ସ୍ବର୍ଗଦ୍ବାରର ଚିତାଗ୍ନି ଦେଖି ଭାବପ୍ରବଣ ହୋଇ ପଡ଼ିଲେ ବିଦେଶୀ ପର୍ଯ୍ୟଟକ

ପୁରୀ: ପୁରୀ ସ୍ୱର୍ଗଦ୍ୱାର ପ୍ରତିଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ। ବିଶ୍ୱାସ ରହିଛି ଏଠାରେ ମୃତଦେହ ଦାହ କଲେ ଆତ୍ମା ମୋକ୍ଷ ପ୍ରାପ୍ତି ହେଇଥାଏ। ଏହି ବିଶ୍ୱାସକୁ ନେଇ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ମୃତଦେହ ଏଠାରେ ସତ୍କାର ହୁଏ। ଏଠି ସବୁବେଳେ ଦେଖିବାକୁ ମିଳେ ଭାବ ଗମ୍ଭୀର ପରିବେଶ। ନିଜ ଲୋକଙ୍କୁ ହରାଇଥିବା ପରିଜନ ଦୁଃଖ ଓ କୋହକୁ ଚାପି ରଖି ଏଠି ସଂସ୍କାର କରିଥାନ୍ତି ଓ ପରେ ଏଠୁ ବିଦାୟ ନେଇଥାନ୍ତି। ଇଏ ହେଉଛି ପୁରୀ ସ୍ୱର୍ଗଦ୍ୱାରର ନୀତି ଦିନିଆ କାହାଣୀ।


TripAdvisor

ହେଲେ ଆଜି ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ସ୍ୱର୍ଗଦ୍ୱାର ପରିସରରେ କିଛି ବିଦେଶୀ ପର୍ଯ୍ୟଟକ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଳୁଥିବା ଚିତା, ବନ୍ଧା ଯାଇଥିବା କୋକେଇ ଓ ଚିର ନିଦ୍ରାରେ ଶୋଇଥିବା ପାର୍ଥିବ ଶରୀରକୁ ନିଜ କ୍ୟାମେରାରେ କଏଦ କରି ଭାବବିହ୍ୱଳ ହୋଇ ପଡ଼ିଥିଲେ ବିଦେଶୀ ପର୍ଯ୍ୟଟକ ଏବଂ ସ୍ୱର୍ଗଦ୍ୱାର ସମ୍ପର୍କରେ ଜାଣିବାକୁ ମଧ୍ୟ ଚେଷ୍ଟା କରୁଥିଲେ। ଏହି ବିଦେଶୀ ପର୍ଯ୍ୟଟକମାନେ ନେଦରଲାଣ୍ଡରୁ ଭାରତକୁ ବୁଲି ଆସିଥିବା ବେଳେ ଆଜି ପୁରୀରେ ପହଞ୍ଚିଥିଲେ । ଆଉ ଏମାନଙ୍କୁ ଗାଇଡ କରୁଥିବା ବ୍ୟକ୍ତି ସମସ୍ତଙ୍କୁ ସ୍ୱର୍ଗଦ୍ୱାରକୁ ଆଣିଥିଲେ । ଜଳୁଥିବା ଜୁଇ ନିକଟରେ ଛିଡା ହୋଇ ହିନ୍ଦୁ ଧର୍ମ ଓ ଶବ ସଂସ୍କାର ଉପରେ ବେଶ କିଛି ସମୟ ଧରି ବୁଝିଥିଲେ ଏହି ପର୍ଯ୍ୟଟକମାନେ । ସ୍ୱର୍ଗଦ୍ୱାର ମଣିଷର ଶେଷ ଠିକଣା ଜାଣିବା ପରେ କିଛି ପର୍ଯ୍ୟଟକ ଜଳୁଥିବା ଚିତାକୁ ନମସ୍କାର କରିଥିଲେ ଆଉ କିଛି ପର୍ଯ୍ୟଟକ କ୍ୟାମେରାରେ ସାଉଣ୍ଟିଥିଲେ ସ୍ୱର୍ଗଦ୍ୱାରର ଇତିହାସ । ସ୍ୱର୍ଗଦ୍ୱାରରେ ପ୍ରାୟ ଦେଢ ଘଣ୍ଟା ବିତାଇବା ପରେ କୋଲକାତା ଅଭିମୁଖେ ବାହାରିଯାଇଥିଲେ ଏହି ବିଦେଶୀ ପର୍ଯ୍ୟଟକ ଦଳ ।

ସମ୍ବନ୍ଧିତ ଖବର