ରାଜ୍ୟରେ ଖୋଲିବ ‘ଫରେନ୍ ପୋଷ୍ଟ୍‌ ଅଫିସ୍‌’, ଓଡ଼ିଶାର ପାର୍ସଲ୍ ଶୀଘ୍ର ବିଦେଶରେ ପହଞ୍ଚିବ

0

ଭୁବନେଶ୍ବର : ବିଦେଶକୁ କୌଣସି ସାମଗ୍ରୀ କିମ୍ବା ମେଲ୍ ପଠାଇବା ବେଳେ ବହୁତ ବିଳମ୍ବରେ ତାହା ପହଞ୍ଚୁଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଓଡ଼ିଶାରେ ଫରେନ୍ ଫୋଷ୍ଟ ଅଫିସ (ବିଦେଶ ଡାକ ଘର) ନାହିଁ। ବିଦେଶ ଯିବା ପାଇଁ ଓଡ଼ିଶାରେ ଯେଉଁ ପାର୍ସଲ୍‌ଗୁଡ଼ିକ ବୁକିଙ୍ଗ ହେଉଛି ତାହା କୋଲକାତାରେ ଥିବା ଫରେନ୍ ପୋଷ୍ଟ୍‌ ଅଫିସ୍‌ରେ ପ୍ରକ୍ରିୟାକରଣ ହେଉଛି ଏବଂ ସେହିଠାରୁ ବିଦେଶକୁ ଯାଉଛି। ସେଥିପାଇଁ ବିଦେଶରେ ପାର୍ସଲ୍ ପହଞ୍ଚିବା ବିଳମ୍ବିତ ହେଉଛି। ଏହି ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟରେ ଏକ ଫରେନ୍ ପୋଷ୍ଟ୍‌ ଅଫିସ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏହାକୁ ସ୍ଥାପନ କରାଯିବ ବୋଲି ଓଡ଼ିଶା ଡାକ ମଣ୍ଡଳର ମୁଖ୍ୟ ମହାଡାକପାଳ ସନ୍ତୋଷ କାମିଲା କହିଛନ୍ତି। ସେହି ଡାକ ଘରେ କଷ୍ଟମର୍‌ କ୍ଲିୟରାନ୍ସ ସୁବିଧା ରହିବ। ଫଳରେ ବିଦେଶ ଯିବା ପାଇଁ ଓଡ଼ିଶାରେ ବୁକିଙ୍ଗ ହେଉଥିବା ପାର୍ସଲ୍‌ଗୁଡ଼ିକର ଶୀଘ୍ର ପ୍ରକ୍ରିୟାକରଣ ହୋଇପାରିବ।

ଆଜି ଆୟୋଜନ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାମିଲା କହିଲେ, ପାର୍ସଲ ମେଲ୍‌ର ଶୀଘ୍ର ପ୍ରକ୍ରିୟାକରଣ ପାଇଁ ଭୁବନେଶ୍ବରରେ ଗୋଟିଏ ଜାତୀୟ ପାର୍ସଲ୍ ହବ୍ ‌ଖୋଲାଯାଇଥିବା ବେଳେ କଟକ, ଯାଜପୁର ରୋଡ୍, ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର ଓ ଜୟପୁରରେ ୭ଟି ରାଜ୍ୟ ପାର୍ସଲ୍ ହବ୍ ସ୍ଥାପନ କରାଯାଇଛି। ଭୁବନେଶ୍ବରର ସତ୍ୟନଗର, ରସୁଲଗଡ଼ ଓ ବରମୁଣ୍ଡାରେ ନଟି ନୋଡାଲ୍‌ ଡେଲିଭରି କେନ୍ଦ୍ର ସ୍ଥାପନ କରାଯାଉଛି। ସ୍ପିଡ୍‌ ପୋଷ୍ଟ୍‌ ମେଲ୍‌ଗୁଡ଼ିକର ଶୀଘ୍ର ପ୍ରକ୍ରିୟାକରଣ ପାଇଁ ଚଳିତ ବର୍ଷ ରସୁଲଗଡ଼ର ପୋଷ୍ଟାଲ୍ ପ୍ରିଣ୍ଟିଂ ପ୍ରେସ୍‌ରେ ଓ ରାଉରକେଲାରେ ନ୍ୟାସନାଲ୍ ସର୍ଟିଂ ହବ୍ ସ୍ଥାପନ କରାଯାଇଛି। ୨୦୧୮-୧୯ରେ ଓଡ଼ିଶା ଡାକ ସର୍କଲ୍ ତରଫରୁ ମାଣିଆବନ୍ଧ, ଚୋରମରା, କଲରାବାଙ୍କ ଓ ବ୍ୟାସ ବିହାରରେ ଚାରିଟି ନୂଆ ବିଭାଗୀୟ ଡାଘ ଘର ଖୋଲିବାକୁ ଅନୁମୋଦନ ପ୍ରଦାନ କରାଯାଇଛି।

ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ରାୟଗଡ଼ା ପୋଷ୍ଟାଲ୍ ଡିଭିଜନ ସ୍ଥାପନ କରାଯାଇଥିବା ବେଳେ ଚଳିତ ମାସରେ ରାଉରକେଲାରେ ଏକ ଡିଭିଜନ୍ ସ୍ଥାପନ କରାଯାଇଛି। ଏଥି ସହିତ ରାଜ୍ୟରେ ମୋଟ ଡାକ ଡିଭିଜନ୍ ସଂଖ୍ୟା ୨୦ରେ ପହଞ୍ଚିଛି। ଭୁବନେଶ୍ବର ଡାକ ମଣ୍ଡଳ ସର୍ବାଧିକ ରାଜସ୍ବ ଅର୍ଜନକାରୀ ଭାବେ ପୁରସ୍କୃତ ହୋଇଥିବା ସେ କହିଛନ୍ତି। ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ ବ୍ୟାଙ୍କର ପ୍ରଦର୍ଶନ ବିଷୟରେ ସେ କହିଛନ୍ତି ଯେ, ବର୍ତ୍ତମାନ ୬୯୫୯ ଡାକ ଘର ପେମେଣ୍ଟ୍‌ ବ୍ୟାଙ୍କର ଆକ୍‌ସେସ୍‌ ପଏଣ୍ଟ୍‌ ଭାବେ କାମ କରୁଛି। ରାଜ୍ୟରେ ଏହି ପେମେଣ୍ଟ୍‌ ବ୍ୟାଙ୍କ ୨ ଲକ୍ଷ ୯ ହଜାର ୪୯୮ଟି ଖାତା ଖୋଲିଛି। ୨୦୧୮-୧୯ରେ ରାଜ୍ୟରେ ୪୩୫୯ ଜଣଙ୍କୁ ଗ୍ରାମୀଣ ଡାକ ସେବକ ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ବିଶ୍ବକପ ହକି, ପାଇକ ବିଦ୍ରୋହ ଉତ୍କଳ ବିଶ୍ବବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ତିନିଟି ସ୍ମରଣୀକା ଡାକ ଟିକଟ ଉନ୍ମୋଚନ କରାଯାଇଥିଲା। ଏହା ବ୍ୟତୀତ ୪୫ଟି ସ୍ବତନ୍ତ୍ର ଡାକ ଲଫାକା ଉନ୍ମୋଚନ କରାଯାଇଥିବା ବେଳେ ୪ଟି ମାଇଁ ଷ୍ଟାମ୍ପ୍ କାଉଣ୍ଟର୍‌ ଖୋଲାଯାଇଥିଲା। ଲୋକମାନଙ୍କୁ ସୁବିଧାରେ ପାସପୋର୍ଟ ପ୍ରଦାନ କରିବା ପାଇଁ ୨୦ଟି ଡାକ ଘର ପାସପୋର୍ଟ ସେବା କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟର ୪୭୩ଟି ଡାକ ଘରେ ଆଧାର ପଞ୍ଜୀକରଣ ଓ ଅପ୍‌ଡେଟ୍ କରିବା ସୁବିଧା ଯୋଗାଇ ଦିଆଯାଉଛି। ୧୯ଟି ଡାକ ଘରେ ରେଳ ଟିକଟ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ବର୍ଷ ଓଡ଼ିଶା ଡାକ ମଣ୍ଡଳର ମୋଟ ରାଜସ୍ବ ୫.୮୧% ବଢ଼ିଥିବା ବେଳେ ସ୍ପିଡ୍ ପୋଷ୍ଟ କାରବାରରେ ୧୦% ବୃଦ୍ଧି ହୋଇଛି।

ଏହି ଅବସରରେ ବ୍ରହ୍ମପୁର ଚିଫ୍ ପିଏମ୍‌ଜି କର୍ଣ୍ଣେଲ ଜଳେଶ୍ବର କହଁର ଓ ପିଏମ୍‌ଜି ଜି ଗୁରୁନାଥନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର