ନବରଙ୍ଗପୁର : ପୋଖରୀ ଖୋଳିବାକୁ ମିଳିଥିଲା ଅନୁମୋଦନ। ତେଣୁ ଗତବର୍ଷ ଅକ୍ଟୋବର ମାସରେ ଖର୍ଚ୍ଚ ହୋଇଥିଲା ଲକ୍ଷେ ଟଙ୍କା। କିନ୍ତୁ ୭ମାସ ପରେ ଖୋଜିବାବେଳକୁ ମିଳୁନି ପୋଖରୀ। ବନ୍ୟଜନ୍ତୁଙ୍କୁ ପାନୀୟ ଜଳ ଯୋଗାଇ ଦେବା ସହ ଶ୍ରମିକଙ୍କୁ ମନରେଗାରେ ରୋଜଗାର ଦେବାକୁ ଏହି ପୋଖରୀର ପରିକଳ୍ପନା କରାଯାଇଥିଲା। କିନ୍ତୁ ଅନୁଦାନ ଖର୍ଚ୍ଚ ସତ୍ତ୍ବେ ବନ ବିଭାଗର ଏହି ପୋଖରୀର ଅବସ୍ଥିତି ନ ଥିବାରୁ ବାଟମାରଣା ନେଇ ସନ୍ଦେହ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ଡାବୁଗାଁ ବନାଞ୍ଚଳ ଅଧୀନସ୍ଥ ବଡ଼ପାଞ୍ଜିଆଗୁଡା ଗାଁରେ ନୂତନ ଜଳାଶୟ ନିର୍ମାଣ ପାଇଁ ସ୍ବୀକୃତି ମିଳିଥିଲା। ମନରେଗାରେ ଏହି ପୋଖର ଖନନ ନିମନ୍ତେ ୯.୨୪ ଲକ୍ଷ ଟଙ୍କାର ଅନୁଦାନ ବି ଯୋଗାଇ ଦିଆଯାଇଥିଲା। ସରକାରୀ ରେକର୍ଡ ଅନୁସାରେ ଗତବର୍ଷ ଅକ୍ଟୋବର ମାସ ୧୨ତାରିଖ ଦିନ କାମ ଆରମ୍ଭ ହୋଇଥିଲା। ୯୨ଜଣ ଶ୍ରମିକ ଏହି କାମରେ ନିୟୋଜିତ ହୋଇ ୨୦ଦିନ କାମ କରିଥିଲେ। ମୋଟ ୫୧୬ ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ଶ୍ରମିକଙ୍କ ମଜୁରି ବାବଦରେ ୧ଲକ୍ଷ ୬ ହଜାର ୮ଶହ ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ରେକର୍ଡ କହୁଛି। ଏପରିକି ୧୧ଟି ମଷ୍ଟର ରୋଲ ବି ଅନ୍ଲାଇନ୍ରେ ଦାଖଲ ହୋଇଛି। ଶ୍ରମିକଙ୍କ ଆକାଉଣ୍ଟକୁ ବି ଟଙ୍କା ଯାଇଛି।
ପ୍ରତି ଉନ୍ନୟନ କାମ ଆରମ୍ଭ ପୂର୍ବରୁ ବିବରଣୀ ସଂକ୍ରାନ୍ତରେ ଜଣାଇବା ପାଇଁ ସୂଚନା ଫଳକ ସ୍ଥାପନ କରିବା ନିୟମ ରହିଛି। କିନ୍ତୁ ଏହି ପ୍ରକଳ୍ପ ବାବଦରେ କେଉଁଠି ହେଲେ ସୂଚନା ଫଳକ ସ୍ଥାପନ ହୋଇନଥିବା ଅଭିଯୋଗ ହୋଇଛି। ଏପରିକି କେଉଁ ସ୍ଥାନରେ ଜଳାଶୟ ଖନନ ହୋଇଛି, ତାହାର ବି ସୂଚନା ଫଳକ ନାହିଁ। ଏହି ପୋଖରୀ କେଉଁଠି ଅଛି ତାହାର ଖୋଳତାଡ଼ କରିବାରୁ ଚକିତ କଲା ଭଳି ତଥ୍ୟ ମିଳିଥିଲା। କାରଣ ସରକାରୀ ଅନୁଦାନରେ ନିର୍ଦ୍ଧାରିତ ସ୍ଥାନରେ କୌଣସି ପୋଖରୀ ଖନନ ହୋଇ ନଥିବା ଜଣାପଡ଼ିଥିଲା। ତେବେ ଏହି କାରସାଦି ଦୁଇ ଦିନ ତଳେ ହିଁ ଉଜାଗର ହୋଇଥିଲା। ଯେତେବେଳେ ପୋଖରୀ ଖନନ ପାଇଁ ନିର୍ଦ୍ଧାରିତ ସ୍ଥାନରେ ଜେସିବି ମେସିନ୍ ପହଞ୍ଚିଲା ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଯାହାଫଳରେ ସରକାରୀ ରେକର୍ଡ ଏବଂ ବାସ୍ତବତା କ'ଣ ପଦାକୁ ଆସିଥିଲା।
ଯଦି ଅକ୍ଟୋବର ମାସରେ ଶ୍ରମିକ ପୋଖରୀ ଖୋଳିଥିଲେ ତେବେ ଦୁଇ ଦିନ ତଳେ ମେସିନ୍ ଆସିଥିଲା କ'ଣ ପାଇଁ ବୋଲି ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତରେ ଅଭିଯୋଗ ହେବାରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଉକ୍ତ ଗ୍ରାମକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛନ୍ତି। ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ସରିବା ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି କହିଛନ୍ତି। ସେହିପରି ବନ ବିଭାଗର ଏସିଏଫ୍ଓ ଧନୁର୍ଯ୍ୟୟ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ଏ ସଂକ୍ରାନ୍ତରେ ତଦନ୍ତ ନିମନ୍ତେ ଡିଏଫଓ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ତଦନ୍ତ ଆରରମ୍ଭ ହୋଇଥିବା ବେଳେ ଆଗକୁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଘଟଣାଟି ସତ୍ୟ ତେବେ କାମ ନ ହୋଇ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଉଠିଲା କେମିତି। ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ କିପରି ପୋଖରୀ ଖନନ ହୋଇ ନଥିବା ଜାଣିପାରୁ ନାହାନ୍ତି। ତେଣୁ ଠିକ୍ରୂପେ କ୍ଷେତ୍ର ପରିଦର୍ଶନ ହେଉ ନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/pond.jpg)