୍ସା ଠିକ ଭାବେ କରାଇ ପାରୁ ନାହାନ୍ତି। ସେଥିପାଇଁ ଅସହାୟ ହୋଇ ସେ ରାଷ୍ଟ୍ରପତିଙ୍କ ନିକଟକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଅନୁରୋଧ ପତ୍ର ପଠାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚହଳ ପକାଇଛି। ଅମିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆଜି ମଧ୍ୟ ଦେଶରେ ନ୍ୟାୟ ସମସ୍ତ ଲୋକଙ୍କୁ ମିଳିବା ମୁସ୍କିଲ ହେଉଛି। ପ୍ରଭାବଶାଳୀ ଲୋକଙ୍କ ହାତରେ ରହିଛି ଶାସନ ଏବଂ ପ୍ରଶାସନ। ସେ ଦିବ୍ୟାଙ୍ଗ ହୋଇ ୫ ବର୍ଷ ହେଲାଣି ନ୍ୟାୟ ଓ ନିଜର ହକ୍‌ ପାଇଁ ସମସ୍ତଙ୍କ ପାଖରେ ଗୁହାରି କରିଛନ୍ତି। କିନ୍ତୁ, କିଛି ଲାଭ ହେଲା ନାହିଁ। ସେଥିପାଇଁ ବାଧ୍ୟ ହୋଇ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଲେଖିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର