ବ୍ରହ୍ମଗିରି: ନୀଳାମ୍ବୁ ଚିଲିକାରେ ଲକ୍ଷ ଲକ୍ଷ ବିଦେଶୀ ଅତିଥି ପକ୍ଷୀ ପାଦ ଥାପି ସାରିଛନ୍ତି। ରଙ୍ଗବେରଙ୍ଗର ଏହିସବୁ ଅତିଥି ପକ୍ଷୀଙ୍କ ଭିଡ଼ ଚିଲିକା କୂଳରେ ଥିବା ବିଲଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳୁଛି। ଚିଲିକା ଉପକୂଳରେ ଥିବା ବ୍ରହ୍ମଗିରି ରେଞ୍ଜରେ ମଧ୍ୟ ଅନୁରୂପ ଭାବରେ ବିଦେଶାଗତ ଅତିଥି ପକ୍ଷୀଙ୍କ ଭିଡ଼ ବଢିଲାଣି। ସୁଦୂର ସାଇବେରିଆ, କାଜାଗସ୍ତାନ, ହିମାଳୟ ପାଦଦେଶଠାରୁ ଆରମ୍ଭ କରି ଅନ୍ୟ ଦେଶରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ଚିଲିକାରେ ପହଞ୍ଚିଛନ୍ତି। ବ୍ରହ୍ମଗିରି ରେଞ୍ଜ ଚିଲିକା ଉପକୂଳରେ ଥିବାରୁ ଏବେ ରଙ୍ଗବେରଙ୍ଗର ବିଦେଶୀ ଅତିଥି ପକ୍ଷୀଙ୍କ ସଂଖ୍ୟା ବହୁତ ବଢିଲାଣି। ବ୍ରହ୍ମଗିରି ବ୍ଲକ୍ରେ ଚାଷୀ ଧାନ ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରୁଥିବାରୁ ପ୍ରଚୁର ପରିମାଣର ଖାଦ୍ୟ ପକ୍ଷୀଙ୍କୁ ମିଳୁଛି। ଛୋଟ ମାଛଠାରୁ ଆରମ୍ଭ କରି ବିଭିନ୍ନ ପୋକଜୋକ ଖାଇବାକୁ ପକ୍ଷୀଙ୍କୁ ଖାଇବାକୁ ମିଳି ଯାଉଛି।
ଫଳରେ ଖାଦ୍ୟ ପାଇଁ ଚିଲିକା ଛାଡି ବିଦେଶୀ ଅତିଥି ପକ୍ଷୀ ବ୍ରହ୍ମଗିରି ରେଞ୍ଜରେ ଥିବା ବିଭିନ୍ନ ଧାନ କ୍ଷେତଠାରୁ ଆରମ୍ଭ କରି ସର ଓ ପୋଖରୀରେ ଭିଡ଼ ଜମାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ଗ୍ଲୋସିଆ ଆଇବିସ, ନର୍ଦ୍ଦନ ପିଣ୍ଟେଲ, ସୋଭଲର, ଗଡଉଇଟ, ଗଡ୍ୱାଲ, ପର୍ପଲ ମୋରହେନ, ଡାର୍ଟର, ରୁଡି ସେଲଡକ ଭଳି ବିଭିନ୍ନ ବିଦେଶାଗତ ଅତିଥି ପକ୍ଷୀ। ଏହିସବୁ ଅତିଥି ପକ୍ଷୀଙ୍କ ଭିଡ଼କୁ ଦେଖି ମାଂସ ଲୋଭି ଶିକାରୀ ଶିକାର ପାଇଁ ତତ୍ପର ହୋଇଛି। ଏବେ ଶିକାରୀ ନୂଆ ତରିକା ଆପଣାଇଛନ୍ତି। କେତକ ସ୍ଥାନରେ କଇଁ ଫୁଲ ବେଣ୍ଟରେ ଫ୍ଲୋରାଡିନ ନାମକ ବିଷ ଦେଇ ଶିକାରୀ ଶିକାର କରୁଛି। ପୁଣି ଛୋଟ ମାଛର ଗାଲିରେ ବିଷ ଦେଇ ଶିକାର କରୁଛି। ଅନ୍ୟପଟେ ଏବେ ଛିଟିକିଣିର ବ୍ୟବହାର କରୁଛି। ଛୋଟ ମାଛକୁ ଛିଟିକିଣିରେ ବାନ୍ଧି ଧାନ କ୍ଷେତରେ ବସାଇ ଆସୁଛି।
ଆଉ କ୍ଷେତର ହିଡ଼ରେ ଛପି ରହୁଛି। ପକ୍ଷୀ ମାଛ ଖାଇବା ମାତ୍ରେ ଛିଟିକିଣିର ଫାଶରେ ପଡି ତାର ବେକ ଚାପି ହୋଇ ଯାଉଛି। ଶିକାରୀ ଏହାକୁ ଧରି ଫେରୁଛି। ପୁଣି ଏବେ ସ୍ବତନ୍ତ୍ର ଭାବରେ ଫାଶି ଜାଲକୁ ବ୍ୟବହାର କରି ଶିକାରୀ ପକ୍ଷୀ ଶିକାର କରୁଥିବା ଜଣାପଡିଛି। ନିକଟରେ ବ୍ରହ୍ମଗିରି ବନ ବିଭାଗ ଘଟକୁଡି ଗାଁ ନିକଟରେ ୨୦ଟି ବିଦେଶୀ ଅତିଥି ପକ୍ଷୀଙ୍କ ଶବ ଜବତ କରିଥିଲା। ବନ ବିଭାଗ ଆଖିରେ ଚକମା ଦେଇ ଶିକାରୀ ଫେରାର ହୋଇଯାଇଥିଲେ। ଜବତ ହୋଇଥିବା ପକ୍ଷୀ ବିଷ ଦ୍ବାରା ଶିକାର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। ଏବେ ପୁଣି ଥରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ବିଦେଶାଗତ ଅତିଥି ପକ୍ଷୀଙ୍କ ଉପରେ ପଡିଛି। ଏନେଇ ବ୍ରହ୍ମଗିରି ରେଞ୍ଜ ଅଧିକାରୀ ଜନାର୍ଦ୍ଦନ ମିଶ୍ର କହିଛନ୍ତି ବନ ବିଭାଗର ୪ଟି ଟିମ୍ ନିୟମିତ ପାଟ୍ରୋଲିଙ୍ଗ କରି ଶିକାରୀଙ୍କ ଉପରେ ନଜର ରଖିଛି।