ଭୁବନେଶ୍ୱର : ଗତ କିଛିଦିନ ଭିତରେ ଓଡ଼ିଶାକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରେ ସିଂହ ଭାଗ ଭୁବନେଶ୍ୱରରେ ଅଛନ୍ତି। ହେଲେ ରାଜଧାନୀକୁ ଆସିଥିବା କେତେ ଜଣ ଫେରନ୍ତାଙ୍କୁ ଠାବ କରାଯାଇ ସେମାନଙ୍କ ଟେଷ୍ଟିଂ କରାଯାଇଛି ସେ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ବିଏମ୍‌ସି କୌଣସି ତଥ୍ୟ ଦେଉ ନ ଥିବା ଅଭିଯୋଗ ଉଠିଲାଣି। ତେଣୁ ବିଦେଶ ଫେରନ୍ତାଙ୍କ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଲାଗି ଆଜି ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ବୈଠକ ବସିବ ବୋଲି ସୂଚନା ମିଳିଛି।

Advertisment

କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାଜନକ ପ୍ରଜାତି ଘୋଷଣା କରିବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଥିଲା। ଯେଉଁ ଯେଉଁ ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍ ଚିହ୍ନଟ ହୋଇଛି ସେସବୁ ଦେଶ(ଆଟ୍‌ ରିସ୍କ)ରୁ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ୧୫ଶହରେ ପହଞ୍ଚିଲାଣି। ସେମାନଙ୍କୁ ଟ୍ରାକିଂ କରି ଆରଟି-ପିସିଆର ପରୀକ୍ଷା କରିବା ଲାଗି ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ହେଲେ ଅନେକଙ୍କ ପତ୍ତା ମିଳୁ ନ ଥିବାରୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅନେକ ନିଜର ଭୁଲ୍ ଠିକଣା/ନମ୍ବର ଦେଇଥିବା ବେଳେ ଯୋଗାଯୋଗ ସମୟରେ ସେମାନେ ରାଜ୍ୟ ବାହାରେ ଥିବା କହୁଛନ୍ତି। ଯେହେତୁ ଦେଶ ବାହାରକୁ ନ ଯାଇ ମଧ୍ୟ ଦେଶରେ କିଛି ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରନ୍ତ ଥିବା ଚିହ୍ନଟ ହୋଇସାରିଲେଣି, ତେଣୁ ବିଦେଶ ଫେରନ୍ତାଙ୍କୁ ଯଥାଶୀଘ୍ର ଠାବ କରି ପରୀକ୍ଷା ନ କରାଗଲେ ତାହା ରାଜ୍ୟ ପାଇଁ ବିପଦ ଆଣିପାରେ। ଏହାସହ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ ବିପଦ ‌ଘନେଇବାରେ ଲାଗିଛି।

ଅପରପକ୍ଷରେ ଦୀପ ତଳ ଅନ୍ଧାର ଭଳି ବିଏମ୍‌ସିକୁ ଆସିଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀକୁ ଫେରିଥିବା ଲୋକମାନଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଯଦିଓ ବିମାନ ବନ୍ଦରରେ ଲୋକମାନଙ୍କ କୋଭିଡ ପରୀକ୍ଷା କରାଯାଉଛି, ମାତ୍ର ଅଷ୍ଟମ ଦିନ ପରୀକ୍ଷା ପାଇଁ ସେମାନଙ୍କୁ ଠାବ କରିବା ଜରୁରୀ ହୋଇପଡ଼ୁଛି। ଏ ପର୍ଯ୍ୟନ୍ତ କେତେଜଣ ଫେରନ୍ତାଙ୍କୁ ଠାବ କରାଗଲାଣି ତାହା ସଂପର୍କରେ ବିଏମ୍‌ସି ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ଆସନ୍ତାକାଲି ବିଏମ୍‌ସିର ଅଧିକାରୀମାନଙ୍କ ସହିତ ଏସଂପର୍କରେ ଆଲୋଚନା କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟରେ କୌଣସି ବ୍ୟକ୍ତି ଯଦି ‘ଓମିକ୍ରନ୍’ରେ ଆକ୍ରାନ୍ତ ହୁଅନ୍ତି ତାହାଲେ ‌ସଂପୃକ୍ତ ବ୍ୟକ୍ତି ଜଣକ ଗୃହ ପୃଥକବାସରେ ରହିପାରିବେ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ସରକାରୀ କୋଭିଡ ଚିକିତ୍ସା ବ୍ୟବସ୍ଥାରେ ସ୍ବତନ୍ତ୍ର ବ୍ଲକ୍ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ଗୃହ ପୃଥକବାସର ବ୍ୟବସ୍ଥା ନାହିଁ। ଓମିକ୍ରନ୍ ପ୍ରଜାତି ଡେଲ୍‌ଟାଠାରୁ ଅଧିକ ସଂକ୍ରାମକ। ତେଣୁ ଏଥିରେ ଆକ୍ରାନ୍ତ ହେଲେ କେତେ ପ୍ରତିଶତ ବ୍ୟକ୍ତି ହସ୍ପିଟାଲରେ ଭର୍ତି ହେବେ ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ନାହିଁ। ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମ୍ ଥିବାରୁ କୋଭିଡ ହସ୍ପିଟାଲକୁ ଷ୍ଟାଣ୍ଡବାଏରେ ରଖାଯାଇଛି। ଆବଶ୍ୟକସ୍ଥଳେ ୨/୩ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଡା.ମିଶ୍ର କହିଛନ୍ତି।
ରାଜ୍ୟରେ ଆଜି ୧୭୫ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୮୪ଜଣ ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ୧୦ଲକ୍ଷ ୫୨ହଜାର ୩୧୮କୁ ବୃଦ୍ଧି ପାଇଛି। ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁସଂଖ୍ୟା ୮୪୪୦ରେ ପହଞ୍ଚିଛି।