ଭୁବନେଶ୍ବର: ଜାନୁଆରିରୁ ଜଳିଲାଣି ଓଡ଼ିଶା ଜଙ୍ଗଲ। କେଉଁଠି ଦୁଇ ଦିନ ହେଲା ଜଳୁଛି ତ ଆଉ କେଉଁଠି ଆଜି ମଧ୍ୟାହ୍ନରେ ନିଆଁ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ ଦେଶର ସର୍ବାଧିକ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ୫ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଏ ମାସରେ କେବଳ ଓଡ଼ିଶା ଜଙ୍ଗଲର ୫୭୮ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। କୋରାପୁଟ ସର୍କଲ ଅଧୀନରେ ଥିବା ଜିଲ୍ଲାଗୁଡ଼ିକରେ ଚଳିତ ମାସରେ ସର୍ବାଧିକ ୨୮୭ଟି ବନାଗ୍ନି ହୋଇସାରିଲାଣି। ଆଜି ସକାଳୁ ସକାଳୁ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। ଜାନୁଆରି ୨୪ରେ କୋରାପୁଟ ସର୍କଲ ଅଧୀନ ଜଙ୍ଗଲର ୨୧ଟି ସ୍ଥାନରେ ଜଙ୍ଗଲ ନିଆଁ ନଜରକୁ ଆସିଥିଲା। କେବଳ କୋରାପୁଟ ସର୍କଲ ନୁହେଁ, ଭବାନୀପାଟଣା, ସମ୍ବଲପୁର, ବ୍ରହ୍ମପୁର, ଅନୁଗୁଳ, ରାଉରକେଲା ସର୍କଲ ଅଧୀନ ଜିଲ୍ଲାଗୁଡ଼ିକରେ ବି ଜଙ୍ଗଲ ନିଆଁ ଏବେ ଉପରମୁହାଁ। ଜାନୁଆରିର ଏଭଳି ସ୍ଥିତିକୁ ନେଇ ପରିବେଶବିତ୍ମାନେ ଚିନ୍ତାପ୍ରକଟ କରିଛନ୍ତି। ଆରମ୍ଭରୁ ଯଦି ପଦକ୍ଷେପ ନିଆ ନ ଯାଏ ଭବିଷ୍ୟତରେ ୨୦୨୧ ପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଜାନୁଆରି ୨୪ରେ ରାଜ୍ୟର ୫୮ଟି ସ୍ଥାନରେ ବନାଗ୍ନି ଦେଖିବାକୁ ମିଳିଛି। ମଧ୍ୟାହ୍ନ ସମୟରେ ହିଁ ନିଆଁ ଲାଗୁଛି। ଗୋଟିଏ ପଟେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୨ ଡିଗ୍ରି ଟପିଥିବା ବେଳେ ଅନ୍ୟପଟେ ବନାଗ୍ନି ବୃଦ୍ଧି ବନ୍ୟଜନ୍ତୁଙ୍କ ଲାଗି ବିପଦ ସୃଷ୍ଟି କରିଛି। ହେଲେ ଜଙ୍ଗଲ ବିଭାଗ ବାବୁମାନେ ଚୁପ୍। ଏପର୍ଯ୍ୟନ୍ତ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଯେତେବେଳେ କି ୨୦୨୧ରେ ଶିମିଳିପାଳରେ ଭୟଙ୍କର ନିଆଁ ଲାଗିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଅବସରପ୍ରାପ୍ତ ପିସିସିଏଫ୍ଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ। ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ବନାଗ୍ନିକୁ ରୋକିବାକୁ ଲାଗି ପଡ଼ିଥିଲେ। ଏଥିସହ ଭବିଷ୍ୟତରେ ଯେପରି ଭୟଙ୍କର ପରିସ୍ଥିତି ନ ହୁଏ ତାହାକୁ ଦୃଷ୍ଟିରେ ରଖି କମିଟିଠାରୁ ପ୍ରସ୍ତାବମାନ ଗ୍ରହଣ କରିଥିଲେ। ମାତ୍ର ପ୍ରସ୍ତାବଗୁଡ଼ିକୁ କିଭଳି କାର୍ଯ୍ୟକାରୀ କରାଗଲା ତାହା ଜଣାପଡ଼ିଲା ନାହିଁ। ଏବର୍ଷ ଏବେଠାରୁ ଯେଉଁ ସ୍ଥିତି ହେଲାଣି ଆଗକୁ ପରିସ୍ଥିତ କ’ଣ ହେବ ତାହା ସ୍ପଷ୍ଟ ଅନୁମେୟ। କାରଣ ୨୦୨୧ରେ ଓଡିଶା ଜଙ୍ଗଲରେ ୪୨ ହଜାରରୁ ଅଧିକ ନିଆଁ ଚିହ୍ନଟ ହୋଇଥିଲା। ଯାହାକି ଦେଶର ଅନ୍ୟ ସମସ୍ତ ରାଜ୍ୟଠାରୁ ବହୁ ଆଗରେ। ପ୍ରତିବର୍ଷ ନଭେମ୍ବରରୁ ମେ’ ମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢ଼ିଥାଏ। ଏହି ସମୟରେ ଜଙ୍ଗଲରେ ନିଆଁ ଧରୁଥିବା ସାମଗ୍ରୀ ଯଥା ଶୁଖିଲା କାଠ, ପତ୍ର, କାଠି ଆଦି ପଡ଼ିବା ଦ୍ୱାରା ଅଗ୍ନିକାଣ୍ଡ ହୁଏ। ଅଧିକାଂଶ ଜଙ୍ଗଲ ନିଆଁ ସ୍ଥଳ ଭାଗରେ ପରିଲକ୍ଷିତ ହୋଇଥିବାରୁ ସବୁଜିମା ମଧ୍ୟ ନଷ୍ଟ ହୁଏ। ଯଦି ଗତ ୩ ମାସର କଥା ଦେଖିବା ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା ଜଙ୍ଗଲ ନିଆଁ ମଧ୍ୟରେ କର୍ଣ୍ଣାଟକ ସବୁଠାରୁ ଆଗରେ ରହିଛି। କର୍ଣ୍ଣାଟକରେ ୧୨୦୧ ବନାଗ୍ନି ଚିହ୍ନଟ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ୯୩୨, ମଧ୍ୟପ୍ରଦେଶରେ ୭୮୯, ଓଡ଼ିଶାରେ ୬୯୫ ଓ ଅରୁଣାଚଳ ପ୍ରଦେଶରେ ୬୮୯ଟି ନିଆଁ ଲାଗିଛି।
ଏପରିକି ଗତ ୭ଦିନ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ବନାଗ୍ନି ମଧ୍ୟରୁ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। କର୍ଣ୍ଣାଟକରେ ସର୍ବାଧିକ ୩୦୪ଟି ବନାଗ୍ନି ସୃଷ୍ଟି ହୋଇଥିବା ବେଳେ ମଣିପୁରରେ ୨୨୮, ଓଡ଼ିଶାରେ ୧୩୮ଟି ସ୍ଥାନରେ ନିଆଁ ଲାଗିଥିବାର ଚିତ୍ର ସାମ୍ନାକୁ ଆସିଛି। ନାଗାଲାଣ୍ଡରେ ୧୧୯ ଓ ଉତ୍ତରାଖଣ୍ଡରେ ୯୯ଟି ବନାଗ୍ନି ହୋଇଛି। ନଭେମ୍ବର ମାସରେ ବନାଗ୍ନି ସଂଖ୍ୟା ଦେଶରେ ୧୬୧୨ ଥିବା ବେଳେ ଡିସେମ୍ବରରେ ୨୮୨୭ ରହିଥିଲା। ତେବେ ଜାନୁଆରିରେ ଏବେ ସୁଦ୍ଧା ଦେଶରେ ୫୦୦୧ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି।