ରାୟଗଡ଼ା : ରାୟଗଡ଼ା ବୁଲିବାକୁ ଆସିଥିବା ଋଷିୟ ପର୍ଯ୍ୟଟକ ବ୍ଲାଡିମିର ବିଦାନୋଭଙ୍କ ଗୁରୁବାର ହୋଟେଲରେ ମୃତ୍ୟୁ ହୋଇଛି। ଅସୁସ୍ଥତା କାରଣ ନା ଅନ୍ୟ କେଉଁ କାରଣ ପାଇଁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ କରୁଛି ପୁଲିସ। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଶନିବାର ପର୍ଯ୍ୟଟକଙ୍କ ପରିବାର ରାୟଗଡ଼ାରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି କହିଛନ୍ତି ରାୟଗଡ଼ା ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ।
ଋଷିୟ ପର୍ଯ୍ୟଟକ ବ୍ଲାଡିମିର ବିଦାନୋଭ ସାଥୀମାନଙ୍କ ସହିତ ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ରାୟଗଡ଼ା ଆସିଥିଲେ। ୪ ବିଦେଶୀ ପର୍ଯ୍ୟଟକ ସାଇ ଇଣ୍ଟର ନ୍ୟାସନାଲ ହୋଟେଲର ୨୦୩ ନଂ ରୁମରେ ରହିଥିଲେ। ଗତକାଲି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁଲିସ ସୂଚନା ପାଇଁ ହୋଟେଲକୁ ଯାଇଥିଲା। ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ରଖାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି। ତେବେ ଜଣେ ବିଦେଶୀ ପର୍ଯ୍ୟଟକ ରାୟଗଡ଼ାରେ ମୃତ୍ୟୁ ହେବା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି।