କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଜୁଣେଇଁ ଫରେଷ୍ଟ ବିଟ୍‌ ହାଉସ୍‌ ଏବେ ଭୂତକୋଠି, ପୁନରୁଦ୍ଧାର ଦାବି

କୋଣାର୍କ : କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଜୁଣେଇଁ ବିଟ୍‌ ହାଉସ ଏବେ ଭୂତକୋଠିରେ ପରିଣତ ହୋଇଛି। ତେବେ ବନବିଭାଗର ସଂଶୋଧିତ ଆଇନ୍‌ରେ ବିଟ୍‌ ହାଉସ୍‌ ଉଠି ଯାଇଥିବାରୁ ଏହାର ମରାମତି ହୋଇପାରୁ ନାହିଁ। କୋଣାର୍କ ଏନ୍‌ଏସି ୧ନଂ ୱାର୍ଡ ଅଧୀନରେ ଥିବା ଏହି ବିଟ୍‌ ହାଉସ୍‌ଟି କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କିମି ଦୂରତାରେ ରହିଛି। ଏହି ବିଟ୍‌ ହାଉସ୍‌ ଅଧୀନରେ ପ୍ରାୟ ଆଠ ହେକ୍ଟର୍‌ ଜଙ୍ଗଲ ରହିଛି। ଏଥିରେ ଏକର ଏକର ପରିବ୍ୟାପ୍ତ ଜଙ୍ଗଲ କେବଳ ଡାଲଚିନି ଗଛରେ ଭର୍ତ୍ତି ହୋଇ ରହିଛି। ଅନ୍ୟପକ୍ଷରେ ବିରଳ ଔଷଧୀୟ ବୃକ୍ଷ ଓ ଗୁଳ୍ମରେ ଏହି ଜଙ୍ଗଲ ଭରି ରହିଛି। ସେହିପରି ଏହି ଜଙ୍ଗଲ ମଧ୍ୟରେ ହରିଣଙ୍କ ସମେତ ବିରଳ ପ୍ରଜାତିର ବନ୍ୟପ୍ରାଣୀ ମଧ୍ୟ ରହିଛନ୍ତି। ପୂର୍ବରୁ ଏହି ବିଟ୍‌ ହାଉସ୍‌ ପରିସରରେ ଚାରା ଉତ୍ପାଦନ ନର୍ସରୀ କରାଯାଇ ଚାରା ବଣ୍ଟନ କରାଯାଉଥିଲା। ଏଠାରେ ଜଣେ ଫରେଷ୍ଟର୍‌ ଓ ଜଣେ ଗାର୍ଡ ମଧ୍ୟ ମୁତୟନ ହୋଇଥିଲେ। ମାତ୍ର ଗତକିଛି ମାସ ଧରି ଏଠାକୁ କୌଣସି ବନକର୍ମଚାରୀ ଆସୁ ନଥିବା ଜଣାପଡ଼ିଛି।

ବାତ୍ୟା ‘ଫନି’ରେ ଏକ ଗଛ ଭାଙ୍ଗି ବିଟ୍‌ ହାଉସ୍‌ ଉପରେ ପଡ଼ିଥିବାରୁ ଏହାର ଅର୍ଦ୍ଧାଧିକ ଅଂଶ ନଷ୍ଟ ହୋଇଯାଇଛି। ବାତ୍ୟାଠାରୁ ଘର ଉପରେ ପଡ଼ି ରହିଥିବା ଗଛ ଡ଼ାଳ ଅଦ୍ୟାବଧି କଢ଼ାଯାଇ ନାହିଁ। ଅନ୍ୟପକ୍ଷରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସଂପର୍କରେ କୋଣାର୍କ ବନାଞ୍ଚଳ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ରଙ୍କୁ ପଚାରିବାରେ ବର୍ତ୍ତମାନ ବନବିଭାଗର ଅଧୀନରେ ଥିବା ଉକ୍ତ ବିଟ୍‌ ହାଉସ୍‌ଟି କୋଣାର୍କ ବନ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଛି ଏବଂ ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ବ ଜୁଣେଇଁ ବନ ସଂରକ୍ଷଣ ସମିତି ଅଧୀନରେ ରହିଥିବା ସେ କହିଛନ୍ତି। ଉକ୍ତ ବିଟ୍‌ ହାଉସ୍‌ର ମରାମତି ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ବନବିଭାଗର ପ୍ରକଳ୍ପ ଉନ୍ନୟନ ଯୋଜନାରେ ଏହାର ମରାମତି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲା ଡିଏଫ୍‌ଓ ଏବଂ ବନବିଭାଗର ବରିଷ୍ଠ ଅଧିକାରୀମାନେ ଏ ଦିଗରେ ଦୃଷ୍ଟି ଦେଇ ଏହି ଜଙ୍ଗଲର ସଂରକ୍ଷଣ ଓ ବିଟ୍‌ ହାଉସ୍‌ର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର