ଜଙ୍ଗଲ ବିଭାଗରେ ଜଙ୍ଗଲରାଜ! ସାଢ଼େ ୩ ବର୍ଷରେ ଭିଜିଲାନ୍ସ ଜାଲରେ ୨୦ରୁ ଅଧିକ ବନ ଅଧିକାରୀ

କେବଳ ଧରାପଡ଼ିଛନ୍ତି ୧୦ ଡିଏଫ୍ଓ
ବେଆଇନ ଆୟର ସ୍ରୋତ ଉନ୍ନୟନ କାମ
ଚେର ଖୋଜି ପାଉନି ଭିଜିଲାନ୍ସ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଗଷ୍ଟ ୧୮ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା। ତାଙ୍କ ଠାରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ସମାନ ଅଭିଯୋଗରେ ଅଗଷ୍ଟ ୧୧ ତାରିଖରେ ଚିଲିକା ଡିଏଫ୍ଓ ଆଲୋକ ରଞ୍ଜନ ହୋତା ଧରାପଡ଼ିଥିଲେ। ତାଙ୍କ ଠାରୁ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା। ଅଗଷ୍ଟ ୫ ତାରିଖରେ ପୁରୀ ସହକାରୀ ବନ ସଂରକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା। ମାତ୍ର ଦୁଇ ସପ୍ତାହ ଭିତରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବନ ବିଭାଗର ତିନି ଜଣ ଅଧିକାରୀ ଧରାପଡ଼ିଲେଣି। ସବୁଠାରୁ ଚିନ୍ତାଜନକ ବ୍ୟାପାର ହେଉଛି, ଗତ ସାଢ଼େ ୩ ବର୍ଷ ଭିତରେ ୨୦ ଜଣ ବନ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଲେଣି।

ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ଯେମିତି ଆଖିବୁଜା ଦୁର୍ନୀତିର ଉତ୍ସ ପାଲଟିଛି ଜଙ୍ଗଲ। ନୂତନ ଜଙ୍ଗଲ ସୃଷ୍ଟି ହେଉ କିମ୍ବା ଚାରାରେ ପାଣି ଦେବା, ଉନ୍ନୟନ କାମ ଆଦି କାର୍ଯ୍ୟ କିଭଳି ଚାଲିଛି, ସେ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। କେବଳ ସେତିକି ନୁହେଁ ବାଘ, ହାତୀ, ହରିଣ ଭଳି ଜନ୍ତୁ ଶିକାର ଓ ଚୋରା କାଠ ଚାଲାଣରେ ଜଙ୍ଗଲ ବିଭାଗର କେତେକ ଅଧିକାରୀ ସାମିଲ ହୋଇଯାଉନାହାନ୍ତି ତ? ଅନ୍ୟଥା ଚାକିରି କାଳ ଭିତରେ କିଭଳି ଏହି ବାବୁମାନେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଯାଉଛନ୍ତି? ଏକାଧିକ କୋଠା, ଜମି ସହ ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଜମା ରଖିପାରୁଛନ୍ତି? ଏସବୁ ଖୋଦ୍ ଭିଜିଲାନ୍ସ ବିଭାଗର ଅଧିକାରୀମାନଙ୍କୁ ବି ଆଚମ୍ବିତ କରୁଛି।

ମିଳିଥିବା ସୂଚନା ଅନୁସାରେ ୨୦୧୬ରେ ଆଠଗଡ଼ ଡିଏଫ୍ଓ ସୁଧାଂଶୁ ଶେଖର ମିଶ୍ର ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ତାଙ୍କ ଠାରୁ ନଗଦ ୧ କୋଟି ଟଙ୍କା ସହ ସାଢ଼େ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତ ଭିଜିଲାନ୍ସ ଠାବ କରିଥିଲା। ୨୦୧୭ ଫେବ୍ରୁଆରିରେ ନୂଆପଡ଼ା ଖରିଆର ଡିଏଫ୍ଓ ଶରତ ଚନ୍ଦ୍ର ପଣ୍ଡା ପ୍ରଥମେ ଆୟକର ବିଭାଗ ହାତରେ ଧରାପଡ଼ିବା ପରେ ଭିଜିଲାନ୍ସ ଚଢଉ କରିଥିଲା। ଭୁବନେଶ୍ବର ଗୌରୀନଗର କୋଠା ସମେତ ୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଏହି ଦୁଇ ଅଧିକାରୀଙ୍କୁ ଏବେ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ୨୦୧୭ ମାର୍ଚରେ ସର୍ବୋଚ୍ଚ ଯନ୍ତ୍ରୀ(ସିଭିଲ) ଡିଏଫ୍ଓ ମହାଦେବ ବଡ଼ାଇକ ଭିଜିଲାନ୍ସ ଜାଲରେ ପଡ଼ିବା ପରେ କୋଟିଏ ଟଙ୍କାର କୋଠା ସମେତ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିଲା। ଫଡ଼ିଘର ମରାମତି ଘଟଣାରେ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗତ ଜୁନ୍ ୧୦ ତାରିଖରେ ବଲାଙ୍ଗୀର ପାଟଣାଗଡ଼ କେନ୍ଦୁଲିଫ୍ ଡିଏଫ୍ଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଜାଲରେ ଅଜଗର ସାପ ପଡ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ବଦଳରେ ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ପାରଳାଖେମୁଣ୍ଡି ରାମଗିରି ବନ ବିଭାଗ ଡିଏଫ୍ଓ ଦିବାକରଙ୍କୁ ଚଳିତବର୍ଷ ଜାନୁଆରୀରେ ଭିଜିଲାନ୍ସ ଗିରଫ କରିଥିଲା।

ଚାରାରେ ପାଣି ଦେବା ପାଇଁ ବିଲ୍ ପାସ କରାଇବା ଲାଗି ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ କେନ୍ଦୁପତ୍ର ସବଡିଭିଜନ୍ ଓଏଫଡିସି ମ୍ୟାନେଜର ବିକ୍ରମ କୁମାର ସାହୁ ଗିରଫ ହୋଇଥିଲେ। ସେହିପରି ୨୦୧୮ ଜୁନରେ ଗଞ୍ଜାମ ଘୁମୁସର (ଦକ୍ଷିଣ) ଡିଏଫ୍ଓ ବିଜୟ କେତନ ଆଚାର୍ଯ୍ୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା। ଭୁବନେଶ୍ବରରେ ୨ ଓ କଟକରେ ଗୋଟିଏ କୋଠା ସହ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା, ୨୯ ଲକ୍ଷ ଟଙ୍କାର ପୋଷ୍ଟାଲ ଡିପୋଜିଟ୍ ଠାବ ହୋଇଥିଲା। ଇଏ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା ମାତ୍ର ଆହୁରି ବହୁ ସଂଖ୍ୟାର ରେଞ୍ଜର, ବନ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

ପୂର୍ବତନ ପିସିସିଏଫ୍ ବିଜୟ କେତନ ପଟ୍ଟନାୟକ କହିଛନ୍ତି ଯେ ଜଙ୍ଗଲ ବିଭାଗର ଉନ୍ନୟନ କାମ, କାମ୍ପା ଫଣ୍ଡରେ ବିପୁଳ ପରିମାଣର ଅର୍ଥ ଆସୁଥିବାରୁ ଦୁର୍ନୀତିର ସମ୍ଭାବନା ରହିଛି। କିଛି ନିର୍ଦିଷ୍ଟ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ରହୁଛନ୍ତି। ଉପରିସ୍ଥ ଅଧିକାରୀ ତଦାରଖ କଲେ ଦୁର୍ନୀତି ରୋକାଯାଇ ପାରିବ। ସେହିପରି ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି ଯେ ଜଙ୍ଗଲରେ ବନ୍ୟଜନ୍ତୁ ପ୍ରକଳ୍ପ, ଚାରା ରୋପଣ, ବିଭିନ୍ନ ଉନ୍ନୟନ କାମ, ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି କୋଟି କୋଟି ଟଙ୍କା ଆସେ। ଜଙ୍ଗଲ ଭିତରେ ଏହି ସବୁ କାର୍ଯ୍ୟ ହେଉଥିବାରୁ ସହଜରେ ଲୋକ ଲୋଚନକୁ ଆସି ନ ଥାଏ। ଅଡିଟ୍ ମଧ୍ୟ ଠିକ୍ ଭାବେ ହେଉ ନ ଥିବାରୁ ଜଙ୍ଗଲ ଦୁର୍ନୀତିର ଉତ୍ସ ପାଲଟିଛି। ଏହାକୁ ରୋକିବାକୁ ହେଲେ ସ୍ବତନ୍ତ୍ର ଭାବେ ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ କମିଟି ଏହା ଉପରେ ନଜର ରଖିବା ଦରକାର। ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତ ଠାବ କରୁଥିଲେ ମଧ୍ୟ ବେଆଇନ ଆୟର ସୂତ୍ର ଖୋଜି ବାହାର କରିପାରୁନି। ଚେର ପର୍ଯ୍ୟନ୍ତ କେବେ ପହଞ୍ଚିବ ତାହା ଏବେ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର