ଭୁବନେଶ୍ବର : ରାଜ୍ୟରେ ଶସ୍ତା ହେବାକୁ ଯାଉଛି ବିଦେଶୀ ମଦ। ନୂତନ ଅବକାରୀ ନୀତି(୨୦୨୨-୨୩)ରେ ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପଡ଼ୋଶୀ ରାଜ୍ୟ ସହ ଆମ ରାଜ୍ୟରେ ଥିବା ଦର ପ୍ରଭେଦକୁ ଦୂର କରିବା ଓ ଉତ୍ତମମାନର ମଦ ଯୋଗାଇବା ପାଇଁ ଏହି ଶୁଳ୍କ ହ୍ରାସ ହୋଇଥିବା କୁହାଯାଇଛି। ତେବେ ଆମ ରାଜ୍ୟରେ ତିଆରି ହେଉଥିବା ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ଉପରେ ଶୁଳ୍କ ଅପରିବର୍ତ୍ତିତ ରହିଛି। ଏଣୁ ଆଇଏମ୍‌ଏଫ୍‌ଏଲ୍‌ ଶସ୍ତା ହେବ ନାହିଁ।
ପୂର୍ବରୁ ବିଦେଶରେ ତିଆରି ମଦର ଦର ଉଚ୍ଚା ରହୁଥିଲା। ଏହାକୁ ସାଧାରଣ ଗ୍ରାହକ ଉପଭୋଗ କରିପାରୁନଥିଲେ। ନୂଆ ନୀତିରେ ନାଗରିକଙ୍କର ସ୍ବାସ୍ଥ୍ୟ ପ୍ରତି ସରକାର ଯତ୍ନବାନ୍‌ ହୋଇ ସାଧାରଣ ଗ୍ରାହକ ଯେଭଳି କମ୍‌ ଦାମ୍‌ରେ ଉତ୍ତମ ମାନର ମଦ ପାଇପାରିବେ ସେ ବ୍ୟବସ୍ଥା କରିଛନ୍ତି।

Advertisment

ନୂଆ ନୀତିରେ ଲାଇସେନ୍ସ ଫି, ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟେଡ୍‌ କୋଟା), ପ୍ରସ୍ତୁତକାରୀ ସଂସ୍ଥା, ଯୋଗାଣକାରୀ ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଦେୟ ବଢ଼ିଛି। ଭୁବନେଶ୍ବର‌, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ରିମିୟମ ଅଫ୍‌ ସପ୍‌ ଖୋଲାଯିବାକୁ ମଧ୍ୟ ବ୍ୟବସ୍ଥା ରହିଛି। ସେହିଭଳି ମାଇକ୍ରୋ ବ୍ରେଭେରି ପଲସି ମଧ୍ୟ ପରିବର୍ତ୍ତନ ହୋଇଛି। ରେସ୍ତୋରାଁ ବିନା ବର୍ଷକୁ ୫ ଲକ୍ଷ ହିସାବରେ ଠିପି ଖୋଲା ମଦ ଦୋକାନ(ଅନ୍‌ ସପ୍‌) ଖୋଲିବାର ସୁଯୋଗ ସୃଷ୍ଟି କରାଯାଇଛି। ପୂର୍ବରୁ ରେସ୍ତୋରାଁ ବିନା ଏହି ଅନ୍‌ ସପ୍‌ ଖୋଲା ଯାଇ ପାରୁନଥିଲା। ସେହିଭଳି ବାର୍‌ ଲାଇସେନ୍ସ ଦେୟ ମଧ୍ୟ କମ୍‌ କରାଯାଇଛି। ସେହିଭଳି ପରମିଟ୍‌, ପାସ୍‌, ଲାଇସେନ୍ସ, ଦେୟ ପ୍ରଦାନ ପ୍ରଭୃତି ୫ଟି ଅଧୀନରେ ରହିବ।

publive-image quora.com

ନୂଆ ନୀତି ଅନୁସାରେ ଅବକାରୀ ବିଭାଗକୁ ମଜବୁତ୍‌ କରିବାକୁ ଯୋଜନା ହୋଇଛି। ତା ସହିତ ଗୁଇନ୍ଦା ସଂଗ୍ରହ, ଉତ୍ତମ ଭିତ୍ତିଭୂମି, ଏନ୍‌ଫୋର୍ସମେଣ୍ଟ ପାଇଁ କର୍ମଚାରୀ ନିୟୋଜିତ ସହ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ସ୍ଥିର କରାଯାଇଛି। ଓଡ଼ିଶା ବଜାରରେ ଯେଭଳି ଅନଭିଜ୍ଞ ଯୋଗାଣକାରୀ ସଂସ୍ଥା ପ୍ରବେଶ ନ କରିବେ ସେଥିପାଇଁ ବ୍ରାଣ୍ଡ ପଞ୍ଜୀକରଣ କରିବା ବ୍ୟବସ୍ଥାରେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରାଯାଇଛି।

ଠାକୁରଙ୍କ ନାଁ କିମ୍ବା କୌଣସି ବିଶିଷ୍ଟ ଲୋକଙ୍କ ନାମରେ କୌଣସି ମଦଦୋକାନ ନାଁ ଦିଆଯିବନି। ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ କଲା ଭଳି କୌଣସି ନାଁ ରହିଲେ ତାହାକୁ ପଞ୍ଜୀକରଣ କରାଯିବନି। କୌଣସି ଦୋକାନୀ ସରକାରୀ ମଦ ଦୋକାନ ନୁହେଁ ବରଂ ସ୍ବୀକୃତିପ୍ରାପ୍ତ ଲେଖିବେ। ପୂର୍ବ ଭଳି ହୋମ୍‌ ଡେଲିଭରି ମଧ୍ୟ ଜାରି ରହିବ।
ପ୍ରତ୍ୟେକ ବୋତଲ ଉପରେ ସର୍ବାଧିକ ଖାଉଟି ମୂଲ୍ୟ ଲେଖା ରହିବ। ଏହି ଦର ଠାରୁ ଅଧିକ ଦରରେ ବିକ୍ରି ହେବ ନାହିଁ। ଯିଏ ରସିଦ୍‌ ମାଗିବ ଦୋକାନୀ ଦେବାକୁ ବାଧ୍ୟ। ଦୋକାନୀ ରସିଦ୍‌ ନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନୂଆ ନୀତିରେ ସ୍ପଷ୍ଟ କରାଯାଇଛି।