ଦଶପଲ୍ଲା : ଧ୍ୱଂସ ହୋଇଚାଲିଛି ଘଞ୍ଚ ଜଙ୍ଗଲ। ନଷ୍ଟ ହେଉଛି ସବୁଜିମା। ଲୋପ ପାଇଚାଲିଛନ୍ତି ବନ୍ୟଜନ୍ତୁ। ଖାଲି ଦଶପଲ୍ଲା ନୁହେଁ, ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ମଧ୍ୟ ଏଭଳି ଘଟଣା ଘଟୁଥିଲେ ମଧ୍ୟ ମାଫିଆଙ୍କୁ ଧରିବାରେ ବନ ବିଭାଗର ବିଫଳତା ମାଫିଆଙ୍କ ଆଗରେ ମୁଣ୍ତ ନୁଆଁଇବା ଭଳି ହୋଇଛି। ଅହରହ ମାଫିଆଙ୍କ ଲୋଲୁପ ଦୃଷ୍ଟି ଦଶପଲ୍ଲା ବନାଞ୍ଚଳ ଉପରେ ରହୁଥିବା ବେଳେ କାହିଁକି ସଜାଗ ହେଉନି ବନ ବିଭାଗ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନୟାଗଡ଼ ବନଖଣ୍ତ ଉପରେ ନଜର ପକାଇଲେ ୭ଟି ବନାଞ୍ଚଳ ମଧ୍ୟରୁ ଦଶପଲ୍ଲା ହେଉଛି ସର୍ବବୃହତ। ୭୩୩. ୨୨୯ ସ୍କୋୟାର୍ କିମି ବା ୬ଟି ସେକ୍ସନର ୨୪ଟି ବଟ୍କୁ ନେଇ ଏହି ବନାଞ୍ଚଳ ଗଠିତ। ଦଶପଲ୍ଲାର ଏହି ଗଡଜାତ ଅଂଚଳରୁ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ହେଉ ଲିଙ୍ଗରାଜଙ୍କ ଋକୁଣା ରଥ ପାଇଁ ପୁରାତନ କାଳରୁ ଆବଶ୍ୟକ କାଠ ଯୋଗାଣ ନେଇ ଏହି ଅଂଚଳ ଯେଉଁ ଗରିମା ସୃଷ୍ଟି କରିଥିଲା ତାହା ଆଜି ଲୋପ ହେବାକୁ ବସିଲାଣି। ଏହି ବନାଞ୍ଚଳରୁ ଦୈନିକ ଶହଶହ ବର୍ଷର ବହୁ ମୂଲ୍ୟବାନ ଗଛ ଧରାଶାୟୀ ହୋଇ ପଡ଼ୁଥିବା ବେଳେ ସୁରକ୍ଷା ଯୋଗାଇବାରେ ବନ ବିଭାଗ କାହିଁକି ଫେଲ୍ ମାରୁଛି ତାହା ପରିବେଶବିତ୍ଙ୍କୁ ବ୍ୟଥିତ କରୁଛି।
ଦଶପଲ୍ଲା ବନାଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ବନାଞ୍ଚଳରୁ ଯେଉଁସବୁ କାଠ ଲୁଟ୍ ହେଉଛି ଏହାର ପ୍ରାୟ ୮୦ ପ୍ରତିଶତ କାଠ କଟକ ଜିଲ୍ଲାର ନରସିଂହପୁର ସମେତ ବିଭିନ୍ନ ଅଂଚଳକୁ ଚାଲାଣ ହେଉଛି। ବିଗତ ଦିନରେ ବନ ବିଭାଗ ଜବତ କରିଥିବା ଗାଡ଼ି ଏବଂ ମାଫିଆଙ୍କ ଉପରେ ନଜର ପକାଇଲେ ସେସବୁ କାଠ କଟକ ଜିଲ୍ଲାକୁ ଚାଲାଣ ହେଉଥିବା ପରିସଂଖ୍ୟାନ ରିପୋର୍ଟ କହୁଛି। ହେଲେ ବନ ବିଭାଗ ଯେଉଁସବୁ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି, ତା’ର ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ କରି ମୁଖ୍ୟ କାର୍ପଟଦାର୍ ପର୍ଯ୍ୟନ୍ତ ପହଞ୍ଚୁନାହିଁ। ସେହିଭଳି ବନ ବିଭାଗର କିଛି କର୍ମଚାରୀ ମାଫିଆଙ୍କ ସହ ସଲାସୁତରା ହେବା ବିଭାଗ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟୁଛି। ମାଫିଆମାନେ ଯେଉଁସବୁ ଅଂଚଳରୁ କାଠ ଚାଲାଣ କରୁଛନ୍ତି ସେସବୁ ଅଂଚଳରେ ଦିନକୁ ଦିନ ସେମାନଙ୍କର ସଂଗଠନକୁ ବୃଦ୍ଧି କରିବା ସହ ଖୋଲା ଚ୍ୟାଲେଞ୍ଜ୍ କରୁଛନ୍ତି। ଜିଲ୍ଲାର ଯେଉଁ ବନାଞ୍ଚଳରୁ କଟକ ଜିଲ୍ଲାକୁ କାଠ ଚାଲାଣ ହେଉଛି ଏହାର ଗୋଟିଏ ମାତ୍ର ରାସ୍ତା ହେଉଛି ଖଣ୍ତପଡ଼ା ବନାଞ୍ଚଳସ୍ଥିତ ସିଧାମୂଳାଠାରେ ଥିବା ମହାନଦୀ ସେତୁ। ଏହି ବାଟ ଦେଇ ମାଫିଆମାନେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନାଞ୍ଚଳକୁ ଯାଆଆସ କରିଥାନ୍ତି। ଦୈନିକ ବନବିଭାଗ ପକ୍ଷରୁ ସେଠାରେ ରାତ୍ର ପାଟ୍ରୋଲିଂ କରାଗଲେ ଜିଲ୍ଲାରେ ପ୍ରାୟ ମାଫିଆଙ୍କ ଦୈାରାତ୍ମ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି।
ବାଆକୁ ବତା ସଦୃଶ ବିଭିନ୍ନ ବନାଞ୍ଚଳ ପକ୍ଷରୁ ରାତ୍ର ପାଟ୍ରୋଲିଂ କରାଯାଉଥିବା ନେଇ ବିଭାଗ ଡିଣ୍ତିମ ପିଟୁଥିବା ବେଳେ ମାଫିଆଙ୍କୁ ଧରିବାରେ ବିଫଳତା ଏବେ ପଦାରେ ପଡ଼ୁଛି। ପୂର୍ବରୁ ରାଜପଥର ବିଭିନ୍ନ ସ୍ଥାନରେ ଥିବା ଚେକ୍ପୋଷ୍ଟ ଏହି ଚୋରା ଚାଲାଣକୁ ରୋକୁଥିବା ବେଳେ ଏହାକୁ ଉଠାଇ ଦିଆଯାଇ ସେମାନଙ୍କ ପାଇଁ ନିରାପଦ ରାସ୍ତା ସୃଷ୍ଟି କରାଯାଇଛି। ହେଲେ ଗଣିଆ ରାସ୍ତାରେ ଖୁବ୍ଶୀଘ୍ର ଏକ ଚେକ୍ପୋଷ୍ଟ ନିର୍ମାଣ ପାଇଁ ପୂର୍ବତନ ବନଖଣ୍ତ ଅଧିକାରୀ ଧନରାଜ୍ ଏଚ୍.ଡି ୬ ମାସ ପୂର୍ବେ ପ୍ରକାଶ କରିଥିଲେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନାହିଁ। ଦଶପଲ୍ଲା ଭଳି ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଦିନକୁ ଦିନ ଚୋରା ଚାଲାଣ ବୃଦ୍ଧି ପାଇ ଚାଲିଥିବା ବେଳେ ମାଫିଆଙ୍କ ଆଗରେ ମୁଣ୍ତ ନୁଆଁଇବା ପୂର୍ବରୁ ବନ ବିଭାଗ ଏଥିପ୍ରତି ତ୍ବରିତ ସଜାଗ ହେବା ଆବଶ୍ୟକ ବୋଲି ପରିବେଶବିତ୍ଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/ttt.jpg)