କୋଟିଆ ମୁହାଁ ମହାବଳ! କୋରାପୁଟ ବନ ବିଭାଗ ସଜାଗ୍‌, ଟିମ୍‌ ମୁତୟନ

୨୦ କିମି ପରିସୀମାରେ ରହିଛି ମହାବଳ: ଡିଏଫଓ

କୋରାପୁଟ: ପୁଣି କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ମୁହଁ ହୋଇଛି ମହାବଳ ବାଘ।  ବାଘଟି ଆଜି ଆନ୍ଧ୍ର ପ୍ରଦେଶ କାସ୍ପାଭାଲସା ବନ ବିଭାଗ ଅନ୍ତର୍ଗତ ଅଞ୍ଚଳ ଓ କୋଟିଆ ସୀମାନ୍ତରେ ବିଚରଣ କରୁଥିବା ଜଣାପଡିଛି। ଉଭୟ ଆନ୍ଧ୍ର ଓ ଓଡ଼ିଶା ବନ ବିଭାଗ ପକ୍ଷରୁ ସଚେତନ କରାଯାଉଥିବା ବେଳେ ଗହନ ବନରେ ରହିଥିବା ଜଣାପଡିଛି। କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ. ଅଖତର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ମହାବଳ ଦୁଇଦିନ ତଳେ କାସ୍ପାବାଲସା‌ଠାରୁ ୭୫ କିଲୋମିଟର ପରିସୀମା ମଧ୍ୟରେ ରହିଥିଲା ବେଳେ ଏହି ଅଞ୍ଚଳରେ ଗାଈକୁ ମାରିଥିଲା। କିନ୍ତୁ ଆଜି ଓ ଗତକାଲି ମଧ୍ୟରେ ଏହିଭଳି କୌଣସି ଘଟଣା ଘଟି ନଥିବା ଜଣାପଡ଼ିଛି। କୋଟିଆ ସୀମାନ୍ତ ୩୫ କିଲୋମିଟର ଘଂଚ ଜଙ୍ଗଲରେ ରହିଥିବା ଅନୁମାନ କରାଯାଉଛି। କୋରାପୁଟ ବନଖଣ୍ଡ ଓ ସେମିଳିଗୁଡା ରେଞ୍ଜ ପକ୍ଷରୁ ଏହି ଅଞ୍ଚଳରେ ବନ କର୍ମଚାରୀକୁ ନେଇ ଛାନଭିନ୍‌ ପାଇଁ ପଠାଯାଇଥିବା ବେଳେ ଅଞ୍ଚଳରେ ସତର୍କ ରହିବାକୁ କୁହାଯାଇଛି। ବାହାରେ ବୁଲାବୁଲି କରିବା, ଦୂଆରେ ଶୋଇବା ଓ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ରବିବାର ଦିନ ଆନ୍ଧ୍ର ସରକାରଙ୍କ ବନ ବିଭାଗର ଅଧିକାରୀ ଏହି ସୀମାବର୍ତ୍ତୀ ଗ୍ରାମଗୁଡିକରେ ବୁଲି ଏ ପର୍ଯ୍ୟନ୍ତ ବାଘର ଆକ୍ରମଣରେ ଜୀବ ହତ୍ୟା କରିଥିବା ବେଳେ ଦିନରେ ୬୦ରୁ ୭୦ କିଲୋମିଟର ଯାତ୍ରା କରୁଥିବା ଜଣାପଡିଛି। ଆନ୍ଧ୍ର ବନବିଭାଗ ଅଧିକାରୀ ଏହି ବାଘର ପଞ୍ଝାର ଚିହ୍ନକୁ ପରଖି ଏହା ୧୨ ସେଣ୍ଟିମିଟର୍ ବୋଲି ଜାଣିବାକୁ ପାଇଛନ୍ତି ।

ଏ ନେଇ ଡିଏଫଓ ଅମିତାରାଣୀ ରାୟ କହିଛନ୍ତି ଯେ କୋଟିଆ ଗ୍ରାମପୁଞ୍ଜର ୨୦ରୁ ୩୫ କିଲୋମିଟର ସୀମାନ୍ତରେ ମହାବଳ ବାଘଟି ବିଚରଣ କରୁଛି। ମାନ୍ୟମ ବନ ବିଭାଗ, ପାର୍ବତୀପୁରମ ରେଞ୍ଜର ସହ ନିୟମିତ ଭାବେ ଯୋଗ‌ାଯୋଗରେ ରହିଛୁ। ତେଣୁ ଆମେ ଆଜି ଏକ ଟିମ୍‌ ଏହି ଅଞ୍ଜଳକୁ ପଠାଇ ତନାଘନା କରିବା ସହ ସଚେତନ କରାଯାଉଛି। ଏହାସହ ଆନ୍ଧ୍ରର ବନ ବିଭାଗ ସହ ରିତିମତ ସମ୍ପର୍କରେ ରହି କାମ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର