ପଦ୍ମପୁର ଉପ ନିର୍ବାଚନରେ ପୁଣି ’ବିଦେଶିନୀ’ ଚର୍ଚ୍ଚା

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରଚାର ଅଭିଯାନ ତ୍ବରାନ୍ବିତ କରିଛନ୍ତି। ଗାଁରେ ନେତାଙ୍କ ଡେରା ଲାଗିଛି। ବିଭିନ୍ନ ଏଜେଣ୍ଡା ନେଇ ଦଳ ଏବଂ ପ୍ରାର୍ଥୀ, ପ୍ରାର୍ଥିନୀ ‌ଭୋଟର୍‌ଙ୍କ ପାଖକୁ ଯାଉଛନ୍ତି। ଚାରିପଟେ ଏଜେଣ୍ଡା ଟକ୍କର୍‌ ଚାଲିଛି। ଅନ୍ୟ ପ୍ରାର୍ଥୀଙ୍କ ତ୍ରୁଟିବିଚ୍ୟୁତି ସଂପର୍କରେ ବି କହୁଛନ୍ତି। ବିଜେଡି ପଦ୍ମପୁର ଉପଖଣ୍ଡରେ ନିଜର ଯୋଜନା ଏବଂ ପ୍ରକଳ୍ପ ଗୁଡ଼ିକୁ ନେଇ ଲୋକଙ୍କ ପାଖରେ ପହଂଚୁଛି। ସଦ୍ୟଭାବେ ମୁଖ୍ୟମନ୍ତ୍ରୀଙ୍କ ସାଢ଼େ ୪ଶହ ଟଙ୍କାର ପ୍ୟାକେଜ୍‌ ସଂପର୍କରେ ବିଜେଡି ନେତାମାନେ ଭୋଟର୍‌ଙ୍କୁ ଅବଗତ କରାଉଛନ୍ତି। ତେ‌େବ ବିଜେଡିକୁ ଚେକ୍‌ମେଟ୍‌ ଦେବାକୁ ଉଭୟ ବିଜେପି ଏବଂ କଂଗ୍ରେସ ‘ବିଦେଶିନୀ’ ପ୍ରସଂଗ ଉଠାଇଛନ୍ତି। ସୋସିଆଲ୍‌ ମିଡିଆରେ ବି ଏହି ପ୍ରସଂଗକୁ ନେଇ ତର୍କବିତର୍କ ଚାଲିଛି। ବିଜେପି ଏବଂ କଂଗ୍ରେସ ସମର୍ଥକମାନେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ‘ବିଦେଶିନୀ’ ଆଖ୍ୟା ଦେଇଛନ୍ତି। ଅର୍ଥାତ ବର୍ଷା ବାହା ହେବା ପରେ ଶ୍ବଶୁର ଘରର ହେଲେ, ଏବେ ପଦ୍ମପୁରବାସୀ (ଜନ୍ମମାଟି) ପାଇଁ ବିଦେଶିନୀ ସଦୃଶ ବୋଲି ବିଜେପି କହିଛି। ଏହି ମାମଲାକୁ ନିଶ୍ଚିତ ଭାବେ ପଦ୍ମପୁର ନିର୍ବାଚନମଣ୍ଡଳୀର ଲୋକେ ବୁଝି ସାରିଥିବେ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି।

ଶ୍ରୀ ବିଶ୍ବାଳ ଯୁକ୍ତି ରଖି କହିଛନ୍ତି, ବର୍ଷା ବାହା ହୋଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳରେ। ଉପନିର୍ବାଚନ ନଥିଲେ ତାଙ୍କର ପଦ୍ମପୁରବାସୀଙ୍କ ସହ କିଛି ଆଉ ସଂପର୍କ ନଥାନ୍ତା। ଉପନିର୍ବାଚନ ହୋଇନଥିଲେ କିମ୍ବା ତାଙ୍କୁ ପ୍ରାର୍ଥିନୀ କରିନଥିଲେ, ତାଙ୍କୁ ଏଠାରେ ଦେଖାଦର୍ଶନ ମିଳିନଥାନ୍ତା। ଶ୍ବଶୁର ଘର ଛାଡ଼ି ଆଗକୁ ସେ ଏଠାରେ ସ୍ଥାୟୀ ଭାବେ ବି ରହିବେନି। ଏକଥା ଭୋଟର୍‌ ହୃଦୟଙ୍ଗମ କରି ସାରିଛନ୍ତି ବୋଲି ଶ୍ରୀ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ନିପନ ଦାଶ ବିଜେଡି ନିଜ ଫାନ୍ଦରେ ନିଜେ ଫସିଛି ବୋଲି କହିଛନ୍ତି। ଶ୍ରୀ ଦାଶଙ୍କ କହିବା ହେଲା, ଜିଲ୍ଲା ପରିଷଦ ନିର୍ବାଚନ ବେଳେ ବରଗଡ଼ ବ୍ଲକ୍‌ କଟାପାଲିରେ ବିଜେପିର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ବିଜେଡି ବାହାର ପ୍ରାର୍ଥୀ ବୋଲି କଟାକ୍ଷ କରି ଚାଲିଥିଲା।

ଏବେ ବିଜେଡି ଶାଶୂଘରେ ରହୁଥିବା ଝିଅ (ବର୍ଷା)କୁ ଆଣି ବାପଘରେ ପ୍ରାର୍ଥିନୀ କରିବା ଆଶ୍ଚର୍ଯ୍ୟର କଥା। ଏହା ଏକ ବିରାଟ ସାମାଜିକ ପ୍ରଶ୍ନ। ଭାରତୀୟ ସଂସ୍କୃତି ଓ ପରମ୍ପରା କୁହେ, ବାହା ପରେ ଝିଅ ଶାଶୂଘର ଦାୟିତ୍ବରେ ରହିବା କଥା। ଯିଏ ବାପଘର ଓ ଶାଶୂଘରକୁ ଏକା ସାଂଗେ ଗୋଡ଼ ଦିଏ, ଉଭୟ ଘର ଭୁଶୁଡ଼ି ପଡ଼ିଥାଏ। ତେଣୁ ଏହି ସାମାଜିକ ପ୍ରଶ୍ନର ଉତ୍ତର ନିର୍ବାଚନ ବେଳେ ପଦ୍ମପୁର ନିର୍ବାଚନମଣ୍ଡଳୀର ଭୋଟର୍‌ ନିଶ୍ଚିତ ଭାବେ ଦେବେ ବୋଲି ଶ୍ରୀ ଦାଶ ମତ ରଖିଛନ୍ତି। ତେବେ ‌ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ ଏହି ମାମଲା ନେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀମତୀ ଛୁରିଆ କହିଛନ୍ତି, ମା’ ମାଟିର ଭାବାବେଗ କେବଳ ଝିଅ ବୁଝିପାରେ। ଗୋଟିଏ ଝିଅ ମା’ଘରକୁ ବେଶି ସମ୍ମାନ ଦିଏ ଏବଂ ଯତ୍ନ କରେ। ବର୍ଷା ସବୁ କିଛି ଛାଡ଼ି ମା’ ଘର (ପଦ୍ମପୁର)ର ହିତ ଚିନ୍ତା କରିବା ସହ ପ୍ରାର୍ଥିନୀ ହୋଇଛନ୍ତି। ଯିଏ ଏଥିରେ ଭୁଲ୍‌ ଭାବନା ରଖୁଛି, ସେ ମା’ ଜାତିକୁ ସମ୍ମାନ କରୁନି ବୋଲି ବୁଝାପଡ଼ିବ ବୋଲି ଶ୍ରୀମତୀ ଛୁରିଆ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର