ବିଦେଶ ଫେରନ୍ତା ନେଇପାରିବେ ‘କୋଭିସିଲ୍‌ଡ’ର ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଯେଉଁ ଭାରତୀୟ ନାଗରିକ ବିଦେଶରେ କୋଭିସିଲ୍‌ଡ/ଆଷ୍ଟ୍ର‌ାଜେନିକାର ପ୍ରଥମ ଡୋଜ୍‌ ନେଇଛନ୍ତି, ସେମାନେ ଓଡ଼ିଶାରେ ଦ୍ବିତୀୟ ଡୋଜ୍ ନେଇପାରିବେ। ଏହାସହ ତାଙ୍କୁ ଟିକାକରଣ ସାର୍ଟିଫିକେଟ୍ ମଧ୍ୟ ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିର୍ଦେଶ ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି ଜାରି କରାଯାଇଛି। ଯେଉଁମାନେ ଭାରତ ବାହାରେ କୋଭିସିଲ୍‌ଡ/ଆଷ୍ଟ୍ରାଜେନିକା ଟିକା ନେଇଛନ୍ତି ସେମାନେ ଦ୍ବିତୀୟ ଡୋଜ୍ ପାଇଁ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ କରିପାରିବେ।

ଏବେ କୋଭିସିଲ୍‌ଡ ଦୁଇ ଡୋଜ୍ ଟିକା ଭିତରେ ୧୨-୧୬ ସପ୍ତାହର ବ୍ୟବଧାନ ରଖାଯାଇଛି। ତେଣୁ ଟିକାକରଣରେ ସାମିଲ ଥିବା ଅଧିକାରୀ, ମ୍ୟାନେଜର, ଟିକା ପ୍ରଦାନକାରୀ ଓ ଯାଞ୍ଚକାରୀଙ୍କୁ ଏ ସଂପର୍କରେ ସୂଚନା ଦେବା ଲାଗି କୁହାଯାଇଛି। ଏହା ପୂର୍ବର ରାଜ୍ୟ ସରକାର ବିଦେଶରେ ପାଠପଢ଼ା କିମ୍ବା ନିଯୁକ୍ତି ପାଇଁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ଦ୍ବିତୀୟ ଡୋଜ୍ ପାଇଁ ୮୪ଦିନର ବ୍ୟବଧାନକୁ ୨୮ଦିନକୁ ହ୍ରାସ କରିଥିଲେ। ଏହାସହ ରାଜ୍ୟରେ କାର୍ଯ୍ୟ କରୁଥିବା ନେପାଳର ନାଗରିକମାନଙ୍କୁ ମଧ୍ୟ ଟିକା ଦେବାକୁ ନିର୍ଦେଶ ଦେଇଥିଲେ।

ଅପରପକ୍ଷରେ ରାଜ୍ୟରେ ଶନିବାର ୯୨୫ ଟିକାକରଣ ଅଧିବେଶନରେ ୧ଲକ୍ଷ ୫୧ହଜାର ୩୧୩ଜଣ କରୋନା ଟିକା ନେଇଛନ୍ତି। ଏଥିରେ ୧୮-୪୪ବର୍ଗର ୭୪,୭୧୦ଜଣ ପ୍ରଥମ ୧୮,୦୯୩ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୧୭,୩୪୮ଜଣ ପ୍ରଥମ ଓ ୩୯,୨୬୭ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୫୨ଲକ୍ଷ ୭୫ହଜାର ୭୩୯ ଡୋଜ୍ ଟିକା ଦିଆଗଲାଣି। ସେହିପରି ଆସନ୍ତାକାଲି ରବିବାର ସତ୍ବେ ୫୦ ଟିକାକରଣ ଅଧିବେଶନ ଅନୁଷ୍ଠିତ‌ ହେବ। ଏଥିରେ ପୁରୀରେ ୪୫ ଓ ରାୟଗଡ଼ାରେ ୫ ଅଧିବେଶନରେ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର