ପୁରୀ : ବିଦେଶରେ ବି ରହିଛି ଓଡ଼ିଆ ସଂସ୍କୃତିର ଆଦର। ଓଡ଼ିଆ ସଂସ୍କୃତିକୁ ବିଦେଶୀମାନେ ଅନୁସରଣ କରିବା ସହ ୧୨ ମାସରେ ‌୧୩ ପର୍ବକୁ ବି ଆଦରି ନେଇ ନିଷ୍ଠାର ସହ ପାଳନ କରୁଛନ୍ତି। ଚଳିତ ମାସରେ କାର୍ତ୍ତିକ ବ୍ରତ ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି। କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ଗହଳଚହଳ, ଭଜନକୀର୍ତ୍ତନରେ ମହାପ୍ରଭୁଙ୍କ ପବିତ୍ର ଶ୍ରୀକ୍ଷେତ୍ର ମାଟି ଆଧ୍ୟାତ୍ମିକ ପରିବେଶରେ ଭରି ଉଠିଥିବାବେଳେ ବିଦେଶୀମାନେ ବି ଏଥିପ୍ରତି ଆକୃଷ୍ଟ ହୋଇଛନ୍ତି। ବିଭିନ୍ନ ମଠରେ ରହି ନିଷ୍ଠାର ସହ ମାସେ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାନ୍ନ ସେବନ କରୁଛନ୍ତି। ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଚଉରା ମୂଳେ ରାଧାଦାମୋଦରଙ୍କୁ ପୂଜାର୍ଚ୍ଚନା ସହ ଭଜନକୀର୍ତ୍ତନ କରୁଛନ୍ତି। ବିଦେଶୀମାନଙ୍କ ଏଭଳି କାର୍ତ୍ତିକ ବ୍ରତ ପାଳନ ଭକ୍ତିଭାବର ଏକ ନିଆରା ପରିବେଶ ତିଆରିଛି।

Advertisment

ବିଶ୍ୱାସ ରହିଛି, ଏହି ପବିତ୍ର ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କଲେ କୋଟି ଜନ୍ମର ପୁଣ୍ୟ ମିଳେ। ଏଣୁ କେବଳ ଯେ ଉତ୍କଳୀୟ ଲୋକେ କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି ତା’ ନୁହେଁ, ବିଦେଶୀମାନେ ବି ଓଡ଼ିଶାର ଏହି ମହାନ ପରମ୍ପରା ପ୍ରତି ଆକୃଷ୍ଟ ହୋଇଛନ୍ତି। ରୁଷିଆ, ୟୁକ୍ରେନ୍‌, ଜାପାନ, ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନ ଭଳି ବଡ଼ ବଡ଼ ଦେଶରୁ ଆସିଥିବା ଏହି ବିଦେଶୀମାନେ ସ୍ବର୍ଗଦ୍ବାର ଗିରିଧାରୀ ମଠରେ ରହି ମାସ ଆରମ୍ଭରୁ କାର୍ତ୍ତିକ ବ୍ରତ ପାଳନ ସହ ଦୈନିକ ସିଂହଦ୍ବାରରେ ଭଜନକୀର୍ତ୍ତନ ଓ ପତିତପାବନଙ୍କୁ ଦର୍ଶନ କରୁଛନ୍ତି। ପରେ ହବିଷ୍ୟାନ୍ନ ଭାବେ ମଠରେ ମହାପ୍ରସାଦ ସେବନ କରୁଛନ୍ତି। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣଙ୍କ ନାମରେ ନିଜର ନାମକରଣ କରି ଭକ୍ତି ବେଦାନ୍ତ ସଂଗଠନ ସହ ଜଡ଼ିତ ହୋଇ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀଚୈତନ୍ୟ, ସ୍ବାମୀ ପ୍ରଭୁପାଦଙ୍କ ସଂପର୍କିତ ପୁସ୍ତକ ମାଗଣାରେ ଭକ୍ତମାନଙ୍କୁ ବାଣ୍ଟୁଛନ୍ତି।

ରୁଷିଆରୁ ଆସିଥିବା ବିଦେଶୀ ଭକ୍ତ ବୈଷ୍ଣବୀ ଚନ୍ଦ୍ରିକା କହିଛନ୍ତି, ଶ୍ରୀଜଗନ୍ନାଥ ଧାମ ପୁରୀରେ କାର୍ତ୍ତିକ ବ୍ରତ ପାଳନ ଆମ ପାଇଁ ସୌଭାଗ୍ୟର କଥା। ଏହା ଏକ ପବିତ୍ର ଧାମ। ଚୈତନ୍ୟ ମହାପ୍ରଭୁ ଏଠାକୁ ଆସି ଧର୍ମର ପ୍ରଚାରପ୍ରସାର କରିଛନ୍ତି। ଏଣୁ ଆମେମାନେ ଗିରିଧାରୀ ମଠରେ ରହି କାର୍ତ୍ତିକ ବ୍ରତ ପାଳନ ସହ ରାଧାଦାମୋଦରଙ୍କୁ ପୂଜାର୍ଚ୍ଚନା କରୁଛୁ। ହରିନାମ ସଂକୀର୍ତ୍ତନ କରୁଛୁ। ହିନ୍ଦୁ ଧର୍ମର ପ୍ରଚାରପ୍ରସାର ପାଇଁ ଭଗବତ ଗୀତା ଭଳି ଅନେକ ଧାର୍ମିକ ପୁସ୍ତକ ଭକ୍ତଙ୍କୁ ପ୍ରଦାନ କରୁଛୁ। ଅନ୍ୟ ଜଣେ ବିଦେଶୀ ଭକ୍ତ ଯମୁନାକୃଷ୍ଣା କହିଛନ୍ତି, ଭଗବାନଙ୍କୁ ପୂଜାର୍ଚ୍ଚନାରୁ ଯେଉଁ ଆନନ୍ଦ ମିଳେ, ଅନ୍ୟ କେଉଁଥିରୁ ମି‌ଳେନି। ଭଗବାନଙ୍କ ସହ ରହିଲେ କିଭଳି ଶାନ୍ତି ମିଳେ, ତାହା ଆମେ ଅନ୍ୟମାନଙ୍କୁ ଶିଖାଉଛୁ। କାର୍ତ୍ତିକ ବ୍ରତ ପାଳନ କରି ଆମେ ବିଶ୍ବଶାନ୍ତି ପାଇଁ ପ୍ରାର୍ଥନା କରୁଛୁ। ସକାଳେ ଓ ସନ୍ଧ୍ୟାରେ ଦୈନିକ ଚଉରା ମୂଳେ ପୂଜାର୍ଚ୍ଚନା କରୁଛୁ। ଗିରିଧାରୀ ମଠ ମହନ୍ତ କୃଷ୍ଣଚରଣ ଦାଶ କହିଛନ୍ତି, କାର୍ତ୍ତିକ ମାସରେ ପ୍ରତିମଠରେ ବିଦେଶୀମାନେ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ଚଳିତ ମାସରେ ୨୦ରୁ ଅଧିକ ବିଦେଶୀ ଭକ୍ତ ଗିରିଧାରୀ ମଠକୁ ଆସି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ଦୈନିକ ବଡ଼ି ଭୋରରୁ ନିତ୍ୟକର୍ମ ସାରି ଚଉରା ମୂଳେ ରାଧା ଦାମୋଦର ପୂଜା କରୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ଭଜନକୀର୍ତ୍ତନ କରୁଛନ୍ତି। ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ମଠ ତରଫରୁ ଏହି ବିଦେଶୀ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ବୃନ୍ଦାବତୀ ଓ ଆକାଶ ଦୀପର ବ୍ୟବସ୍ଥା କରାଯାଇଛି ବୋଲି ମହନ୍ତ ଶ୍ରୀ ଦାଶ କହିଛନ୍ତି।