କର୍ମଚାରୀ ଅଭାବ ସାଜିଛି ପ୍ରତିବନ୍ଧକ
ଡାଲଚିନି ବଗିଚା ଓ ଔଷଧୀୟ ବୃକ୍ଷରେ ଭରି ରହିଛି ଜଙ୍ଗଲ
ବିପଦରେ ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ଆଶ୍ରୟସ୍ଥଳ
କୋଣାର୍କ : କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ବ୍ରିଟିସ୍ ଅମଳର ଏକ ଫରେଷ୍ଟ ବିଟ୍ ହାଉସ୍ ଏବେ ଭୂତକୋଠିରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ତେବେ ବନବିଭାଗର ସଂଶୋଧିତ ନୂତନ ଆଇନରେ ବିଟ୍ ହାଉସ୍ ଉଠି ଯାଇଥିବାରୁ ଏହାର ମରାମତି ହୋଇପାରୁନଥିବା ବନବିଭାଗଠାରୁ ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଜୁଣେଇଁ ବିଟ୍ହାଉସ୍ ରହିଛି। ଏହି ସ୍ଥାନ କୋଣାର୍କ ଏନ୍ଏସି ଅଧୀନ ୧ନଂ ୱାର୍ଡରେ ରହିଛି। ଏହା କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟଠାରୁ ମାତ୍ର ଦୁଇକିମି ଦୂରତାରେ ରହିଛି। ଏହି ବିଟ୍ ହାଉସ୍ ଅଧୀନରେ ପ୍ରାୟ ଆଠ ହେକ୍ଟର୍ ଜଙ୍ଗଲ ରହିଥିବା ଜଣାପଡ଼ିଛି। ଏହାର ଏକର ଏକର ପରିବ୍ୟାପ୍ତ ଜଙ୍ଗଲ କେବଳ ଡାଲଚିନି ଗଛରେ ଭର୍ତ୍ତି ହୋଇ ରହିଛି। ଅନ୍ୟପକ୍ଷରେ ବିରଳ ଔଷଧୀୟ ବୃକ୍ଷ ଓ ଗୁଳ୍ମରେ ଏହି ଜଙ୍ଗଲ ମଧ୍ୟ ଭରି ରହିଛି। ଏତଦ୍ବ୍ୟତୀତ ଏହି ଜଙ୍ଗଲ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣର ହରିଣଙ୍କ ସମେତ ବିରଳ ପ୍ରଜାତିର ବନ୍ୟପ୍ରାଣୀ ମଧ୍ୟ ରହିଛନ୍ତି। ବାଉଁଶ, କଣ୍ଟା ବାଉଁଶ ପ୍ରଜାତିର ଗଛ ଏହି ଜଙ୍ଗଲରେ ଭର୍ତ୍ତି ହୋଇରହିଥିବା ଦେଖିବାକୁ ମିଳେ। ବିଗତ ବର୍ଷମାନଙ୍କରେ ଏହି ବିଟ୍ହାଉସ୍ ପରିସରରେ ଚାରା ଉତ୍ପାଦନ ନର୍ସରି କରାଯାଇ ଚାରା ବଣ୍ଟନ କରାଯାଉଥିଲା। ଉକ୍ତ ସମୟରେ ଏହି ସ୍ଥାନରେ ଜଣେ ଫରେଷ୍ଟର୍ ଓ ଜଣେ ଗାର୍ଡ ମଧ୍ୟ ମୁତୟନ ହୋଇଥିଲେ। ମାତ୍ର ଗତବର୍ଷଠାରୁ ଏଠାକୁ କୌଣସି ବନକର୍ମଚାରୀ ଆସୁନାହାନ୍ତି। ଅନାବନା ଗଛରେ ଏହି ବିଟ୍ ହାଉସ୍ ପରିସର ଭରି ରହିବା ସହ ସରୀସୃପଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଏ ସଂପର୍କରେ କୋଣାର୍କ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରାଙ୍କୁ ପଚାରିବାରେ ବର୍ତ୍ତମାନ ବନବିଭାଗର ଅଧୀନରେ ଥିବା ଉକ୍ତ ବିଟ୍ ହାଉସ୍ଟି କୋଣାର୍କ ବନ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ତେବେ ଏହି ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ବ ଜୁଣେଇଁ ବନ ସଂରକ୍ଷଣ ସମିତି ଅଧୀନରେ ରହିଥିବାର ସେ କହିଛନ୍ତି। ଉକ୍ତ ବିଟ୍ ହାଉସ୍ର ମରାମତି କରାଗଲେ ଏହା ଆଦର୍ଶ ଗ୍ରାମ୍ୟ ଜଙ୍ଗଲର ମାନ୍ୟତା ପାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ବନବିଭାଗର ପ୍ରକଳ୍ପ ଉନ୍ନୟନ ଯୋଜନାରେ ଉକ୍ତ ବିଟ୍ ହାଉସ୍ର ମରାମତି କରିବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି। ତେବେ କର୍ମଚାରୀ ଅଭାବରୁ ଉକ୍ତ ସ୍ଥାନରେ କେହି କର୍ମଚାରୀ ମୁତୟନ ହୋଇପାରୁନଥିବା ଉକ୍ତ ବିଟ୍ ହାଉସ୍କୁ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଦିଆଯାଇଛି ବୋଲି ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମତ ଦେଇଛନ୍ତି। ଏ ସଂକ୍ରାନ୍ତରେ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଦାୟିତ୍ବରେ ଥିବା ଏସିଏଫ୍ ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରେ ସେ ଏ ସଂପର୍କରେ ଅନୁଧ୍ୟାନ କରିବେ ବୋଲି ମତ ଦେଇଛନ୍ତି। ପୁରୀ ଜିଲ୍ଲା ଡିଏଫ୍ଓ ଏବଂ ବନବିଭାଗର ବରିଷ୍ଠ ଅଧିକାରୀମାନେ ଏଦିଗରେ ଦୃଷ୍ଟିଦେଇ ଏହି ଜଙ୍ଗଲର ସଂରକ୍ଷଣ ଓ ବିଟ୍ ହାଉସ୍ର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।