ଗଛ ନଲଗାଇ ପାଣି ସିଞ୍ଚନ, ସାମଗ୍ରୀ ପରିବହନ : ମାରୁତି ଭ୍ୟାନ୍‌କୁ ଟ୍ରକ୍‌, ବାଇକ୍‌କୁ ଟ୍ରାକ୍ଟର ଦର୍ଶାଇ ଲୁଟିଲେ

ବନବିଭାଗ ଦୁର୍ନୀତି: ଟମ୍‌କା ରେଞ୍ଜ୍‌ରେ ବି ଜାଲିଆତି

ଯାଜପୁର : ଯେତେ ଖୋଳିଲେ ସେତେ ବାହାରୁଛି! ବନ ବିଭାଗର ଦୁର୍ନୀତି ଚେର ଚାରିଆଡକୁ ମାଡ଼ି ଯାଇଛି। ଯାଜପୁର ରୋଡ ‌ରେଞ୍ଜ ଭଳି ସମାନ ତରିକାରେ ଟମକା ରେଞ୍ଜରେ ମଧ୍ୟ ଅର୍ଥ ହରିଲୁଟ୍‌ ହୋଇଛି। ବନୀକରଣ ପାଇଁ ଆବଶ୍ୟକ ସାମଗ୍ରୀ ତଥା ସିମେଣ୍ଟ ଖୁଣ୍ଟ, କଣ୍ଟାବାଡ଼ ପରିବହନ ହୋଇଛି ମାରୁତି କାର୍‌ରେ। ସେହିପରି ବାଇକ୍‌କୁ ପାଣି ଟ୍ୟାଙ୍କର ଦର୍ଶାଇ ପୁଳାପୁଳା ଅର୍ଥ ଗିଳି ଦେଇଛନ୍ତି ବିଭାଗୀୟ ଅଧିକାରୀ। ‘ସମ୍ବାଦ’ ଅନୁସନ୍ଧାନରୁ ଏହା ଧରାପଡ଼ିବା ପରେ ମୂଳରୁ ବନୀକରଣ ହୋଇନି କି ସାମଗ୍ରୀ କିଣାଯାଇନି ବୋଲି ଜଳଜଳ ଦେଖାଯାଉଛି।

ମିଳିଥିବା ତଥ୍ୟ ଅନୁସାରେ, ଟମକା ରେଞ୍ଜରେ ଓମ୍‌ବାଡସି ଅନୁଦାନରେ ସହରୀ ବନୀକରଣ ଯୋଜନାରେ ଜରିଗିସାହି ଠାରେ ୫ହଜାର ଗଛ ଲଗାଯାଇଛି। ଏହି ଗଛରେ ପାଣି ଦେବାପାଇଁ ଜୁନ୍ ମାସ ୨୦୧୮ ମସିହାରେ କମରଦା ପୋଖରୀରୁ ଓଆର୍୦୪ଡି – ୪୧୯୨/୪୧୯୩ ଟ୍ରାକ୍ଟର ଓ ପାଣି ଟ୍ୟାଙ୍କରରେ ପାଣି ଦିଆଯାଇଛି ବୋଲି ବିଲ୍ କରି ୩୦ ହଜାର ଟଙ୍କା ବ୍ୟୟ ହୋଇଛି। କିନ୍ତୁ ଏହି ନମ୍ବର ଦୁଇଟି ନମ୍ବର ହିରୋହଣ୍ଡା ସ୍ପ୍ଲେଣ୍ଡର ମୋଟର ସାଇକଲ। ଏହା ବିଭୂତି ଭୂଷଣ ପଣ୍ଡା ଓ ସସ୍ମିତା ଦାଶ ନାମରେ ଅଛି। ସେହିପରି ଓଆର୍୦୪ଏଫ୍ ୨୯୫୧/୨୯୫୨ ନମ୍ବର ଟ୍ରାକ୍ଟର ଓ ପାଣି ଟ୍ୟାଙ୍କର ବୋଲି ଏମ୍‌ବି ନମ୍ବର ୨୭୭ର ପୃଷ୍ଠା ସଂଖ୍ୟା – ୩୯ରେ ଦର୍ଶାଯାଇ ୬୦ହଜାର ଟଙ୍କା ବ୍ୟୟ କରାଯାଇଛି। ଏହି ଓଆର୍୦୪ଏଫ୍-୨୯୫୧ ନମ୍ବରର କୌଣସି ତଥ୍ୟ ମିଳୁ ନ ଥିବାବେଳେ ଓଆର୍୦୪ଏଫ୍-୨୯୫୨ ନମ୍ବରଟି ବଜାଜ୍ କ୍ୟାଲିବର ମୋଟର ସାଇକେଲ ବୋଲି ଜଣାପଡ଼ିଛି। ଏହା ଅଶୋକ ରାଉତଙ୍କ ନାମରେ ଅଛି। ଅନୁରୂପ ଭାବେ ସହରୀ ବନୀକରଣ ଯୋଜନା ୨୦୧୯-୨୦ ରେ ଦକ୍ଷିଣପୋଶି ଠାରେ ଲଗାଯାଇଥିବା ଗଛ ପାଇଁ କଂକ୍ରିଟ ଖୁଣ୍ଟ ଓ କଣ୍ଟା ତାରବାଡ଼ ପରିବହନ କରିବାକୁ ଓଆର୍୦୪ବି ୩୮୮୯ନମ୍ବର ଟ୍ରକ ବ୍ୟବହାର କରାଯାଇଥିବା ଦର୍ଶାଇ ଭଡ଼ା ବାବଦରେ ୧୮ ହଜାର ଟଙ୍କା ବିଲ୍ କରାଯାଇଛି। ଯାହାକି ଏମ୍‌ବି ନମ୍ବର ୫୫୪ର ପୃଷ୍ଠା ସଂଖ୍ୟା – ୧୧ରେ ଦର୍ଶାଯାଇଛି। ଏହି ଓଆର୍୦୪ବି -୩୮୮୯ ନମ୍ବରଟି ଗୋଟିଏ ମାରୁତି ଓମ୍‌ନି କାର୍ ବୋଲି ଜଣାପଡ଼ିଛି। ଏହାର ମାଲିକ ସଂଧ୍ୟାରାଣୀ ଦାସ। ଏହି ରେଞ୍ଜରେ ଶ୍ରମିକ ମଜୁରି ଓ ଜଙ୍ଗଲ ଭିତରେ ନିର୍ମାଣ କାମ ବାବଦରେ କୋଟି କୋଟି ଟଙ୍କାର ଅନୁଦାନ ହରିଲୁଟ କରାଯାଇଛି। କରୋନାବେଳେ ଉତ୍ତର,ଦକ୍ଷିଣ, ପଶ୍ଚିମ ଓଡ଼ିଶାର ଲୋକଙ୍କ ନାମରେ ବିଲ୍ କରାଯାଇଛି। ଅଥଚ ସେପରି କିଛି କାମ ହୋଇନଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି। ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରାଯାଇ ଅନୁଦାନ ଅର୍ଥ ଚଳୁ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ କୋଟି ଟଙ୍କାର କେଳେଙ୍କାରୀ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ବନ ବିଭାଗର କଟକ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲ୍ଲାର ୪ଟି ରେଞ୍ଜରେ ଆଖିବୁଝା ଦୁର୍ନୀତି ହୋଇଛି। ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପରେ ଜଙ୍ଗଲ ଓ ପରିବେଶ ବିଭାଗରେ ଛାନିଆ ପଶିଯାଇଛି। ଅଧିକାରୀମାନେ ଘନଘନ ଗୁପ୍ତ ବୈଠକ କରୁଛନ୍ତି। କାମ୍ପା, ଡିଏମ୍ଏ‌ଫ, ଓମବାଡସି, ମନରେଗା ପ୍ରଭୃତି ଅନୁଦାନରୁ ବନୀକରଣ ଓ ଜଙ୍ଗଲ ସୁରକ୍ଷା ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଛି। ଆଜି ଯାଜପୁରରୋଡ଼ ରେଞ୍ଜରେ ବନୀକରଣ କାମରେ ମୋଟର ସାଇକଲେ ଓ ସ୍କୁଟିକୁ ଟ୍ରାକ୍ଟର,ପାଣି ଟ୍ୟାଙ୍କର ଦର୍ଶାଇ ଅର୍ଥ ଚଳୁ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜଙ୍ଗଲ ବିଭାଗ ଅଧିକାରୀ ମଧ୍ୟରେ ଭାଳେଣି ପଡ଼ିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର