ରାୟଗଡ଼ା : ରାୟଗଡ଼ା ପରିଦର୍ଶନରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ଗୁରୁବାର ରାୟଗଡ଼ାର ଏକ ହୋଟେଲରେ ମୃତ୍ୟୁ ହୋଇଛି। ମୃତ ପର୍ଯ୍ୟଟକଙ୍କ ନାମ ବ୍ଲାଡିମିର୍ ବିଦାନୋଭା। ତାଙ୍କର ଘର ରୁଷିଆରେ ହୋଇଥିଲା ବେଳେ ବୟସ ୬୨ ବର୍ଷ। ଅସୁସ୍ଥତା କାରଣରୁ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗତ ୧୮ ତାରିଖରେ ରୁଷିଆର ୪ ପର୍ଯ୍ୟଟକ ଓଡ଼ିଶା ପରିଭ୍ରମଣରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ଭୁବନେଶ୍ବରରୁ ସେମାନେ ଦାରିଙ୍ଗିବାଡ଼ି ଯାଇ ବୁଲାବୁଲି କରିବାପରେ ରାୟଗଡ଼ା ଆସିଥିଲେ। ବୁଧବାର ସନ୍ଧ୍ୟାରେ ସମସ୍ତ ପର୍ଯ୍ୟଟକ ରାୟଗଡ଼ାରେ ପହଞ୍ଚିବା ପରେ ହୋଟେଲରେ ରହୁଥିଲେ। ଗୁରୁବାର ପୂର୍ବାହ୍ନରେ ବିଦାନୋଭା ଅସୁସ୍ଥ ଅନୁଭବ କରିବାସହ ହୋଟେଲ୍ ରୁମରେ ଅଣନିଶ୍ବାସୀ ହୋଇ ପଡ଼ିଯାଇଥିଲେ। ବିଦାନୋଭାଙ୍କ ସହ ଥିବା ସାଥୀ ପର୍ଯ୍ୟଟକ ଏ ସଂପର୍କରେ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାପରେ ଆମ୍ବୁଲାନ୍ସ ଜରିଆରେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବିଦାନୋଭାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ପୁଲିସ ମୃତଦେହକୁ ଜବତ କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ରଖିଛି। ଏ ସଂପର୍କରେ ରାୟଗଡ଼ା ଜିଲ୍ଲା ପୁଲିସ୍ ରୁଷିଆ ରାଷ୍ଟ୍ରଦୂତଙ୍କୁ ଇ-ମେଲ୍ ଜରିଆରେ ଅବଗତ କରିଛି। ବିଦାନୋଭାଙ୍କ ପୁଅକୁ ଛାଡ଼ିଲେ ରୁଷିଆରେ ପରିବାରରେ ଆଉ କେହି ନଥିବାରୁ ରାୟଗଡ଼ାରେ ହିଁ ଶବ ବ୍ୟବଚ୍ଛେଦ ଏବଂ ଶେଷକୃତ୍ୟ ହେବ ବୋଲି ଜଣାପଡିଛି। ଆସନ୍ତାକାଲି ରୁଷିଆ ରାଷ୍ଟ୍ରଦୂତ ଏ ସଂପର୍କରେ ଅବଗତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ।