ଶ୍ରୀମନ୍ଦିର ସୁରକ୍ଷାରେ ଗଳାବାଟ : ୱାଚ୍‌ ଟାୱାର୍‌ରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ବିଦେଶିନୀ

ପୁରୀ : ଶ୍ରୀମନ୍ଦିର ଇତିହାସରେ ଯାହା ଘଟି ନଥିଲା, ତାହା ଆଜି ଦେଖିବାକୁ ମିଳିଛି। କିଛି ସନ୍ଦିଗ୍ଧ ବିଦେଶୀ ଯୁବତୀ ଶ୍ରୀମନ୍ଦିର ଉତ୍ତର-ପଶ୍ଚିମଦ୍ୱାର ଗଡ଼ନ୍ତି ଛକରେ ଥିବା ପୁଲିସ ୱାଚ୍‌ ଟାୱାର୍‌ରେ ଚଢ଼ି ମୋବାଇଲରେ ମନ୍ଦିର ଭିତର ବେଢ଼ା ଫଟୋ ଉତ୍ତୋଳନ କରିଛନ୍ତି। ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଥିବା ଗଳାବାଟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ନୂଆବର୍ଷ ଯୋଗୁଁ ମାଳମାଳ ପୁଲିସ ଶ୍ରୀମନ୍ଦିର, ବଡ଼ଦାଣ୍ଡ ସହ ସାରା ସହରକୁ ଜଗି ରହିଥିବାବେଳେ ବିଦେଶୀ ଯୁବତୀମାନେ ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ସ୍ଥାନରେ ପୁଲିସ ୱାଚ‌୍ ଟାୱାର୍‌ରେ ଚଢ଼ି ଫଟୋ ଉତ୍ତୋଳନ କରିବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶ୍ରୀମନ୍ଦିର ୱାଚ୍‌ ଟାୱାର୍‌ରେ କେବଳ ପୁଲିସର ଚଢ଼ିବାର ଅଧିକାର ରହିଛି। ଚତୁଃପାର୍ଶ୍ବରୁ ଶ୍ରୀମନ୍ଦିରକୁ ଅହରହ ଜଗି ରହିବା ପାଇଁ ଚାରିଦ୍ୱାରରେ ପୁଲିସଙ୍କ ପାଇଁ ଏହି ଉଚ୍ଚ ୱାଚ୍‌ ଟାୱାର୍‌ର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଆସୁଥିବାରୁ ସିଂହଦ୍ବାର ସମେତ ଅନ୍ୟ ଦ୍ୱାରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଦୁଇଦିନ ପରେ ନୂଆବର୍ଷ ପଡ଼ୁଥିବାରୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଜଗିବା ପାଇଁ ଅଢ଼େଇ ଶହରୁ ଅଧିକ ଅଧିକାରୀଙ୍କ ସହ ୬୫ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ସହରରେ ବିଭିନ୍ନ ସ୍ଥାନରେ ପୁଲିସ କଟକଣା ଲଗାଯାଇଛି। ଏତେ ବ୍ୟବସ୍ଥା ସତ୍ତ୍ବେ ଆଜି ସକାଳେ ୪ଜଣ ବିଦେଶୀ ଏହି ୱାଚ୍‌ ଟାୱାର୍‌ରେ ଚଢ଼ି ଫଟୋ ଉତ୍ତୋଳନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ନାଲି ପୋଷାକ, ଧଳା ପୋଷାକଧାରୀ ଏହି ବିଦେଶୀ ଯୁବତୀମାନେ ଆଜି ସକାଳ ପ୍ରାୟ ୮ଟାରେ ଉତ୍ତର-ପଶ୍ଚିମ ଦ୍ୱାରରେ ଥିବା ୱାଚ୍‌ ଟାୱାର୍‌ରେ ହଠାତ୍ ଚଢ଼ି ଯାଇଥିଲେ। ନାଲି ପୋଷାକଧାରୀ ବିଦେଶୀ ଯୁବତୀମାନେ ୱାଚ୍‌ ଟାୱାର୍‌ ଉପରୁ ମୋବାଇଲ୍‌ରେ କୋଇଲି ବୈକୁଣ୍ଠ ସହ ଶ୍ରୀମନ୍ଦିର ଭିତର ଫଟୋ ଉତ୍ତୋଳନ କରିଥିଲେ। ଏହି ସମୟରେ ଆଖପାଖ ଲୋକ ଜାଣିବା ପରେ ଚିତ୍କାର କରିଥିଲେ। ପରେ ଯୁବତୀମାନେ ତଳକୁ ଓହ୍ଲାଇ ଆସିଥିଲେ ବି ଏ ସଂପର୍କରେ ପୁଲିସ ପାଖରେ ସାମାନ୍ୟତମ ସୂଚନା ନାହିଁ। ଯୁବତୀମାନେ ୱାଚ୍‌ ଟାୱାର୍‌ରୁ ଓହ୍ଲାଇ ଅନ୍ୟତ୍ର ଚାଲି ଯାଇଥିଲେ ବି ପୁଲିସ ଏମାନଙ୍କୁ ଥାନାକୁ ଆଣିନି କି କୌଣସି ପଚରାଉଚରା କରିନି। ଯେଉଁଥିପାଇଁ ଏହି ବିଦେଶୀମାନେ କେଉଁଠୁ ଆସିଥିଲେ, ତାହା ବି ସ୍ପଷ୍ଟ ହୋଇପାରିନାହିଁ। ଯାହା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅନ୍ୟପଟେ, ଆଜି ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ସମ୍ବନ୍ଧିତ ଖବର