ଯାଜପୁର : ଅପପୁଷ୍ଟିର ଅପବାଦ ପାଇଁ ଚର୍ଚ୍ଚାକୁ ଆସିଥିଲା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ନଗଡ଼ା। ଏହି ନଗଡ଼ା ପାଇଁ ନାକେଦମ୍‌ ହୋଇଥିଲେ ସରକାର। ହେଲେ ବନୀକରଣ ଦୁର୍ନୀତିର ଚେର ଏହି ଅଞ୍ଚଳକୁ ମାଡ଼ିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ 'ସମ୍ବାଦ' ହାତରେ ଲାଗିଛି। ଏଠି ଲୋକେ କାମ ନପାଇ ଖାଇବା ଗଣ୍ଡାକ ପାଇଁ ସଂଘର୍ଷ କରୁଛନ୍ତି। ହେଲେ, ଏହି ଅଞ୍ଚଳରେ ବନୀକରଣ କାମରେ କେନ୍ଦ୍ରାପଡ଼ା ଏବଂ ଭଦ୍ରକର ଲୋକଙ୍କ ନାମରେ ବିଲ୍‌ କରି ଅର୍ଥ ହଡ଼ପ ହୋଇଛି।

Advertisment

୨୦୧୬ରେ ନଗଡ଼ାର ଅପପୁଷ୍ଟି ନେଇ 'ସମ୍ବାଦ' ଲୋକଲୋଚନକୁ ଆଣିଥିଲା। ଏହାପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରୁ କୋଟି କୋଟି ଟଙ୍କାର ଅନୁଦାନ ସୁଅ ଛୁଟିଥିଲା। ଏଠାରେ ବନବିଭାଗ ବହୁ ଅନୁଦାନ ବ୍ୟୟ କରିଥିବା କାଗଜପତ୍ରରେ ଦର୍ଶାଇଥିଲା। ୨୦୧୭ ନଭେମ୍ବର ଓ ଡିସେମ୍ବର ୨ମାସରେ ୩୫ ଲକ୍ଷ ୭୭ ହଜାର ୧୧୦ ଟଙ୍କା ବିଭିନ୍ନ କାମ ବାବଦରେ ବ୍ୟୟ କରାଯାଇଛି। ନଗଡ଼ାର ଆଦିମ ଅଧିବାସୀ କାମ ପାଉନଥିବା ବେଳେ ବନ ବିଭାଗ କେନ୍ଦ୍ରାପଡ଼ା ଓ ଭଦ୍ରକ ଲୋକ କାମ କରିଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବିଲ୍ କରିଛି।

୨୦୧୭ ନଭେମ୍ବର ଓ ଡିସେମ୍ବର ମାସରେ ସୁକିନ୍ଦା ରେଞ୍ଜର ଅଧୀନ ନଗଡା ନିକଟ ଦୈତାରୀ ସୀମା ନିର୍ଦ୍ଧାରିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପଥୁରିଆ ମାଟିରେ ମାଟି କାମ, ଢେଲା ଭାଙ୍ଗିବା, ବନ୍ଧ କରିବା ଓ ପଥରକୁ ଡ୍ରେସିଂ କରିବା ଆଦି କାମ ହୋଇଥିଲା। ୨୦୧୭ ନଭେମ୍ବରରେ ଭାଉଚର ନମ୍ବର ୩ ରୁ ୨୬ ରେ ୧୧ ଲକ୍ଷ ୩୯ ହଜାର ୧୨୮ ଟଙ୍କା ଓ ଡିସେମ୍ବରରେ ଭାଉଚର ନମ୍ବର ୩୦ ରୁ ୩୩ ଓ ୪୨ ରୁ ୫୫ରେ ୮ ଲକ୍ଷ ୮୧ ହଜାର ୮୬୪ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହି ବିଲ୍‌ ଭଦ୍ରକ ଜିଲ୍ଲାର ଅଶୋକ ଧଳଙ୍କ ନାମରେ ହୋଇଛି। ସେହିପରି ୨୦୧୭ ଡିସେମ୍ବର ମାସରେ କେନ୍ଦ୍ରାପଡା ଜିଲ୍ଲାର ଶରତ ଜୀଅଙ୍କ ନାମରେ ଭାଉଚର ନମ୍ବର ୫୭ ରୁ ୬୮ ଏବଂ ୮୦,୮୧ ରେ ୭ ଲକ୍ଷ ୭୩ ହଜାର ୯୮୩ ଟଙ୍କା, ପିତାମ୍ବର ବାରିକ(ସୁକିନ୍ଦା)ଙ୍କ ନାମରେ ଭାଉଚର ନମ୍ବର ୭୦ ରୁ ୭୩ ରେ ୧ ଲକ୍ଷ ୭୨ ହଜାର ୬୩୯ ଟଙ୍କା, ସୁନିଲ ଓଝା(କାଳିଆପାଣି)ଙ୍କ ନାମରେ ଭାଉଚର ନମ୍ବର ୭୪ ରୁ ୭୭ରେ ୧ଲକ୍ଷ ୪୪ ହଜାର ୮୪୧ ଟଙ୍କା, ଶୁଭେନ୍ଦୁ ସାହୁ(କେନ୍ଦ୍ରାପଡ଼ା)ଙ୍କ ନାମରେ ଭାଉଚର ନମ୍ବର ୬୯ ଓ ୮୨ ରୁ ୮୪ ରେ ୨ ଲକ୍ଷ ୨୪ ହଜାର ୪୩୫ ଟଙ୍କା ଓ ସୁଧାଂଶୁ ସାହୁ(କେନ୍ଦ୍ରାପଡ଼ା)ଙ୍କ ନାମରେ ଭାଉଚର ନମ୍ବର ୮୫ ରୁ ୮୮ ରେ ୨ ଲକ୍ଷ ୪୦ ହଜାର ୨୨୦ ଟଙ୍କା ପ୍ରଦାନ କରାଯାଇଛି ବୋଲି ବିଲ୍ ହୋଇଛି। ମୋଟ ୭୦ଟି ଭାଉଚର ଜରିଆରେ ଏହି ଦୁଇମାସରେ ୩୫ ଲକ୍ଷ ୭୭ ହଜାର ୧୧୦ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।

ନଗଡ଼ାର ଆଦିମ ଅଧିବାସୀମାନେ ଖାଇବାକୁ ନପାଇବା ଏବଂ ସେମାନଙ୍କ ପିଲାମାନେ ଅପପୁଷ୍ଟିରେ ମରୁଥିବା‌ବେଳେ ବନ ବିଭାଗ କେନ୍ଦ୍ରାପଡ଼ା ଓ ଭଦ୍ରକ ଲୋକଙ୍କ ଜରିଆରେ କିପରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛି ସେ ନେଇ ଚର୍ଚ୍ଚା ଜୋର ଧରିଛି।