ଲକଡାଉନ ସମୟରେ ମାନବିକତାର ସବୁ ସୀମା ଉଲ୍ଲଂଘନ କଲା ବନ ବିଭାଗ : ୩୩ ଆଦିବାସୀ ପରିବାରଙ୍କ ଘର ଭାଙ୍ଗି ଉଚ୍ଛେଦ କଲା

ଭବାନୀପାଟଣା : ସାରା ଭାରତବର୍ଷରେ ଲକଡାଉନ ଚାଲିଥିବା ବେଳେ କଳାହାଣ୍ଡି ବନବିଭାଗ ପକ୍ଷରୁ ମାନବିକତାର ସବୁ ସୀମା ଉଲ୍ଲଂଘନ କରାଯାଇଛି। ଶଗଡ଼ା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ପୁଲିସ ଫୋର୍ସ ଲଗାଇ ବନବିଭାଗ ଆଦିବାସୀ ପରିବାରଙ୍କୁ ଜୋର ଜୁଲମ କରି ବେଘର କରିବା ଘଟଣା ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ଗୋଟିଏ ପଟେ ଲକଡାଉନ ଓ ଅନ୍ୟପଟେ କାଳବୈଶାଖୀର ତାଣ୍ଡବରେ ବେଘର ଆଦିବାସୀ ପରିବାରର କରୁଣ କାହାଣୀ ବ୍ୟଥିତ କରିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ନେହେଲା ଓ ଶଗଡ଼ା ପଞ୍ଚାୟତର ମାଖାଗୁଡା ଗ୍ରାମରେ ୩୩ଟି ଆଦିବାସୀ ପରିବାର ରହି ଆସୁଥିଲେ। ଏହି ଗାଁକୁ ଯାତାୟାତ ପାଇଁ ରାସ୍ତା ନଥିବା ବେଳେ ଏହା ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା। ଗୋଟିଏ ପଟେ ଦୁର୍ଗମ ଅଞ୍ଚଳ ଓ ଅନ୍ୟପଟେ ମାଓ ଭୟ ନେଇ ୨୦୧୭ ମସିହାରେ ଏହି ୩୩ ଟି ପରିବାର ଶଗଡ଼ା ପ୍ରସ୍ଥାବିତ ସଂରକ୍ଷିତ ଜଙ୍ଗଲ ଆମବଳସା ବିଟ ଓ ରାକେସଦୁଣ୍ଡା ସଂରକ୍ଷିତ ଜଙ୍ଗଲର ଆଲମା ଠାରେ ୩୩ଟି ପରିବାର ରହି ଆସିଥିଲେ। ଜଙ୍ଗଲରେ ବେଆଇନ ଜବରଦଖଲ ଯୋଗୁଁ ବାରମ୍ବାର ବନବିଭାଗ ନାଲି ଆଖି ଦେଖାଇ ତାଗିଦ କରି ଆସୁଥିଲା। ଗତକାଲି ବନ ବିଭାଗ, ପୁଲିସ ଫୋର୍ସ ଓ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘର ଭାଙ୍ଗି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ବେଘର ୩୩ ଆଦିବାସୀ ପରିବାର ଲକଡାଉନ ସମୟରେ କୌଣସି ସାହାରା ନପାଇ ନିକଟସ୍ଥ ଲବଣିସର ଠାରେ ଗଛମୂଳେ ଆଶ୍ରୟ ନେଇଛନ୍ତି। ଗୋଟିଏ ପଟେ ଲକଡାଉନ ଅନ୍ୟପଟେ ଦିନବେଳେ ପ୍ରଚଣ୍ଡ ଖରାରେ ଓ ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଗତକାଲି ଠାରୁ ଏହି ପାରିବାର ସଦସ୍ୟମାନେ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ କରିବା ପରିବର୍ତ୍ତେ ଲକଡାଉନ ସମୟରେ ଉଚ୍ଛେଦ ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି।

ଏହି ୩୩ଟି ପରିବାର ଜଙ୍ଗଲ ଜମି ପଟ୍ଟା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇ ଆସୁଥିଲେ। ଲକଡାଉନ ସମୟରେ ଏଭଳି ଆମାନବୀୟ ଘଟଣାକୁ ମାନବାଧିକାର କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । ବର୍ତ୍ତମାନ ଏହି ୩୩ଟି ଆଦିବାସୀ ପରିବାର କିଭଳି ରହିବେ ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଜି ଏ ନେଇଁ ମାନବାଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ନାଏକ ଘଟଣାସ୍ଥଳରେ ପହଞ୍ଚିବା ପରେ ବନବିଭାଗ କର୍ମଚାରୀମାନେ ତାଙ୍କୁ ଠେଲାପେଲା କରିଥିଲେ ଓ ମୋବାଇଲ ଛଡେଇ ନେଇଥିଲେ । ଏପରିକି କିଛି ସାମ୍ବାଦିକ ମଧ୍ୟ ବନ କର୍ମଚାରୀଙ୍କ ଦାଦାଗିରିରୁ ବର୍ତ୍ତି ପାରି ନଥିଲେ। ଏହି ଘଟଣା ନେଇ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଛନ୍ତି । ଏ ନେଇ କର୍ଲାପାଟ ରେଞ୍ଜର ଗଜେନ୍ଦ୍ର ମାଥୁରଙ୍କୁ ପଚାରିବାରୁ ଏ ପରିବାରର ଲୋକେ ସଂରକ୍ଷିତ ଜଙ୍ଗଲରେ ଜବରଦଖଲ କରି ଘର ତିଆରି କରିବା ଆରମ୍ଭ କରିଥିଲେ ତେଣୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଉଚ୍ଛେଦ କରାଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର