ବନବିଭାଗ ହାତୀ ଟ୍ରାକିଂ ପ୍ରହସନ: ଯେଉଁଠି ହାତୀ ନ ଥିଲା, ସେଇଠି ହାତୀଛୁଆ ମଲା କେମିତି?

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବାରବାଙ୍କ ଜଙ୍ଗଲରେ ହୋଇଥିବା ଛୁଆହାତୀର ମୃତ୍ୟୁକୁ ନେଇ ଅଡ଼ୁଆରେ ପଡ଼ିଛି ବନ ବିଭାଗ। ବନ ବିଭାଗର ଟ୍ରାକିଂ ତଥ୍ୟ ଅନୁସାରେ ଘଟଣାର ୫ ଦିନ ପୂର୍ବରୁ ବାରବାଙ୍କ ଜଙ୍ଗଲ ବଡ଼ଜିଉଳି ନିକଟରେ କୌଣସି ହାତୀ ନଥିଲେ। ହେଲେ ହାତୀଛୁଆର ମୃତ‌ଦେହ କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି। ବନ ବିଭାଗର ହାତୀ ଟ୍ରାକିଂ ପ୍ରହସନ ପାଲଟିଛି। ସଠିକ୍‌ ଢଙ୍ଗରେ ଟ୍ରାକିଂ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲେ ହୁଏତ ଛୁଆହାତୀଟି ମୃତ୍ୟୁମୁଖରୁ ବଞ୍ଚି ପାରିଥାନ୍ତା ବୋଲି କୁହାଯାଉଛି।

୨୦୨୧ ମସିହାରେ ଜିଲ୍ଲାରେ ବିଭିନ୍ନ କାରଣରୁ ୬ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦୁର୍ନାମ ମୁଣ୍ଡାଇଥିଲା। ଏବେ ବର୍ଷ ଆରମ୍ଭରୁ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ବନଖଣ୍ଡରେ ହାତୀପଲଙ୍କ ଗତିବିଧି ଜାଣିବା ପାଇଁ ନିୟମିତ ଟ୍ରାକିଂ କରାଯାଇଥାଏ। ଏହାଦ୍ବାରା ହାତୀପଲ କେଉଁଠି ରହିଲେ ସେ ସମ୍ପର୍କରେ ଜଣାପଡ଼ିଥାଏ। ଟ୍ରା‌କିଂ ଦ୍ବାରା ହାତୀଙ୍କ ଗତିପଥ ଜାଣିବା ପରେ ନିକଟସ୍ଥ ଗ୍ରାମବାସୀଙ୍କୁ ଅବଗତ କରାଯାଇଥାଏ।

ଲୋକେ ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରିଥାନ୍ତି। ୨ ତାରିଖରେ ବାରବାଙ୍କ ଜଙ୍ଗଲର ବଡ଼ଜିଉଳି ଗାଁ ନିକଟରେ ଏକ ହାତୀଛୁଆର ମୃତ୍ୟୁ ପରେ ହାତୀ ଟ୍ରାକିଂ ବ୍ୟବସ୍ଥାକୁ ଅନେକ ପ୍ରଶ୍ନ ଉଙ୍କି ମାରିଛି। କାରଣ ହାତୀ ମରିଥିବା ସ୍ଥାନ ଯେଉଁଠି ଦର୍ଶଯାଇଛି, ସେଠାରେ ଶେଷ ୫ ଦିନ ମଧ୍ୟରେ ଗୋଟିଏ ବି ହାତୀ ନଥିବା ସୂଚନା ମିଳିଛି। ଯଦି ସେଠାରେ ହାତୀ ନଥିଲେ ହାତୀଛୁଆର ମୃତଦେହ କେଉଁଠୁ ଆସିଲା? କେନ୍ଦୁଝର ଜିଲ୍ଲାରେ ହାତୀ ଟ୍ରାକିଂ ବ୍ୟବସ୍ଥା ଠିକ୍‌ଠାକ୍‌ ଚାଲିଛି ନା ଏହା କେବଳ ଉପର ଠଉରିଆ ଭାବେ କରାଯାଉଛି?

ସମ୍ବନ୍ଧିତ ଖବର