ଗଙ୍ଗାମାତା ମଠ ସୁଡ଼ଙ୍ଗରେ ବିଦେଶୀ ! ମଠରୁ ରତ୍ନବେଦୀ ପର୍ଯ୍ୟନ୍ତ ଲମ୍ବିଥିବା କଥା ସତ ନା ମିଛ ?

ପୁରୀ : ସରକାରଙ୍କୁ ଘାରିଛି ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା। କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ତିଆରି ହେଉଛି ଐତିହ୍ୟ କରିଡର୍‌। ୭୫ ମିଟର ସୁରକ୍ଷା ବଳୟ ବା କରିଡର୍ ସହ ମନ୍ଦିର ଚାରିପାଖକୁ ଚକାଚକ କରାଯାଉଛି। ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଖଞ୍ଜି ଦିଆଯାଇଛି। ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦିଆ ଯାଉଥିବା ବେଳେ ଅନ୍ୟ ପଟେ କିନ୍ତୁ ସୁଡ଼ଙ୍ଗ ମେଲା ପଡ଼ିଛି। ଗଙ୍ଗାମାତା ମଠରୁ ରତ୍ନବେଦୀ ପର୍ଯ୍ୟନ୍ତ ଥିବା ସୁଡ଼ଙ୍ଗ ଏବେ ଦର୍ଶନୀୟ ସ୍ଥାନ ପାଲଟିଛି। ଏପରିକି ଏହି ରାସ୍ତା ଦେଇ କେମିତି ଶ୍ରୀମନ୍ଦିର ରତ୍ନବେଦୀକୁ ଯାଇ ହେବ ସେ ବାଟ ବିଦେଶୀଙ୍କୁ ଦେଖାଯାଉଛି। ସୁଡ଼ଙ୍ଗକୁ ନେଇ ରହିଥିବା ବିଶ୍ବାସକୁ ସତ ବୋଲି ମଠାଧୀଶ ଓ ଅନ୍ୟ କର୍ମଚାରୀ ଧାରଣା ସୃଷ୍ଟି କରିଛନ୍ତି।

ଗଙ୍ଗାମାତା ମଠର ଏ ସୁଡ଼ଙ୍ଗ ଯଦି ରତ୍ନବେଦୀ ପର୍ଯ୍ୟନ୍ତ ପହଞ୍ଚୁ ଥାଏ, ତେବେ ଶ୍ରୀମନ୍ଦିର ସୁରକ୍ଷା ଏକ ପ୍ରକାର ବାଜିରେ ଲାଗିଛି। ଯଦି ଏହା ସତ ନୁହେଁ ତେବେ ଏହି ସୁଡ଼ଙ୍ଗକୁ ନେଇ ଦେଶୀ ଓ ବିଦେଶୀ ନାଗରିକଙ୍କୁ ଭ୍ରମିତ କରାଯାଉଛି। କୋଟି କୋଟି ଟଙ୍କା ବ୍ୟୟରେ ସରକାରଙ୍କ ଶ୍ରୀମନ୍ଦିର ସୁରକ୍ଷା ଓ ବାହାରର ପରିବେଶକୁ ଏହି ଗୁପ୍ତ ସୁଡ଼ଙ୍ଗ ଏକ ପ୍ରକାର ଆହ୍ବାନ ଦେଇଛି। ସୁଡଙ୍ଗ ଯଦି ସତ ନୁହେଁ ତେବେ ଭକ୍ତଙ୍କୁ ଏଭଳି ଭ୍ରମିତ କରା ନଯାଉ। ଯଦି ସତ, ସରକାର ଏହାକୁ ତୁରନ୍ତ ବନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ପ୍ରକାଶ‌ ଯେ, ଗତ ୯ ତାରିଖରେ କିଛି ବିଦେଶୀ ନାଗରିକ ବିଭିନ୍ନ ମଠ ବୁଲୁଥିଲେ। ସେମାନେ ଗଙ୍ଗାମାତା ମଠ ବୁଲୁଥିବା ବେଳେ ତାଙ୍କୁ ଗଙ୍ଗାମାତା ମଠର ସେହି ଗୁପ୍ତ ସୁଡ଼ଙ୍ଗ‌ ସଂପର୍କରେ ବର୍ଣ୍ଣନା କରାଯାଇଥିଲା। ଏହି ମଠରୁ ଏକ ସୁଡ଼ଙ୍ଗ ଶ୍ରୀମନ୍ଦିର ରତ୍ନ ସିଂହାସନ, ଶ୍ୟାମାକାଳୀ ବା ପୁରୁଣା ରାଜବାଟୀ ପର୍ଯ୍ୟନ୍ତ ରାସ୍ତା ଥିବା ସୂଚନା ଦିଆ ଯାଇଥିଲା। କିଛି ବିଦେଶୀ ନାଗରିକ ଉତ୍ସୁକତାର ସହ ଏହି ସୁଡ଼ଙ୍ଗ ଭିତରେ ପଶି ଶ୍ରୀମନ୍ଦିର ଭିତରକୁ କେମିତି ଯାଇହେବ ତା’ର ସ୍ଥିତି ଦେଖିଥିଲେ। କିଛି ବିଦେଶୀ ନାଗରିକ ସୁଡ଼ଙ୍ଗ ଭିତ‌‌ରେ କିଛି ବାଟ ପ୍ରବେଶ କରିଥିଲେ। ତେବେ ବିଦେଶୀ ନାଗରିକଙ୍କ ଏ ଉତ୍ସୁକତା ଶ୍ରୀମନ୍ଦିର ସୁରକ୍ଷା ପାଇଁ କାଳ ନ ହେଉ ସେ କଥା ଏବେ ଆଲୋଚନା‌ ହେଉଛି।

ସୂଚନାଯୋଗ୍ୟ, ପୁରୀ ବାଲିସାହିର ପବିତ୍ର ଶ୍ବେତଗଙ୍ଗା ପୁଷ୍କରିଣୀ ସମ୍ମୁଖ‌ରେ ଗଙ୍ଗାମାତା ମଠ ରହିଛି। ପ୍ରାୟ ୫୦୦ ବର୍ଷର ପୁରୁଣା। ଏହି ମଠକୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପ୍ରତିଷ୍ଠା କରିଥିଲେ। ଏଠାରେ ଶ୍ରୀ ଚୈତନ୍ୟ ନିୟମିତ ଆସୁଥିଲେ। ତେବେ ଏହି ମଠକୁ ନେଇ ଏକ ଜନଶ୍ରୁତି ରହିଛି। ଏପରିକି ଏହାର ଐତିହାସିକ ପ୍ରମାଣ ଥିବା କୁହାଯାଉଛି। ସୂଚନା ଅନୁଯାୟୀ ଏଠାରେ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି, ଯାହା ଏବେ ମଧ୍ୟ ଦେଖିବାକୁ ମିଳେ। ଏହି ସୁଡ଼ଙ୍ଗଟି ପୁରୁଣା ରାଜବାଟି (ଅଷ୍ଟଶମ୍ଭୁ ଓ ଶ୍ୟାମାକାଳୀ ମନ୍ଦିର) ଭିତରେ ଥିଲା। ଏହି ସୁଡ଼ଙ୍ଗକୁ ବିପତ୍ତି ସମୟରେ ରାଜା, ରାଜଗୁରୁ ଓ ସେନାପତିମାନେ ବ୍ୟବହାର କରୁଥିଲେ। ସୁଡ଼ଙ୍ଗ ଭିତରେ ଏକ ଗୁରୁ ଗୃହ ରହିଛି, ଯେଉଁଠି ରାଜା ବାହ୍ୟ ଆକ୍ରମଣରେ ବେଳେ ଚର୍ଚ୍ଚା କରନ୍ତି। ଜୟୀ ରାଜଗୁରୁ ମଠ ମହନ୍ତ ନରୋତ୍ତମ ଦାସଙ୍କୁ ଲେଖିଥିବା ଚିଠିରୁ ଏହି ମଠ ଗୁପ୍ତ ସୁଡ଼ଙ୍ଗ ସଂପର୍କରେ ମଧ୍ୟ ସମ୍ୟକ୍‌ ସୂଚନା ମିଳିଛି। କାଳକ୍ରମେ ଏହି ଗୁପ୍ତ ସୁଡ଼ଙ୍ଗଟିକୁ ଏବେ ବନ୍ଦ କରି ଦିଆଯାଇଛି। ତେବେ ଗୁପ୍ତ ସୁଡ଼ଙ୍ଗ ରହସ୍ୟ ଉପ‌ରୁ ଏବେ ଯବନିକା ଟାଣିବାର ସମୟ ଆସିଛି। ଏହା ଜନଶ୍ରୁତି ନା ବାସ୍ତବତା ସେ ନେଇ ବିଭାଗୀୟ କର୍ତ୍ତୃପକ୍ଷ ସ୍ପଷ୍ଟ ନ କଲେ ଶ୍ରୀମନ୍ଦିର ସୁରକ୍ଷା ପୁଣି ବିପଦ ଭିତରକୁ ଠେଲି ହୋଇଯିବ ବୋଲି ଆଶଙ୍କା ପ୍ରକଟ କରାଯାଉଛି।

ସମ୍ବନ୍ଧିତ ଖବର