ପିପିଲି ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତାର ପତ୍ତା ପାଉନି ବନ ବିଭାଗ, ଦନ୍ତାକୁ ଖୋଜି ଖୋଜି ବନ ବିଭାଗ କର୍ମଚାରୀ ନାକେଦମ୍‌

ପିପିଲି : ଗତକାଲି ପିପିଲି ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତାକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡିଛି। ଦନ୍ତାକୁ ଘଉଡ଼ାଇବା ଅଭିଯାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରଖିଥିବା ବନ ବିଭାଗକୁ ଚକମା ଦେଇ ଫେରାର୍‌ ହୋଇଯାଇଛି ଦନ୍ତା। ଖୋର୍ଦ୍ଧା ଡିଏଫ୍‌ଓଙ୍କ ନେତୃତ୍ବରେ ଦନ୍ତାକୁ ବରୁଣେଇ ପାହାଡକୁ ଘଉଡାଇବାକୁ ଉଦ୍ୟମ ଚଳାଇଥିବା ବେଳେ ଘନ କୁହୁଡି ଯୋଗୁଁ ଦନ୍ତାକୁ ଖୋଜିବାରେ ନାକେଦମ ହେବାକୁ ପଡିଛି ବନ ବିଭାଗର କର୍ମଚାରୀମାନଙ୍କୁ। ଇତିମଧ୍ୟରେ ଦନ୍ତା ଗତକାଲି ରାତିରେ କଣ୍ଟି ନୟାନଦୀ ବ୍ରିଜ୍‌ ପାର ହୋଇଯାଇଥିବା ସୂଚନା ମିଳିଛି। ଦନ୍ତା ସନ୍ଧା‌ନରେ ୫୦ ଜଣିଆ ଟିମ୍‌ ଜୋରଦାର ପ୍ରୟାସ ଜାରି ରଖିଛି। ନରହନ୍ତା ଦନ୍ତା ଘଟଣା କେବଳ ବଳଙ୍ଗା, ପିପିଲି ଅଞ୍ଚଳରେ ସୀମିତ ନାହିଁ। ପୂରା ଜିଲ୍ଲା ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛି। ବିଶେଷ କରି ବ୍ରହ୍ମଗିରି, କଣାସ, ଡେଲାଙ୍ଗ ଓ ସଦର ବ୍ଲକ୍‌ର ଲୋକେ ଏହାକୁ ନେଇ ଅଧିକ ଆତଙ୍କିତ ଅଛନ୍ତି। କାରଣ ହାତୀମାନଙ୍କ ଏହା ଚଳପ୍ରଚଳ ରାସ୍ତା। ଏଭଳି ପରିସ୍ଥିତିରେ ଏହି ହାତୀମାନେ କେଉଁ ଆଡ଼େ ପଶିବେ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଯାହା ସମଗ୍ର ଜିଲ୍ଲାକୁ ଆତଙ୍କିତ କରି ରଖିଛି।

ସୂଚନାଯୋଗ୍ୟ ଯେ, ଗତକାଲି ବଳଙ୍ଗା ଓ ଆଖପାଖ ଅଞ୍ଚଳରେ ୪ ଜଣଙ୍କୁ କଚାଡ଼ି ମାରିଛି। ଆକ୍ରମଣରେ ୬ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଆଖପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ଗାଁ ଗଣ୍ଡା ଜନଶୂନ୍ୟ ହୋଇଯିବା ସହ ଘରେ ଘରେ ତାଟିକବାଟ ପଡ଼ିଛି।

ସମ୍ବନ୍ଧିତ ଖବର