ବନ ବିଭାଗରେ ଅନିୟମିତତା ରୋକିବାକୁ ନିର୍ଦେଶ : ଏଣିକି ଟେଣ୍ଡର ପ୍ରକ୍ରିୟାରେ ହେବ କାମ

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଫରେଷ୍ଟ ଏକାଡେମି, ୨୦ ହଜାର ଛୁଇଁବ ବନ ସୁରକ୍ଷା ସମିତି

ଭୁବନେଶ୍ବର : ବନ ବିଭାଗରେ ଆଉ ଅନିୟମିତତା ଚଳିବନି। ସ୍ବଚ୍ଛତା ଆଣିବାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବର୍ଷ ବର୍ଷ ଧରି ବନ ବିଭାଗ ଦ୍ବାରା ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏଣିକି ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କରାଯିବ। ଟେଣ୍ଡର ଡକାଯାଇ ବିଭିନ୍ନ କାର୍ଯ୍ୟ ତୃତୀୟ ପକ୍ଷ ଦ୍ବାରା ହେବ। ଏହା ଦ୍ବାରା କାର୍ଯ୍ୟରେ ସ୍ବଚ୍ଛତା ଆସିପାରିବ। ଏଥିପାଇଁ ଫରେଷ୍ଟ କୋଡ୍‌ରେ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଆଜି ଅରଣ୍ୟ ଭବନଠାରେ ଅନୁଷ୍ଠିତ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ)ମାନଙ୍କ ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା କହିଛନ୍ତି।

ଡିଏଫ୍‌ଓମାନଙ୍କୁ ପରାମର୍ଶ ଦେଇ ଶ୍ରୀମତୀ ଶର୍ମା କହିଛନ୍ତି ଯେ ‌ଲୋକଙ୍କ ସହ ଯୋଡ଼ି ହୁଅ। ସେମାନଙ୍କୁ ସହଯୋଗ କର। ନିଜ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣ। ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ପରିବେଶ ପର୍ଯ୍ୟଟନର ବିକାଶ, ବନ ସୁରକ୍ଷା ସମିତି(ଭିଏସ୍‌ଏସ୍‌)କୁ ସୁଦୃଢ଼ କରିବା ଓ ସେମାନଙ୍କୁ ଅଧିକ ସକ୍ରିୟ କରିବା, ଭିଏସ୍‌ଏସ୍‌ର ସଦସ୍ୟମାନେ ଜଙ୍ଗଲରୁ କିଭଳି ଲାଭ ପାଇବେ ସେ ଦିଗରେ ପଦକ୍ଷେପ ‌ନେବାକୁ ଡିଏଫ୍‌ଓମାନଙ୍କୁ କହିଛନ୍ତି। ବନ ବିଭାଗରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ସ୍ବଚ୍ଛତା ଆଣିବା, ନିର୍ଦ୍ଦିଷ୍ଟ ସମୟରେ ସମସ୍ତ କାର୍ଯ୍ୟ ଶେଷ ‌କରିବା, ‘୫-ଟି’ ଓ ‘ମୋ ସରକାର’କୁ କାର୍ଯ୍ୟକାରୀ କରିବା, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ, ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଜାରି କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କହିଲେ ଓଡ଼ିଶାର ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଭୁବନେଶ୍ବର ନିକଟ ଶ୍ୟମସୁନ୍ଦରପୁରଠାରେ ଏକ ଫରେଷ୍ଟ ଏକାଡେମି ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ‌୭ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଏକାଡେମି ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‌ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରେ ଜଙ୍ଗଲ ସଂଖ୍ୟା ବୃଦ୍ଧି ଘଟିଛି। ଏକ୍ଷେତ୍ରରେ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ରହିଛି। କାମ୍ପା ଯୋଜନାରେ ୨୦୦୯-୧୦ରୁ ୨୦୧୭-୧୮ ମଧ୍ୟରେ ବିଭିନ୍ନ କିସ୍ତିରେ ୨ ହଜାର ୬୪୪ କୋଟି ଟଙ୍କା ମିଳିଥିଲା। ସଫଳତାର ସହ ଅର୍ଥର ବିନିଯୋଗ କରାଯାଇଛି। ଜାତୀୟ କ୍ଷତିପୂରଣ ବନୀକରଣ ଜମା ଅର୍ଥରୁ କାମ୍ପା ପାଣ୍ଠି ବିନିଯୋଗ ଉଦ୍ଦେଶ୍ୟରେ ଓଡ଼ିଶା ଅଂଶଧନ ବାବଦକୁ ୫ ହଜାର ୯୩୩ କୋଟି ଟଙ୍କା ପାଇଛି। ସେଥିମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ଜଙ୍ଗଲ ସୁରକ୍ଷା, ଦକ୍ଷତା ବୃଦ୍ଧି ଓ ଆନୁଷଙ୍ଗିକ ବ୍ୟୟ ବାବଦକୁ ୫୯୩ କୋଟି ଟଙ୍କା ଅନୁମୋଦନ ମିଳିଛି। ତାହାର ଠିକ୍‌ ବିନିଯୋଗ ଦିଗରେ ଡିଏଫ୍‌ଓମାନେ ଗୁରୁତ୍ବ ଦେବାକୁ ସେ ନିର୍ଦେଶ ଦେଇଥିଲେ।

ପିସିସିଏଫ୍‌(ଜଙ୍ଗଲ ବିଭାଗ) ସନ୍ଦୀପ ତ୍ରିପାଠୀ କହିଲେ ଏବେ ରାଜ୍ୟରେ ୧୩ ହଜାର ଭିଏସ୍‌ଏସ୍‌ ରହିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ସଂଖ୍ୟାକୁ ୨୦ ହଜାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସଂଖ୍ୟା କିଭଳି ବୃଦ୍ଧି ପାଇବ ସେଥିପାଇଁ ଡିଏଫ୍‌ଓମାନଙ୍କୁ ମାସିକିଆ ଟାର୍ଗେଟ ଦିଆଯାଇଛି। କେବଳ ବୃକ୍ଷରୋପଣ ଉପରେ ମନୋନିବେଶ ନ କରି ମୃତ୍ତିକା ସଂରକ୍ଷଣ, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା, ପରିବେଶ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଟିମ୍ବର ଟ୍ରାନ୍‌ଜିଟ୍‌ ପରମିଟ୍‌ ସିଷ୍ଟମ(ଓଟିଟିପିଏସ୍‌) ଲୋକାର୍ପିତ ହୋଇଥିଲା। ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଜମି ପରିସରରେ ଥିବା ମୂଲ୍ୟବାନ ଗଛ କାଟି ଏହାର ବିନିଯୋଗ କରିବା ପାଇଁ ଅନୁମତିପତ୍ର ହାସଲ କରିବାକୁ ୧୭୨ ଦିନ ଲାଗୁଥିଲା। ଏବେ ଓଟିଟିପିଏସ୍‌ ମାଧ୍ୟମରେ ମାତ୍ର ୪୨ ଦିନ ମଧ୍ୟରେ ଅନୁମତି ମିଳିପାରିବ। ଜଙ୍ଗଲ ଜମି ପରିବର୍ତ୍ତନ ଲାଗି ମଧ୍ୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍‌ଓପି) ଲାଗୁ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ। ଏହି ଦିନିକିଆ ସମ୍ମିଳନୀରେ ୩୭ଟି ଟେରିଟୋରିଆଲ ଓ ୧୩ଟି ବନ୍ୟପ୍ରାଣୀ ଡିଏଫ୍‌ଓ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର