ସମସ୍ୟା ବଢ଼ାଇଛି କୋଭିଡ୍ ସଂକ୍ରମଣ: ମେଳା ବୁଲିବାକୁ ଆସି ଫସିଗଲେ ବାଂଲାଦେଶୀ

ମାଲକାନଗିରି: ତୃତୀୟ ପର୍ଯ୍ୟାୟ ଲକ୍ଡାଉନରେ ଅନେକ କିଛି କଟକଣା କୋହଳ ହୋଇଛି । ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଶ୍ରମିକ କିମ୍ବା ଛାତ୍ର ଛାତ୍ରୀ, ପର୍ଯ୍ୟଟକମାନେ ନିଜ ନିଜ ସ୍ଥାନକୁ ଫେରିବା ଲାଗି ସୁଯୋଗ ସୃଷ୍ଟି କରାଯାଇଛି । ବିଦେଶୀରେ ଫିସଥିବା ଭାରତୀୟଙ୍କୁ ବି ଉଦ୍ଧାର କରାଯାଉଛି । ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟ ଫେରୁଛନ୍ତି । ହେଲେ ମାଲକାନଗିରି ଜିଲ୍ଲାରେ ଦୁଇ ମାସ ଧରି ଫସି ଥିବା ବାଂଲାଦେଶୀ ପର୍ଯ୍ୟଟକ କିନ୍ତୁ ନିଜ ଘରକୁ ଫେରିବାର ବାଟ ପାଉନାହାନ୍ତି ।

୨ ମାସ ହେଲା ମାଲକାନଗିରି କାଲିମେଳା ଏମଭି-୯୦ ଗାଁରେ ଅଟକି ରହିଛନ୍ତି ୮ ଜଣ ବାଂଲାଦେଶୀ ପର୍ଯ୍ୟଟକ । ନା ଘରକୁ ଫେରି ପାରୁଛନ୍ତି ନା ଭିଜା ଅବଧି ବଢି ପାରୁଛି । ବାଂଲାଦେଶ-ଭାରତର ଭୋଜାଡଙ୍ଗା ବର୍ଡର ଦେଇ ଜାନୁଆରୀ ୮ ତାରିଖରେ ଭାରତ ସୀମାରେ ପ୍ରବେଶ କରିଥିଲେ । ଟ୍ରେନ ଯୋଗେ ପଶ୍ଚିମବଙ୍ଗରୁ ମାଲକାନଗିରି ଆସିଥିଲେ । ଜନତା କର୍ଫ୍ୟୁ ପରେ ଫେରିଯିବେ ବୋଲି ଭାବି ଥିଲେ, ହେଲେ ତାଲାବନ୍ଦ ଯୋଗୁଁ ଫେରିବା ବାଟରେ ବାଡ ପଡିଛି । ଘର ବାହୁଡା ପାଇଁ ଦିଲ୍ଲୀ ଓ କୋଲକାତାରେ ଥିବା ବାଂଲାଦେଶୀ ଦୂତାବାସ ସହ ଯୋଗାଯୋଗ କଲେ ବି କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି ଫସି ରହିଥିବା ପର୍ଯ୍ୟଟକ ।

ଏହାରି ଭିତରେ ଏପ୍ରିଲ ୮ରୁ ଭିଜା ଅବଧି ସରି ଯାଇଛି । ଭିଜା ଅବଧି ବଢାଇବାକୁ ଭୁବନଶ୍ୱର ଆଂଚଳିକ ବିଦେଶୀ ପଂଜିକରଣ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଏମାନେ । ଚେନ୍ନାଇରୁ ବିମାନ ଯୋଗେ ଘରକୁ ଫେରିଯିବାକୁ ବାଂଲାଦେଶ ଦୂତାବାସ କହିଛି, ହେଲେ ବିମାନ ଯାତ୍ରା ପାଇଁ ଟଙ୍କା ନଥିବାରୁ ଗାଡି ଯୋଗେ ସୀମାରେ ଛାଡିବାକୁ ମାଲକାନଗିରି ପ୍ରଶାସନକୁ ନିବେଦନ କରିଛନ୍ତି ବିଦେଶୀ ପର୍ଯ୍ୟଟକ । ସେପଟେ ମାଲକାନଗିରି ପ୍ରଶାସନ ପକ୍ଷରୁ ଅତିଥିଙ୍କୁ ଖାଇବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଫେରିବା ନେଇ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ।

ସମ୍ବନ୍ଧିତ ଖବର