ଫୋରେନ୍‌ସିକ୍ ରିପୋର୍ଟ ବିଳମ୍ବ ପ୍ରସଙ୍ଗ: ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟସଚିବ, ଗୃହ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ 

କଟକ : ବିଭିନ୍ନ ଆପରାଧିକ ମାମଲାରେ ଡିଏନ୍‌ଏ ଟେଷ୍ଟ୍‌ ଓ ଅନ୍ୟ ଫୋରେନ୍‌ସିକ୍ ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏ ସଂପର୍କିତ ରିପୋର୍ଟ ତଦନ୍ତକାରୀ ସଂସ୍ଥା ଓ ଅଦାଲତରେ ଦାଖଲ କରାଯାଇ ପାରୁନାହିଁ। ଭୁ‌ବନେଶ୍ବରସ୍ଥିତ ରାଜ୍ୟ ଫୋରେନ୍‌ସିକ୍ ସାଇନ୍‌ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଆବଶ୍ୟକ ସଂଖ୍ୟକ ସାଇଣ୍ଟିଫିକ୍ ଅଫିସର ଓ କର୍ମଚାରୀ ନାହାନ୍ତି। ତେଣୁ ‌ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି। ଫଳରେ ନ୍ୟାୟିକ ପ୍ରକ୍ରିୟା ବାଧା ପ୍ରାପ୍ତ ହେଉଛି ବୋଲି ଅଭିଯୋଗ ରହିଛି। ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଭୁ‌ବନେଶ୍ବର ଏସ୍‌ଏଫ୍‌ଏସ୍‌ଏଲ୍‌ ଓ ଅନ୍ୟ ଆଞ୍ଚଳିକ ଲାବୋରେଟୋରିଗୁଡ଼ିକରେ କର୍ମଚାରୀ ଅଭାବ ଘଟଣାକୁ ଜରୁରୀ ପ୍ରସଙ୍ଗ ଭାବେ ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ପରୀକ୍ଷା ରିପୋର୍ଟ ଯେଭଳି ଅଦାଲତରେ ନିର୍ଦ୍ଧାରିତ ସମୟସୀମା ଭିତରେ ଦାଖଲ ହେବ, ତାହା ସୁନିଶ୍ଚିତ କରାଯିବ। ଯାହାଦ୍ବାରା ଅଦାଲତ, ପ୍ରସିକ୍ୟୁସନ୍, ସାଧାରଣ ଲୋକଙ୍କୁ ଫୋରେନ୍‌ସିକ୍ ରିପୋର୍ଟ ପାଇଁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବନାହିଁ। ରିପୋର୍ଟ ମିଳିବାରେ ଏପରି ବିଳମ୍ବ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥାର ଅପମାନ ବୋଲି ହାଇକୋର୍ଟ କହିଛନ୍ତି। ବିଭିନ୍ନ ଟେଷ୍ଟ୍‌ ରିପୋର୍ଟ ଯେଭଳି ଠିକ୍‌ ସମୟରେ ମିଳିବ ସେଥି ପାଇଁ ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଗଣେଶ୍ବର ବେହେରାଙ୍କ ନିୟମିତ ଜାମିନ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ମାମଲା ଶୁଣାଣି ସମୟରେ ଭୁବନେଶ୍ବର ଏସ୍‌ଏଫ୍‌ଏସ୍‌ଏଲ୍‌ ନିର୍ଦ୍ଦେଶକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ।

ସରକାରଙ୍କ ପକ୍ଷରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ୍ ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର