ରକ୍ଷକ ଯିଏ, ଭକ୍ଷକ ସିଏ! ୨ ଶହ ଗଛ କାଟିଦେଲେ ବନ ବିଭାଗ

ଅଭିଯୋଗ ପରେ ବିଭାଗକୁ ବିଭାଗ ଦୋଷ ଠେଲାଠେଲି

ପାଳଲହଡା : ଦଳବଳ ଧରି ଆସିଲେ। ଦିନଦ୍ବିପହରେ ଜଣେ ପ୍ରଜାଙ୍କ ରୟତି ଜମିରେ ପଶି ହାଣି ପକାଇଲେ ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ବଢିଲା ଗଛ। ପ୍ରତିବାଦ କରିବାରୁ ଧମକ ଦେଲେ ‘ପାଟିକଲେ ପୁଲିସ ଲଗାଇ ଜେଲ୍‌ରେ ଭରିଦେବୁ’। ଅନ୍ୟ କେହି ନୁହେଁ, ଗଛକୁ ସୁରକ୍ଷା ଦେଉଥିବା ଖୋଦ୍‌ ବନ ବିଭାଗର କର୍ମଚାରୀମାନେ ପାଳଲହଡ଼ା ବ୍ଲକ୍ ବତିସୁଆଁ ପଞ୍ଚାୟତ ଶ୍ରୀରାମପୁର ଗାଁ ନିକଟ ରାସ୍ତା ପାର୍ଶ୍ବରେ ପ୍ରାୟ ୩୩ ବର୍ଷ ହେଲା ବାସ କରୁଥିବା ରେଙ୍ଗାଳି ବିସ୍ଥାପିତ ଜଣେ ପ୍ରଜାଙ୍କ ରୟତି ଜମିରୁ ଏଭଳି ଢଙ୍ଗରେ ୨ ଶହରୁ ଅଧିକ ମୂଲ୍ୟବାନ ଗଛ କାଟି ତଳେ ଗଡ଼ାଇଛନ୍ତି।

ସୂଚନା ଅନୁଯାୟୀ, ୧୯୮୩ ମସିହାରେ ରେଙ୍ଗାଳି ଜଳଭଣ୍ତାର ଦ୍ବାରା ବିସ୍ଥାପିତ ପାଳଲହଡା ବ୍ଲକ୍‌ ପୁରୁଣା ଗୁରୁସୁଲେଇ ଗାଁର ଆଦିବାସୀ ପ୍ରଜା ସ୍ବର୍ଗତ କୁବେର ଗୋଚ୍ଛାୟତଙ୍କୁ ସରକାରଙ୍କ ଥଇଥାନ ଯୋଜନାରେ ଶ୍ରୀରାମପୁର ଗାଁ ପାଖ ରାସ୍ତା କଡ଼ରେ ଜାଗା ଦିଆଯାଇଛି। ରେଙ୍ଗାଳି ଥଇଥାନ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଏହି ୨ ଏକର ୭୦ ଡେସିମିଲ୍‌ ଜାଗା ମିଳିଛି। ସେଥିରୁ ଘରବାଡ଼ି ୫୦ ଡେସିମିଲ୍‌ ଓ ତଇଳା ୨ ଏକର ୨୦ ଡେସିମିଲ୍‌। ଏହି ଜାଗାର ପଟ୍ଟା ମିଳିଛି ଏବଂ କୁବେରଙ୍କ ପରିବାର ଏହାର ଖଜଣା ମଧ୍ୟ ଦେଉଛନ୍ତି। ଶ୍ରୀରାମପୁର ଆର୍‌ଆଇ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ଦୂରରେ ସ୍ବର୍ଗତ କୁବେର ଗୋଚ୍ଛାୟତଙ୍କ ଘର। ତାଙ୍କ ପରିବାରକୁ ସୂଚନା ନଦେଇ ବନ ନିଗମ ଗତମାସ ୧୯ ତାରିଖରେ ତାଙ୍କ ତଇଳାରୁ ୨ଶହ ଶାଳ ଓ ମହୁଲ ଗଛ କାଟି ଦେଇଛି। ଏଠାରେ ତାଳଚେର-ବିମଳାଗଡ଼ ରେଳପଥର ପ୍ଲାଟଫର୍ମ ହେବ ବୋଲି କହି ଗଛ କଟାଯାଇଛି। ସ୍ବର୍ଗତ କୁବେର ଗୋଚ୍ଛାୟତଙ୍କ ପୁଅ କାଳୀଚରଣ, ନାତି ଚୌଧୁରୀ ଓ ଶଙ୍କର ପ୍ରତିବାଦ କରିବାରୁ ‘ଏହା ସରକାରୀ ଜାଗା, ପାଟିକଲେ ପୁଲିସ ଲଗାଇବୁ’ ବୋଲି ବନ ବିଭାଗ, ନିଗମ ଓ ଆର୍‌ଆଇ ଧମକ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଦେବଗଡ଼ ରେଙ୍ଗାଳି ବାସଚ୍ୟୁତ ଥଇଥାନ କାର୍ଯ୍ୟାଳୟର ସୁପାରିସ କ୍ରମେ ପାଳଲହଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପଟ୍ଟା ଦିଆଯାଇଛି। କୁବେରଙ୍କ ପରିବାର ଏଠାରେ ୩୩ ବର୍ଷ ହେଲା ବାସ କରୁଛନ୍ତି। ଏହା ସତ୍ତ୍ବେ ଦିନ ଦିପହରେ ଜୋରଜବରଦସ୍ତ ଗଛ କାଟିପକାଇଲେ। ଚୌଧୁରୀ ଓ ଶଙ୍କର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଗଛକଟା ବନ୍ଦ ରହିଥିବା ଉଭୟେ କହିଛନ୍ତି। ଏ ନେଇ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାଇଛନ୍ତି।

ଏ ସଂପର୍କରେ ପାଳଳହଡା ତହସିଲଦାର ସ୍ବାଗତ ଦାସ କହିଛନ୍ତି, ଆମର ଭୁଲ ନାହିଁ। ରେଳପଥ କାର୍ଯ୍ୟାଳୟ କର୍ମଚାରୀଙ୍କ ସୁପାରିସ ନେଇ ବନ ବିଭାଗ ଗଛ କାଟିଛି। ବନ ନିଗମ ପକ୍ଷରୁ କୁହାଯାଇଛି, ଆମର ଦୋଷ ନାହିଁ। ପାଳଲହଡ଼ା ବନ ବିଭାଗ ସୁପାରିସ କରିବାରୁ ଆମେ ଗଛ କାଟିଲୁ। ରେଞ୍ଜର ଦୁର୍ଯ୍ୟୋଧନ ଗେରାଇ କହିଛନ୍ତି, ଆମକୁ କୁହାଗଲା ଏହା ସରକାରୀ ଜାଗା। ରେଳ ବିଭାଗ କର୍ମଚାରୀ ଆମକୁ ଯେଉଁ ସରାକରୀ ତଥ୍ୟ ଦେଲେ, ତା ବଳରେ ଆମେ ଗଛ କାଟିବାକୁ ନିର୍ଦ୍ଦେଶ ଦେଲୁ। ରେଳ ବିଭାଗ ଅଧିକାରୀ କହିଛନ୍ତି, ରେଙ୍ଗାଳି ବିସ୍ଥାପିତ ଥଇଥାନ ଅଧିକାରୀଙ୍କ ସୁପାରିସ କ୍ରମେ ତହସିଲ ପକ୍ଷରୁ ଏହି ଜାଗାର ପଟ୍ଟା ଦିଆଯାଇଥିଲେ ବି ଏହାର ସଂଶୋଧନ କରାଯାଇନାହିଁ। ସଂଶୋଧନ ଦାୟିତ୍ବ ତହସିଲ କାର୍ଯ୍ୟାଳୟର। ସରକାରୀ ଜାଗା ପ୍ରଜାଙ୍କୁ ପ୍ରଦାନ ପରେ ସଂଶୋଧନ କରା ନ ଯିବା ପାଇଁ ଆମେ ଦାୟୀ ନୁହଁ ବୋଲି ରେଳ ବିଭାଗ କର୍ମଚାରୀ କହିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର