ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ର ଆରମ୍ଭ କରିଛନ୍ତି। ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ମାନବିକ ମୂଲ୍ୟବୋଧ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହେବା ଦରକାର। ମାତୃଭାଷାରେ ଶିକ୍ଷା ଦ୍ବାରା ପିଲା ଦକ୍ଷ ହୋଇଥାଏ। ପିଲାଙ୍କ ବୌଦ୍ଧିକ ବିକାଶରେ ସହାୟକ ମଧ୍ୟ ହୋଇଥାଏ। ତେବେ କୌଣସି ବିଦେଶୀ ଭାଷା ମାତୃଭାଷାର ସ୍ଥାନ ନେବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ କହିଛନ୍ତି।

Advertisment

ରାଷ୍ଟ୍ରପତି କହିଲେ, ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଚେତନାକୁ ଉନ୍ନତ କରିବା ନିମନ୍ତେ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ ଅଭିଯାନର ପରିକଳ୍ପନା କରାଯାଇଛି। ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ସମୟ ପ୍ରଯୁକ୍ତି ବିଦ୍ୟାର ସମୟ। ତେବେ ପ୍ରଯୁକ୍ତି ବିଦ୍ୟା ସହିତ ସଂସ୍କୃତି ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ସମନ୍ବୟ ରଖିବାର ଆବଶ୍ୟକତା ରହିଛି। ଏକ ଉନ୍ନତ ସମାଜ ଗଠନ ପାଇଁ ସେମାନେ ନିଜ ବୃଦ୍ଧ ପିତାମାତା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କ ଯତ୍ନ ନେବା ଉଚିତ। ନୈତିକ ଶିକ୍ଷା ଆମ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ବ୍ୟକ୍ତି ବଦଳିଲେ ସମାଜ ଆପେ ଆପେ ବଦଳିଯିବ। ସମସ୍ତେ ପରିବର୍ତ୍ତନ ହେଲେ ବିଶ୍ବରେ ବି ପରିବର୍ତ୍ତନ ଆସିବ। ପୃଥିବୀର କୌଣସି ନା କୌଣସି ଜାଗାରେ ଅଶାନ୍ତି ଲାଗି ରହିଛି। ତ‌େବେ ଭାରତ ସବୁବେଳେ ବିଶ୍ବଶାନ୍ତି ସଂପର୍କରେ କହି ଆସୁଛି। ଆମେ ସମସ୍ତେ ବି ମାନସିକ ଶାନ୍ତି ଖୋଜୁଛୁ। ଆଧ୍ୟାତ୍ମିକ ଚିନ୍ତନ ଦ୍ବାରା ହିଁ ଶାନ୍ତି ଫେରିଆସିବ। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରିତ୍ର ନିର୍ମାଣ, ଆତ୍ମ ଅନୁଭବ ଓ ଦିବ୍ୟ ଅନୁଭୂତି ମାଧ୍ୟମରେ ସୁଖ, ଶାନ୍ତି ଓ ଆନନ୍ଦର ମାର୍ଗକୁ ସୁଗମ କରୁଛି। ଏହା ଏମିତି ଏକ ବିଶ୍ବବିଦ୍ୟାଳୟ ଯେଉଁଠାରେ ବୟସର କୌଣସି ସୀମା ନଥାଏ, କୌଣସି ଭେଦଭାବ ନଥାଏ ବୋଲି କହି ସେ ଆନନ୍ଦ ପ୍ରକାଶ କରିଥିଲେ। ରାଷ୍ଟ୍ରପତି ସ୍ବଭାବ କବି ଗଂଗାଧର ମେହେରଙ୍କ କବିତା ସଂପର୍କରେ ଉଲ୍ଲେଖ କରି ଉଚ୍ଚ ହେବା ଆଶା ରଖୁଥିଲେ ଆଗ ନିଜ ମାତୃଭାଷାକୁ ଉଚ୍ଚ କରିବାକୁ କହିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କବିତା ‘ମିଶୁ ମୋର ଦେହ... ବର୍ଣ୍ଣନା କରି ସମସ୍ତେ ସମାଜ ପାଇଁ ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ବିକଶିତ ଭାରତ ପାଇଁ ନୂଆ ଶିକ୍ଷାନୀତିର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହି‌ଲେ, ଗୋଟିଏ ସମୟରେ ଆମ ଦେଶ ସୁନାର ଭାରତ ଥିଲା। ମାତ୍ର ଲମ୍ବା ସମୟର ପରାଧୀନତା କାରଣରୁ ଏଥିରେ ଅଧୋଗତି ଦେଖାଗଲା। ଏହାକୁ ସୁଧାରିବା ଦିଗରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ ‘ନୂତନ ଭାରତର ନୂତନ ଶିକ୍ଷା’ ନୀତି ଅଭିଯାନ ସମ୍ବଲପୁରରୁ ଆରମ୍ଭ ହେବା ଖୁସିର ବିଷୟ। ଦେଶରେ ୧୪୦ କୋଟି ନାଗରିକଙ୍କ ମଧ୍ୟରୁ ୩ରୁ ୨୩ ବର୍ଷ ବୟସର ପ୍ରାୟ ୫୦ କୋଟି ନାଗରିକ ଅଛନ୍ତି । ବର୍ତ୍ତମାନ ସମୟରେ ଚ୍ୟାଲେଞ୍ଜ୍ ହେଉଛି ସେମାନଙ୍କୁ ଆମେ ମନୁଷ୍ୟ କରିବା ନା ମେସିନ୍ ବନାଇବା? ଆଜି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦରକାର ନା ଏଚ୍‌ଆଇ ବା ହୁମ୍ୟାନ ଇଣ୍ଟେଲିଜେନ୍ସ ଦରକାର। ଏହାର ଗୋଟିଏ ସୂତ୍ର ଆଧ୍ୟାତ୍ମିକତା। ଦେଶରେ ସମାନତା ଓ ଦାରିଦ୍ର୍ୟ ମୂଳୋତ୍ପାଟନ କରିବାର ଏକମାତ୍ର ପୁଂଜି ଶିକ୍ଷା। ବିକଶିତ ଏବଂ ଭବ୍ୟ ଭାରତ ଶିକ୍ଷା ମାଧ୍ୟମରେ ହିଁ ହୋଇପାରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ, ରେଂଗାଲି ବିଧାୟକ ନାଉରୀ ନାୟକ, ବ୍ରହ୍ମାକୁମାରୀଙ୍କ ସମ୍ବଲପୁର ଉପ‌କ୍ଷେତ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ପାର୍ବତୀ, ଶିକ୍ଷା ପ୍ରଭାଗର ଉପାଧ୍ୟକ୍ଷା ରାଜଯୋଗିନୀ ସିଲୁ ଦିଦି, ବ୍ରହ୍ମାକୁମାରୀ ଡ. ନଥମଲ, ବ୍ରହ୍ମକୁମାରୀ ବିନି ପ୍ରମୁଖ ମଂଚାସୀନ ଥିଲେ। ବ୍ରହ୍ମକୁମାରୀ ଲୀନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ବ୍ରହ୍ମକୁମାରୀ ଦୀପା ପରିଚାଳନା କରିଥିଲେ।