କରୋନାରେ ସମ୍ବଲପୁର ଓ ବାଲେଶ୍ବରରୁ ସାମଗ୍ରୀ ଆସିଛି
ଚୌଦ୍ବାର, ମାର୍ଶାଘାଇ, ବିଂଝାରପୁରର ଶ୍ରମିକ ଟମକାରେ କାମ କରିଛନ୍ତି
ଦମ୍ପତିଙ୍କ ନାମରେ ବି ଲକ୍ଷଲକ୍ଷ ଟଙ୍କା ଚଳୁ
ଯାଜପୁର : କରୋନା ପ୍ରକୋପକୁ ପ୍ରତିହତ କରିବା ପାଇଁ ଲକ୍ଡାଉନ୍, ସଟ୍ଡାଉନ୍ କରାଯାଇଥିଲା। ଗାଡ଼ି ଚଳାଚଳ ପ୍ରାୟତଃ ବନ୍ଦ ଥିଲା। ତେବେ ଏହି ସମୟରେ କିନ୍ତୁ ଯାଜପୁର ଜିଲ୍ଲାର ବିଭିନ୍ନ ନର୍ସରି ପାଇଁ ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ କିଣାଯାଇଥିଲା। ସମ୍ବଲପୁରରୁ କୀଟନାଶକ ଏବଂ ବାଲେଶ୍ବରରୁ ପଲିଥିନ୍ ଯୋଗାଣ ହୋଇଥିଲା। ଆଉ କାମରେ ଲାଗିଥିଲେ ଚୌଦ୍ବାର, ମାର୍ଶାଘାଇ(କେନ୍ଦ୍ରାପଡ଼ା), ବିଂଝାରପୁର ଆଦି ଅଞ୍ଚଳର ଶ୍ରମିକ। ବନ ବିଭାଗ ଦ୍ବାରା ଗତ ଏପ୍ରିଲ ମାସରେ ହୋଇଥିବା ଏଭଳି କାରବାର ଆଶ୍ଚର୍ଯ୍ୟ ଚକିତ କଲାଭଳି। ଯାଜପୁର ଜିଲ୍ଲାର ୪ଟି ରେଞ୍ଜ ଡାଲିଯୋଡ଼ା, ସୁକିନ୍ଦା, ଟମକା ଓ ଯାଜପୁରରୋଡ଼ ବନ ବିଭାଗ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଉନ୍ମୋଚିତ ହେଉଥିବା ବେଳେ ନାମମାତ୍ର ତଦନ୍ତ କରି ସମସ୍ତେ ଚୁପ୍ ବସିଛନ୍ତି। ୫ବର୍ଷ ମଧ୍ୟରେ ନର୍ସରି, ବନୀକରଣ ଓ ଜଙ୍ଗଲ ସୁରକ୍ଷା ବାବଦରେ ଜାଲ କାଗଜପତ୍ରରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି।
‘ସମ୍ବାଦ’ ଅନୁସନ୍ଧାନ ଟିମ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଟମକା ରେଞ୍ଜର ସ୍ଥାୟୀ ନର୍ସରି, ନଡିଆଭଙ୍ଗା ଅସ୍ଥାୟୀ ନର୍ସରି, ଚମ୍ପାଝର ଡିଟ୍ରିବୁଟାରି ନର୍ସରି ଓ କଂସ ଅସ୍ଥାୟୀ ନର୍ସରି ପ୍ରଭୃତିରେ ୨୦୨୦ ଏପ୍ରିଲ ମାସରେ ଓମବାଡସି ଓ ଡିଏମଏଫ୍ ଅନୁଦାନରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ଦର୍ଶାଯାଇଛି। ଓମବାଡସି ଅନୁଦାନରୁ ଏମବି ନମ୍ବର- ୬୫୬,୨୩୩, ୬୪୮,୨୬୩,୨୩୫ ଓ ଡିଏମ୍ଏଫ ଅନୁଦାନ ଏମବି ନମ୍ବର- ୬୫୨, ୬୪୬, ୬୫୫, ୬୫୮ରେ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି। ସେଥିରେ ଚାରା ଉତ୍ପାଦନ ପାଇଁ ମଞ୍ଜି, କ୍ଷେତ୍ର ପ୍ରସ୍ତୁତି, ବିଭିନ୍ନ ସାମଗ୍ରୀ କ୍ରୟ ବାବଦରେ ଅର୍ଥ ବ୍ୟୟ କରାଯାଇଛି। ପ୍ରକାଶଥାଉ କି, ଚମ୍ପାଝର ନର୍ସରିରୁ ୭୦କିମି ଦୂର ବୈରୀ ରେଞ୍ଜ ନିକଟସ୍ଥ ଗାଁର ଦମ୍ପତି କରୋନା ସମୟରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଇଛନ୍ତି। ହାତ ଭାଉଚର ମାଧ୍ୟମରେ ସରକାରୀ ଅନୁଦାନ ପୈଠ କରାଯାଇଛି। ବୈରୀ ଗ୍ରାମର କଳିଙ୍ଗ ସାମଲ ବିଭିନ୍ନ ମଞ୍ଜି , ଷ୍ଟମ୍ପ ଯୋଗାଣ କରିଥିବା ବେଳେ ତାଙ୍କ ପତ୍ନୀ ପୁଷ୍ପଲତା ସିଂହ ମଧ୍ୟ ବାଉଁଶ, ଟିଣ, ପ୍ଲାଷ୍ଟିକ୍ ରସି, ବାଉଙ୍ଗି ପ୍ରଭୃତି ଯୋଗାଣ କରି ଲକ୍ଷ ଲକ୍ଷ ଟଙ୍କା ନେଇଥିବା କାଗଜପତ୍ରରେ ଉଲ୍ଲେଖ ଅଛି। କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ଏମାନେ ୭୦କିମି ଦୂରରୁ କିପରି ଟମକା ରେଞ୍ଜ ଅଧୀନ ଚମ୍ପାଝର ନର୍ସରିକୁ ସାମଗ୍ରୀ ପଠାଇଲେ ତାହା ତଦନ୍ତ ସାପେକ୍ଷ।
ସେହିପରି ବାଲେଶ୍ବରସ୍ଥିତ ଶିଳ୍ପାଞ୍ଚଳର ମଡର୍ଣ୍ଣ ପଲିପ୍ୟାକ୍ ଇଣ୍ଡଷ୍ଟ୍ରିଜ୍ରୁ ପଲିଥିନ୍ ବ୍ୟାଗ୍ କିଣାଯାଇଥିବାବେଳେ ସମ୍ବଲପୁରସ୍ଥିତ ଓଡ଼ିଶା ଖାଉଟି ସମବାୟ ମହାସଂଘରୁ କୀଟନାଶକ ଔଷଧ କିଣାଯାଇଥିବାର ଭାଉଚର ହୋଇଛି। ଦୂରଦୂରାନ୍ତ ଜିଲ୍ଲାରୁ ଏହି ସାମଗ୍ରୀ କାହିଁକି କିଣାଗଲା ଏବଂ କିଭଳି ଏଠାରେ ଆସି ପହଞ୍ଚିଲା ବୋଲି ପ୍ରଶ୍ନ ଉଠୁଛି। ସେହିପରି ଏହି ନର୍ସରିରେ ସୁଦୂର ଚୌଦ୍ବାର, ମାର୍ଶାଘାଇ(କେନ୍ଦ୍ରାପଡ଼ା), ବିଂଝାରପୁର ପ୍ରଭୃତି ଅଞ୍ଚଳର ଶ୍ରମିକଙ୍କୁ କାମରେ ଲଗାଯାଇଥିଲା ବୋଲି ତଥ୍ୟ କହୁଛି। ବନବିଭାଗ କର୍ମଚାରୀ ଓ ତାଙ୍କ ସମ୍ପର୍କୀୟମାନେ ସାମଗ୍ରୀ ଯୋଗାଣ କରିବା ସହ ଶ୍ରମିକ ଦଲାଲ ସାଜିଛନ୍ତି। ଏହି ମହାଦୁର୍ନୀତର ତଦନ୍ତ ହେଲେ ଅନେକ ଗୁମର ଖୋଲିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/plant.jpg)
