ଭୁବନେଶ୍ୱର : କୋଭିଡ-୧୯ ପାଇଁ ମାର୍ଚ୍ଚ ମାସରୁ ସଟଡାଉନ ଓ ଲକ୍‌ଡାଉନ୍ ଲାଗି ରହିଥିଲା। ରାଜ୍ୟର ସବୁ କିଛି ବନ୍ଦ ଥିଲା। ଯାହାର ଭରପୂର ଫାଇଦା ଉଠାଇଛନ୍ତି ଶିକାରୀ। ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିକାରୀମାନେ ପଞ୍ଝା ମେଲାଇଛନ୍ତି। ବଲାଙ୍ଗୀରରୁ ଆରମ୍ଭ କରି ବୌଦ୍ଧ, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ, ମୟୂରଭଞ୍ଜରେ ଅବାଧ ଶିକାର ହୋଇଛି। ଶିକାରୀଙ୍କ ନିଶାଣରୁ ବାଘ, ହାତୀ ବି ବାଦ୍‌ ପଡ଼ିନାହାନ୍ତି। ୮ରୁ ଅଧିକ କଲରାପତରିଆ ବାଘ ଶିକାର ହୋଇଛନ୍ତି। ଯାହାକୁ ନେଇ ବନ ବିଭାଗ ନିଦ ହଜିଗଲାଣି। ଶିକାରୀଙ୍କୁ କାବୁ କରାଯାଉଥିଲେ ମଧ୍ୟ ଶିକାର ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇଛି।

Advertisment

ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୦ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଶିକାର ଶୀର୍ଷରେ ପହଞ୍ଚିଛି। ୯ ମାସ ମଧ୍ୟରେ ୨୦୦ରୁ ଅଧିକ ଶିକାରୀଙ୍କୁ କାବୁ କରାଯାଇଛି। ମେ’ ମାସରେ ବଲାଙ୍ଗୀର ଜିଲ୍ଲା କିରିବାଞ୍ଜି ଜଙ୍ଗଲରେ ଚଢ଼ଉ କରି ବାର୍‌ହା ମାଂସ ଜବତ ସହ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫ କେଜି ବାର୍‌ହା ମାଂସ, ଗୋଟିଏ ଆମେରିକାନ୍‌ ସିଙ୍ଗଲ ବୋର୍‌ ବନ୍ଧୁକ, ଛୁରି, ଟାଙ୍ଗିଆ ଓ ବାଇକ୍‌ ଜବତ କରାଯାଇଥିଲା। ଏପ୍ରିଲ ପ୍ରଥମ ସପ୍ତାହରେ କୁଟୁରା ଶିକାର କରି ମାଂସ ଖାଇଥିବା କିଛି ଯୁବକଙ୍କୁ ବନ ବିଭାଗ କାବୁ କରିଛି। ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ରେଞ୍ଜରେ ରହିଥିବା ଜଙ୍ଗଲରେ ଏକ କୁଟୁରାକୁ ଦେଶୀ ବନ୍ଧୁକ‌ରେ ଶିକାର କରି ୭ଜଣ ଯୁବକ ଭାଗ କରି ନିଜ ଘରକୁ ନେଇଥିଲେ। ଏପ୍ରିଲ ୧୫ରେ ବୌଦ୍ଧ ବନଖଣ୍ଡ ହରଭଙ୍ଗା ବ୍ଲକ୍‌ ନୂଆପଡ଼ା ଗାଁ ନିକଟ ବାଙ୍କମୁଣ୍ଡି ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ଦୁଇଜଣ ଶିକାରୀ ଧରାପଡ଼ିଥିଲେ। ଜୁନରୁ ଅକ୍ଟୋବର ମଧ୍ୟରେ ୫ରୁ ଅଧିକ କଲରପତରିଆ ବାଘ ଚମଡ଼ା ଜବତ ହୋଇଛି। ହାତୀ ଶିକାର ବି ବହୁ ପରିମାଣରେ ବଢ଼ିଛ।

ଯେଉଁ ଶିକାରୀମାନେ ଗିରଫ ହୋଇଛନ୍ତି, ସେମାନଙ୍କୁ ବନ ବିଭାଗ ପକ୍ଷରୁ ବାରମ୍ବାର ତାଗିଦ୍‌ କରାଯାଇଛି। କିଛି ଶିକାରୀଙ୍କ ନାମରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଛି। ଲକ୍‌ଡାଉନ୍‌ ସମୟରେ ବାର୍‌ହା, କୁଟୁରା, ହରିଣ, ଗୋଧି, ଗେଣ୍ଡାଳିଆ, ହଂସରାଳୀ ଆଦି ପକ୍ଷୀ ଶିକାର ବଢ଼ିଥିବା ଦେଖିବାକୁ ମିଳୁଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁଯାୟୀ, ଲକ୍‌ଡାଉନ୍‌ ପାଇଁ ବନ ବିଭାଗ କର୍ମଚାରୀ ଯେଉଁଠି ଥିଲେ, ସେଠାରେ ରହିଗଲେ। ଜଙ୍ଗଲ ଭିତରେ ସେମାନଙ୍କ ଚଳପ୍ରଚଳ କମିଗଲା। ପରିଣାମ ସ୍ବରୂପ ଶିକାରୀମାନେ ଏହାର ଫାଇଦା ଉଠାଉଛନ୍ତି। ତା’ ସାଙ୍ଗକୁ ଖରାଦିନେ ବନ୍ୟଜନ୍ତୁ ପାଣି ପିଇବା ପାଇଁ ପୋଖରୀ ନିକଟକୁ ଆସୁଥିବାରୁ ଶିକାରୀଙ୍କ କବଳରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି।

ବନ୍ୟପ୍ରାଣୀ ଶିକାର ବଢ଼ିଥବା ବେଳେ ସୁରକ୍ଷା ଦେବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ହାତୀଙ୍କ ସୁରକ୍ଷା ପାଇଁ ଲାଗୁ ହୋଇଥିବା ଗଜବନ୍ଧୁ ଯୋଜନା ଫେଲ ମାରିଛି। ଅନ୍ୟ ଯୋଜନା ବି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନଥିବା ଜଣାପଡ଼ିଛି। ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ କରୋନା ସମୟରେ ଶିକାର ବଢ଼ିଛି। ତେବେ ଶିକାର ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ବି ଗ୍ରହଣ କରାଯାଇଛି। ଜଙ୍ଗଲ ଭିତରେ ପ୍ରହରାକୁ କଡ଼ାକଡ଼ି କରିବାକୁ ବନ ଅଧିକାରୀମାନଙ୍କୁ କୁହାଯାଇଛି। ନୂଆ ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ।