ଭୁବନେଶ୍ବର : କୋଭିଡ୍ ପାଇଁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍ରେ ବିଦେଶୀ ଭାଷା ପାଠ୍ୟକ୍ରମ ବନ୍ଦ ହୋଇଯାଇଛି। ଓକାକ୍ରେ କେବଳ ଫ୍ରେଞ୍ଚ୍\R ଭାଷା ଶିକ୍ଷା ଦିଆଯାଉଥିବା ବେଳେ ଗତବର୍ଷଠାରୁ ଏହା ବନ୍ଦ ରହିଛି। ରାଜଧାନୀରେ ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନରେ ବିଦେଶୀ ଭାଷା ପାଠ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ ଓକାକ୍ରେ ଏହା କେବେ ଆରମ୍ଭ ହେବ ତାହା କର୍ତୃପକ୍ଷ ସ୍ପଷ୍ଟ କରିପାରୁ ନାହାନ୍ତି।
ଓକାକ୍ରୁ ଦୀର୍ଘ ବର୍ଷ ହେବ ଫ୍ରେଞ୍ଚ୍ ଭାଷା ପାଠ୍ୟକ୍ରମ ରହିଛି। କୋଭିଡ୍ ପୂର୍ବରୁ ପ୍ରତି ବ୍ୟାଚ୍ରେ ୧୫/୧୭ଜଣ ଏହି ଭାଷା ଶିକ୍ଷା ଗ୍ରହଣ କରୁଥିଲେ। ମାତ୍ର ଗତବର୍ଷ କୋଭିଡ୍ ସଂକ୍ରମଣ ଆରମ୍ଭ ହେବାଠାରୁ ତାହା ବନ୍ଦ ହୋଇଯାଇଛି। ଏବେ ରାଜଧାନୀ ସମେତ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ପାଠ୍ୟକ୍ରମ ଆରମ୍ଭ ନେଇ କୌଣସି ନିଷ୍ପତ୍ତି ହୋଇପାରୁନି। ଫ୍ରେଞ୍ଚ୍ ପାଠ୍ୟକ୍ରମ ପାଇଁ କେବଳ ଜଣେ ଫାକଲ୍ଟି ଥିବା ବେଳେ ଓକାକ୍ ତାଙ୍କ ଉପରେ ନିର୍ଭର କରୁଛି। ତାଙ୍କ ବଦଳରେ ଅନ୍ୟ ଫାକ୍ଲଟିକୁ ଏ ପର୍ଯ୍ୟନ୍ତ ଚୟନ କରାଯାଇନାହିଁ। ଫ୍ରେଞ୍ଚ୍ ଭାଷା ଶିଖିବା ଲାଗି ଅନେକ ଇଚ୍ଛୁକ ଥିବା ବେଳେ ଓକାକ୍ରେ ଏହା ବନ୍ଦ ରହିଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ସେହିପରି ପୂର୍ବରୁ ଏହି ପାଠ୍ୟକ୍ରମ ପାଇଁ ୮ହଜାର ଟଙ୍କା ନିଆଯାଉଥିବା ବେଳେ ଆଗକୁ ଏହି ପାଠ୍ୟକ୍ରମର ଫି’ ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଓକାକ୍ର ଜଣେ ଅଧିକାରୀ କହିଛନ୍ତି, କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ପରେ ପାଠପଢ଼ା ବନ୍ଦ ହୋଇଯାଇଛି। ଏପରିକି ସେହି ବ୍ୟାଚ୍ର ଅଳ୍ପଦିନର କ୍ଲାସ୍ ବାକି ମଧ୍ୟ ରହିଛି। ଫ୍ରେଞ୍ଚ୍ ପଢ଼ାଉଥିବା ଫାକ୍ଲଟି ଜଣକ କଟକରୁ ଆସୁଛନ୍ତି। ତାଙ୍କର ଅନ୍ୟ ସ୍ଥାନରେ ମଧ୍ୟ ଆସାଇନମେଣ୍ଟ୍ ରହୁଛି। ତେଣୁ ଖୁବଶୀଘ୍ର ପାଠ୍ୟକ୍ରମକୁ ଆରମ୍ଭ କରିବା ଲାଗି ତାଙ୍କ ସହିତ ଯୋଗାଯୋଗ କରାଯାଉଛି। ଏବେ ଯେଉଁମାନେ ଏହି ପାଠ୍ୟକ୍ରମ ପାଇଁ ଇଚ୍ଛୁକ ରହିଛନ୍ତି ସେମାନଙ୍କ ଯୋଗାଯୋଗ ଠିକଣା ରଖାଯାଉଛି। ପାଠ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସେମାନଙ୍କ ସହିତ ଯୋଗାଯୋଗ କରାଯିବ। ତେବେ ପୂର୍ବରୁ ଏହି ଭାଷା ଶିକ୍ଷା ପାଇଁ ଯେତିକି ଟଙ୍କା ନିଆଯାଉଥିବା ଏଥିରେ ପରିବର୍ତନ କରାଯାଇପାରେ। ଫ୍ରେଞ୍ଚ୍ ବ୍ୟତୀତ ଅନ୍ୟ ପାଠ୍ୟକ୍ରମ ଆରମ୍ଭ ନେଇ ଏବେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।