ଭୁବନେଶ୍ବର : ଉଚ୍ଚଶିକ୍ଷା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଶାନ୍ତ ପରିବେଶ ବାହାର ଦେଶର ପିଲାମାନଙ୍କୁ ଏଠାକୁ ଟାଣି ଆଣୁଛି। ପିଜି ହେଉ କି ପିଏଚ୍ଡି କିମ୍ବା ସ୍ନାତକ ଶିକ୍ଷା; ସବୁ କ୍ଷେତ୍ରରେ ଓଡ଼ିଶା ଏବେ ଆକର୍ଷଣ ପାଲଟିଛି। ଦେଶରେ ପଢ଼ିବାକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ପ୍ରତିଶତରୁ ଅଧିକ ଓଡ଼ିଶାକୁ ଆସୁଛନ୍ତି। ୨୦୧୮-୧୯ତୁଳନାରେ ୨୦୧୯-୨୦ ଶିକ୍ଷାବର୍ଷରେ ଅଧିକ ସଂଖ୍ୟକ ପିଲା ଓଡ଼ିଶା ଆସିଛନ୍ତି। ସ୍ନାତକ ପାଠ୍ୟକ୍ରମଗୁଡ଼ିକରେ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଅଧିକ ରହୁଥିବା ଦେଖିବାକୁ ମିଳିଛି। ପିଏଚ୍ଡି ପାଠ୍ୟକ୍ରମରେ ବି କିଛି ପିଲା ପଢ଼ୁଛନ୍ତି। ତେବେ ଏମ୍.ଫିଲ୍, ପିଜି ଡିପ୍ଲୋମା, ଡିପ୍ଲୋମା, ସାର୍ଟିଫିକେଟ୍ ଓ ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମରେ କେହି ବି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାକୁ ଆସୁନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଅଲ୍ ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ (ଏଆଇଏସ୍ଏଚ୍ଇ) ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।
ଖୁସିର ବିଷୟ, ଗୋଟିଏ ଶିକ୍ଷାବର୍ଷ ମଧ୍ୟରେ ଓଡ଼ିଶାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ୨୦୧୬-୧୭ରେ ୩୦୯ଜଣ ବିଦେଶୀ ପଢ଼ୁଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୫୩୬ରେ ପହଞ୍ଚିଥିଲା। ୨୦୧୯-୨୦ରେ ୧୧୫୯ ଜଣ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ୭୮୦ଜଣ ଛାତ୍ର ଓ ୩୭୯ଜଣ ଛାତ୍ରୀ ରହିଛନ୍ତି। ୫୮ଜଣ ପିଏଚ୍ଡି କରୁଥିବା ବେଳେ ଏମ୍.ଫିଲ୍ରେ କେହି ନାହାନ୍ତି। ସ୍ନାତକୋତ୍ତରରେ ୧୫୮ଜଣ ରହିଥିବା ବେଳେ ସ୍ନାତକରେ ୯୪୩ଜଣ ପଢ଼ୁଛନ୍ତି। ଭୁବନେଶ୍ବରରେ ଥିବା ଘରୋଇ ଓ ଡିମଡ୍ ବିଶ୍ବବିଦ୍ୟାଳୟ, ଜାତୀୟ ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ କମ୍ ଥିବା ଜଣାପଡ଼ିଛି।
ଦେଶର ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦୁଇଟି ସ୍ଥାନ ଉପରକୁ ଉଠିଛି। ୨୦୧୬-୧୭ ସର୍ଭେରେ ଓଡ଼ିଶାର ସ୍ଥାନ ୧୫ ଥିଲା। ୨୦୧୮-୧୯ରେ ୧୬କୁ ଖସିଥିବା ବେଳେ ଏଥର ୧୪ତମ ସ୍ଥାନକୁ ଉଠିଛି। କର୍ଣ୍ଣାଟକରେ ସର୍ବାଧିକ ୧୦ ହଜାର ୨୩୧ଜଣ ଅର୍ଥାତ୍ ୨୧% ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହା ତଳକୁ ଉତ୍ତରପ୍ରଦେଶରେ ୫୦୮୯, ପଞ୍ଜାବରେ ୪୯୬୬, ମହାରାଷ୍ଟ୍ରରେ ୪୫୯୯, ତାମିଲନାଡ଼ୁରେ ୪୪୬୧, ଦିଲ୍ଲୀରେ ୨୩୪୫, ହରିୟାନାରେ ୨୩୨୧, ତେଲେଙ୍ଗାନାରେ ୨୨୬୧, ଗୁଜରାଟରେ ୨୨୨୭, ଆନ୍ଧ୍ରପ୍ରଦେଶରେ ୨୦୯୪, ଉତ୍ତରାଖଣ୍ଡରେ ୧୫୫୪, ରାଜସ୍ଥାନରେ ୧୩୮୨, ପଶ୍ଚିମବଙ୍ଗରେ ୧୨୧୧ ଜଣ ବିଦେଶୀ ପଢ଼ୁଛନ୍ତି। ଭାରତରେ ୧୬୮ଟି ଦେଶର ୪୯ ହଜାର ୩୪୮ଜଣ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୨ ହଜାର ୮୩୬ ଜଣ ଛାତ୍ର ଓ ୧୬ ହଜାର ୫୧୨ଜଣ ଛାତ୍ରୀ ରହିଛନ୍ତି।
ଓଡ଼ିଶାରେ ୩୨ଟି ବିଶ୍ବବିଦ୍ୟାଳୟ ତଥା ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି। ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ୫ଟି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ, ୧୬ଟି ସରକାରୀ ବିଶ୍ବବିଦ୍ୟାଳୟ, ଗୋଟିଏ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ୬ଟି ଘରୋଇ ବିଶ୍ବବିଦ୍ୟାଳୟ ଓ ତିନିଟି ଡିମଡ୍ ବିଶ୍ବବିଦ୍ୟାଳୟରେ ପିଏଚ୍ଡି, ଏମ୍.ଫିଲ୍, ପିଜି, ୟୁଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଗି ସୁଯୋଗ ରହିଛି। ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଇ ୨୦୧୯-୨୦ରେ ୩୨ରେ ପହଞ୍ଚିଛି। କଲେଜ ସଂଖ୍ୟା ବି ବଢ଼ିଛି। ୨୦୧୧-୧୨ରେ ଓଡ଼ିଶାରେ ୧୦୯୦ କଲେଜ ଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୧୦୬୨କୁ ଖସିଥିଲା। ତେବେ ୨୦୧୯-୨୦ରେ ପୁଣିଥରେ ବୃଦ୍ଧି ପାଇ ୧୦୮୭ରେ ପହଞ୍ଚିଛି।