ମାଲକାନଗିରି: ଚଳିତ ମାସ ୯ ତାରିଖରୁ ଜଂଗଲ ଜମି ଅଧିକାର ଆଇନ ସପ୍ତାହ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଲୋକମାନେ ଜଂଗଲ କାଟି ପଦା କରିବା ସହ ସେହି ସ୍ଥାନରେ ପୋଡୁ ଚାଷ କରିବା ପାଇଁ ଯୋଜନା କରୁଥିବା ଦେଖିବାକୁ ମିଳିଛି। ସେହି ଜଂଗଲ ଜମିକୁ ନିଜ ଅକ୍ତିଆରରେ ରଖିବା ସହ ଜମି ପଟ୍ଟା ପାଇଁ ଦାବି ଉଠିବ। ଏଭଳି ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବନାଞ୍ଚରେ। ଏଠାରେ ପ୍ରାୟ ୧ ଲକ୍ଷ ହେକ୍ଟର ଜଂଗଲ ରହିଛି। ବହୁ ସ୍ଥାନରେ ଜଂଗଲକୁ ଲୋକେ ନିଜ ଅକ୍ତିଆରକୁ ନେଇ ଜଂଗଲ ଜମି ପଟ୍ଟା ମଧ୍ୟ ହାତେଇଛନ୍ତି ।ଏବେ ପୁଣି ଜଂଗଲ ପଦା କରି ତାଂକୁ ସରକାରଙ୍କ ଠାରୁ ପଟ୍ଟା ନେବା ସହ ସେଠାରେ ପୋଡୁ ଚାଷ କରିବାର ଯୋଜନା କରିଥିବା ଜଣାପଡିଛି।
ଜିଲ୍ଲାର ଜଂଗଲ ନଷ୍ଟ ହେବାର ମୁଖ୍ୟ କାରଣ ହେଲା ନକ୍ସଲ। ନକ୍ସଲ ଭୟରେ ବନ କର୍ମଚାରୀ ତଦାରଖ କରିବା ପାଇଁ ଦୁର୍ଗମ ଅଂଚଳକୁ ଯାଇପାରୁନଥିବାରୁ ସେହି ଅଂଚଳରେ ବସବାସ କରୁଥିବା ଲୋକେ ବେଧଡକ ଜଂଗଲ କାଟି ପଦା କରୁଛନ୍ତି। କିନ୍ତୁ ଏହାର ପ୍ରତିଫଳନ କଣ ହେବ ତାହା ସେମାନେ ଆଜି ବି ଅଜ୍ଞ।ଚିତ୍ରକୋଣ୍ଡା ବନାଞ୍ଚଳର କୁରମାନୁର ପଞ୍ଚାୟତର ନାନ୍ଦୁପୁର ଏବଂ ଗୁରାଲୁର ଗ୍ରାମ ନିକଟରେ ରହିଥିବା ଜଂଗଲକୁ ପଦା କରାଯାଇଛି। ଏକର ଏକର ଜଂଗଲକୁ ପଦା କରି ସେଠାରେ ପୋଡୁ ଚାଷ ପାଇଁ ଲୋକେ ପ୍ରସ୍ତୁତ ହେଉଛନ୍ତି। ଏଠାରେ ଲାଗିଥିବା ଶତାଧିକ ଗଛ ବଞ୍ଚିବା ପାଇଁ କେତେ ବର୍ଷ ଲାଗିଥିବ।କିନ୍ତୁ ଲୋକେ ଏହାକୁ କିଛି ସମୟ ମଧ୍ୟରେ କାଟି ପଦା କରିଦେଲେ।ଏନେଇ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଖବର ନଥିଲେ ମଧ୍ୟ ଏଭଳି ହେଉଥିବା ସେ ଅବଗତ ରହିଛନ୍ତି।ବନ ବିଭାଗର କର୍ମଚାରୀ ସେହି ଅଂଚଳରେ ଯାଇ ଲୋକଙ୍କୁ ସଚେତନ କରାଉଥିଲେ ମଧ୍ୟ କେହି ସଚେତନ ହେଉନଥିବା ବନାଞ୍ଚଳ ଅଧିକାରୀ ବଳରାମ ନାୟକ କହିଛନ୍ତି। ପୁଣି ଯେଉଁ ଅଂଚଳରେ ଜଂଗଲ ପଦା କରାଯାଇଛି,ସେହି ଅଂଚଳ ଯିବା ଏକ ପ୍ରକାର ବିପଦକୁ ଟାଣି ଆଣିବା କଥା ବୋଲି ସେ ଦୋହରାଇଛନ୍ତି। କିନ୍ତୁ ଲୋକଙ୍କୁ ନିଶ୍ଚିତ ଭାବେ ସଚେତନ କରାଇ ଏଭଳି ନକରିବା ପାଇଁ ବୁଝାଇବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟଯେ ଚିତ୍ରକୋଣ୍ଡା ବନାଞ୍ଚଳରେ ୨୨୬୮.୨୫୧ ହେକ୍ଟର ଆରଏଫ ରହିଥିବା ବେଳେ ୧୫,୪୯୫.୯୪୫ ହେକ୍ଟର ପିଆରଏଫ,୩୦୭୪.୮୮୯ ହେକ୍ଟର ଡିପିଏଫ ଜଂଗଲ ଏବଂ ୭୬,୪୧୬.୮୮୫ ହେକ୍ଟର ୟୁଆରଏଲ ଜଂଗଲ ରହିଛି।କୁରମାନୁର ପଞ୍ଚାୟତର ନାନ୍ଦୁପୁର ଓ ଗରାଲୁର ଗ୍ରାମ୍ୟ ଜଂଗଲ ଭେଜେଙ୍ଗଵାଡା ୟୁଆରଏଲରେ ଯାଉଛି।ପ୍ରକାଶ ଥାଉକି ଭେଜେଙ୍ଗଵାଡା ୟୁଆରଏଲ(ଚିହ୍ନଟ ହୋଇପାରିନଥିବା ଜଂଗଲ)ରେ ପ୍ରାୟ ୩୯,୦୯୦ ହେକ୍ଟର ଜଂଗଲ ଜମି ରହିଛି।ଯାହାକୁ ଲୋକେ ବେଧଡକ କାଟି ସେଠାରେ ଚାଷ କରୁଛନ୍ତି।ଏଭଳି ହେଲେ ଆସନ୍ତା କିଛି ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଜଂଗଲ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ପରିବେଶବିତମାନେ ଆଶଂକା କରିଛନ୍ତି।