ଝାରସୁଗୁଡ଼ା: ଖଣି ଓ ଶିଳ୍ପ କାରଖାନା ଯୋଗୁଁ ପରିବେଶ ଅସନ୍ତୁଳିତ ହୋଇପଡ଼ୁଛି। କାରଖାନା ବର୍ଜ୍ୟ ପରିଚାଳନାରେ ଅହେତୁକ ତୃଟିବିଚ୍ୟୁତି ଜିଲ୍ଲାରେ ଜୈବ ବିବିଧତା ନଷ୍ଟ କରୁଥିବା ବେଳେ ଦ୍ରୁତ ଜଙ୍ଗଲ କ୍ଷୟ ପରିବଶେ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ଜିଲ୍ଲାରେ କ୍ରମାଗତ ଭାବରେ ବୃଷ୍ଟିପାତ କମି କମି ଯାଉଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଜଙ୍ଗଲ ନୀତି ଅନୁଯାୟୀ ଜିଲ୍ଲାର କ୍ଷେତ୍ରଫଳର ୩୩ ପ୍ରତିଶତ ଜଙ୍ଗଲ ରହିବା ଉଚିତ ମାତ୍ର ଜିଲ୍ଲାରେ ୧୫ ପ୍ରତିଶତ ତଳକୁ ଜଙ୍ଗଲ ଖସି ଆସିଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ଝାରସୁଗୁଡ଼ା ଠାରୁ ମାତ୍ର ଅଳ୍ପଦୂରରେ ଅବସ୍ଥିତ ସିଂହାବଗା ଠାରେ ବିଦେଶୀ ପକ୍ଷୀ ମାନଙ୍କ ସ୍ଥାୟୀ ବସବାସର ଆଭାସ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକୃତି ପ୍ରତି ସବୁଆଡ଼ୁ ଅତ୍ୟାଚାର ଚାଲିଥିବା ବେଳେ ଏଭଳି ଏକ ଖବର ପ୍ରକୃତି ପ୍ରେମୀ ମାନଙ୍କୁ ଆସ୍ବସ୍ତ କରିବା ସ୍ବାଭାବିକ। ଗତ ୪/୫ ବର୍ଷ ହେଲାଣି ପରିବେଶବିତ୍ ଓ ପକ୍ଷୀପ୍ରେମୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛି ସିଂହାବଗା । ପ୍ରତିବର୍ଷ ଡିସେମ୍ବର ମାସରେ ଏହି ସ୍ଥାନକୁ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତୀର ବିଦେଶୀ ପକ୍ଷୀ ଆସିଥାନ୍ତି। ପକ୍ଷୀ ମାନଙ୍କ ଏଭଳି ଆଗମନ ପରିବେଶବିତ୍ମାନଙ୍କ ସମେତ ସାଧାରଣ ଲୋକଙ୍କୁ ଆକର୍ଷଣ କରୁଥିବା ବେଳେ ଏହି ସ୍ଥାନର ଗୁରୁତ୍ବ ମଧ୍ୟ ବହୁଗୁଣରେ ବୃଦ୍ଧି ପାଇଥାଏ। ବିଦେଶୀ ପକ୍ଷୀ ମାନଙ୍କ ଉପରେ ଗବେଷଣା କରୁଥିବା ବହୁ ବିଶେଷଜ୍ଞ ଏହି ସ୍ଥାନକୁ ଯାଇ ପକ୍ଷୀ ମାନଙ୍କୁ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ନିରୀକ୍ଷଣ କରି ଅନେକ ତଥ୍ୟ ପ୍ରଦାନ କରି ସାରିଛନ୍ତି। ସରକାରୀ ସ୍ତରରେ ଏହି ପକ୍ଷୀ ମାନଙ୍କ ଗତିବିଧି ଉପରେ ବହୁ ବିଳମ୍ବରେ ତଥ୍ୟସଂଗ୍ରହ ଆରମ୍ଭ ହୋଇଥିଲା। ମାତ୍ର ବେସରକାରୀ ଭାବରେ ଅନେକ ପରିବେଶବିତ୍ ଏହି କାମ ବହୁ ଦିନରୁ ଏଠାରେ କରି ଆସୁଛନ୍ତି।
ଶିଳ୍ପ କାରଖାନା ପ୍ରତିଷ୍ଠା ପରେ ଝାରସୁଗୁଡ଼ା ସହର ପ୍ରଦୂଷଣର ଶୀର୍ଷରେ ପହଞ୍ଚି ଯାଇଛି। ପରିସ୍ଥିତି ଏପରି ହେଲାଣି ଯେ ଏବେ ଟିକିଏ ମୁକ୍ତ ବାୟୁ ଓ ସୁସ୍ଥ ପରିବେଶ ପାଇବା ମୁସ୍କିଲ ହୋଇ ପଡ଼ିଛି। ବ୍ୟାପକ ତାପଜ ବିଦ୍ୟୁତ କାରଖାନା ପ୍ରତିଷ୍ଠା ପରିବେଶ ଉପରେ କୁପ୍ରଭାବ ପକାଇ ଚାଲିଛି। କୁଢ଼କୁଢ଼ ଉଡ଼ନ୍ତା ପାଉଁଶ ଏବେ ଜୀବନଧାରଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଶହେ ଗୋଟି ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ସହରର ନାମ କେନ୍ଦ୍ର ପ୍ରଦୂଷଣ ବୋର୍ଡର ତାଲିକାରେ ଉଲ୍ଲେଖ ରହିଛି। ଶିଳ୍ପ ସହିତ କୋଇଲା ପରିବହନ ଏବଂ ବ୍ୟାପକ ମୋବାଇଲ ଟାୱାର ପରିବେଶକୁ ଧ୍ବଂସସ୍ତୁପ ଆଡ଼କୁ ଠେଲି ଦେଉଥିବା ବହୁ ପରିବେଶବିତ୍ ବିଭିନ୍ନ ସମୟରେ ସତର୍କ କରି ଆସିଛନ୍ତି। ଏହାର କୁପରିଣାମ ଯୋଗୁଁ ପରିବେଶ ସନ୍ତୁଳନ ହରାଇ ବ୍ୟାପକ କ୍ଷତିମଧ୍ୟ ଘଟିଛି। ଜୈବ ବିବିଧତା ନଷ୍ଟ ହେବା ସହିତ ସବୁଜ ଗ୍ରୀଷ୍ମରାଶି ସାଙ୍ଗକୁ ଜୀବଜନ୍ତୁ ଓ ପକ୍ଷୀ ଝାରସୁଗୁଡ଼ା ଜିଲ୍ଲାରୁ ଦିନକୁ ଦିନ କମି ଯାଇଥିବା ଲକ୍ଷ୍ୟ କରାଯାଇଛି।
ଝାରସୁଗୁଡ଼ା ବ୍ଲକ ଜମେରା ପଞ୍ଚାୟତ ଅନ୍ତର୍ଗତ ସିଂହାବଗା ଗ୍ରାମରେ ଗତ କିଛି ବର୍ଷ ହେଲା ଶୀତ ଦିନରେ ବହୁ ବିଦେଶୀ ପକ୍ଷୀ ଆସି ଗ୍ରୀଷ୍ମ ଆରମ୍ଭ ବେଳେ ଫେରି ଯାଉଥିଲେ। ଏଥର କିନ୍ତୁ ଏହି ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ଅନେକ ପ୍ରଜାତୀ ଏଠାରୁ ଫେରିନଥିବା ଜଣାଯାଇଛି। ସିଂହାବଗା ଗ୍ରାମ ନିକଟରେ ଇବ୍ ନଦୀ ଓ ଭେଡ଼େନ୍ ନଦୀର ପଛୁଆଜଳ ଥିବା ଏକ ବିସ୍ତିର୍ଣ୍ଣ ଆର୍ଦ୍ରଭୂମି ଅଞ୍ଚଳକୁ ପ୍ରତିବର୍ଷ ନଭେମ୍ବର/ ଡିସେମ୍ବର ମାସରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥାନ୍ତି। ଏମାନେ ଏଠାରେ ଭରପୁର ଖାଦ୍ୟ ଓ ଅନୁକୂଳ ପରିବେଶ ପାଉ ଥିବାରୁ ଗ୍ରୀଷ୍ମଋତୁ ପର୍ଯ୍ୟନ୍ତ କଟାଇ ଥାନ୍ତି।
ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲେ ଏହି ପକ୍ଷୀ ମାନେ ଏଠାରୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ମାତ୍ର ଚଳିତ ବର୍ଷ ଏଠାରେ ଅନେକ ପକ୍ଷୀ ଏବେ ମଧ୍ୟ ରହିଥିବା ଦେଖିବାକୁ ମିଳୁଛି। ଯେଉଁ ଜଳାଶୟ ମଧ୍ୟରେ ଏହି ବିଦେଶୀ ପକ୍ଷୀଙ୍କ ସମାଗମ ହେଉଛି ସରକାର ସେହି ସ୍ଥାନ ଧ୍ବଂସମୁହଁକୁ ଠେଲି ହୋଇ ଯାଉଛି। ଜଳାଶୟ ଉପରେ ଗୋଟିଏ ପରେ ଗୋଟିଏ ରେଳ ଧାରଣା ନିର୍ମାଣ ହେବାକୁ ଲାଗିଛି। ମୁମ୍ବାଇକୁ ରେଳଲାଇନ୍ ପଡ଼ିଥିବା ବେଳେ ଏହାକୁ ଲାଗି କୋଇଲା ପରିବହନ ପାଇଁ ସମୁଦାୟ ୬ ଗୋଟି ରେଳଲାଇନ ନିର୍ମାଣ ହୋଇ ସାରିଲାଣି। ପକ୍ଷୀ ରହୁଥିବା ସ୍ଥାନ ଧିରେ ଧିରେ ସଂକୁଚିତ ହେବାରେ ଲାଗିଛି। ଏଠାରେ ଏନ୍ଏଲ୍ସି କମ୍ପାନି କୋଇଲା ପରିବହନ ପାଇଁ ଆଉ ଏକ ରେଳ ଲାଇନ୍ ବିଛାଇବାକୁ ଅନୁମତି ପ୍ରଦାନ କରାଯାଇଛି। ଏଠାରେ ଲିଜର୍ ହ୍ବିସଲିଂ ଡକ୍, କମନ୍ ପୋଚାର୍ଡ଼, ଟପ୍ଟେଡ଼୍ ଡ଼କ୍, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେବ୍, କମନ୍ କୋର୍ଟ,ଲିଟିଲ କର୍ମୋରାଣ୍ଟ, ବ୍ଲାକ୍ ହେଡେଡ୍ ଗଲ୍, ରେଡ଼୍ କ୍ରେଷ୍ଟେଡ଼୍ ପୋଚାର୍ଡ଼, ବ୍ରାଉନ୍ ହେଡେଡ୍ ଗଲ୍, ପର୍ପଲ୍ ସ୍ବୟମହେନ୍, ପର୍ପଲ୍ ମୋରହେନ୍, ବ୍ରଞ୍ଚ ଉଇଙ୍ଗ ଜାକାଜା, ପର୍ପଲ୍ ହେରୋନ୍, କୋମନ୍ଷ୍ଟିଲଟ୍, ୱାଟରହେନ୍ ଭଳି ବହୁ ପ୍ରଜାତୀର ପକ୍ଷୀ ଦେଖିବାକୁ ମିଳିଥାଏ।
ପ୍ରଦୂଷଣରେ ଉବୁଟୁବୁ ହେଉଥିବା ଏହି ସହର ନିକଟରେ ବହୁ ସଂଖ୍ୟାରେ ଜଳପକ୍ଷୀ ଆସିବା ଏକ ଶୁଭ ସୂଚନା ଦେଉଛି। ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ଇକୋ ଟୁରିଜମ୍ ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହୋଇ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଏଥିପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ ହୋଇ ସାରିଛି। ତେବେ ଏହି ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଜଙ୍ଗଲ ବିଭାଗ ଏଠାରେ କିଛି ବୃକ୍ଷରୋପଣ କରିଥିବା ଓ ଏକ ସାଇନବୋର୍ଡ଼ ଲାଗାଇବା ସହିତ ଗଛ ଗୁଡ଼ିକରେ ପକ୍ଷୀଙ୍କ ରହିବା ପାଇଁ ନିଡ଼ ବାନ୍ଧି ଚୁପ୍ ରହିଛି। ରେଳଲାଇନ ନିର୍ମାଣ ପାଇଁ ଏହି ଜଳାଶୟ ଉପରେ ଜମି ଅଧିଗ୍ରହଣ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ପ୍ରସ୍ତାବିତ ଇକୋ ଟୁରିଜମ ପ୍ରକଳ୍ପ ଖତଗଦାରେ ପଡ଼ିଛି।