ବନ ବିଭାଗ ଚଢ଼ଉ: ୭ ପାୱାର ଟିଲର, ଜେସିବି ମେସିନ, ଶାଗୁଆନ କାଠ ଜବତ

ଛତିଆ : କଟକ ଫରେଷ୍ଟ ଡିଭିଜନ ବୈରୀ ଡାଳିଯୋଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ଉ କରି ଆଜି ୭ଟି ପାୱାର ଟିଲର, ଗୋଟିଏ ଜେସିବି ମେସିନ ଓ ୫୦ ହଜାର ଟଙ୍କାର ଶାଗୁଆନ କାଠ ଜବତ କରିଛି। ବୈରୀ ଅଞ୍ଚଳର କୁନ୍ଦା ପଡ଼ିଆରେ ବେଆଇନ ଭାବେ ମାଙ୍କଡ଼ା ପଥର ଖାଦାନ ଚାଲୁଥିବା ବନ ବିଭାଗକୁ ସୂଚନା ମିଳିଥିଲା। ପରେ ଭିଜିଲାନସ ଏଡିଜି ଦେବାଶିଷ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲେ।

ଏହି ସମୟରେ ୩ଟି ମାଙ୍କଡ଼ା ଖାଦାନରେ ରହିଥିବା ୭ଟି ପାୱାର ଟିଲର ଓ ଗୋଟିଏ ଜେସିବି ମେସିନ ଜବତ କରାଯାଇଥିଲା। ପରେ ସିହା ପଞ୍ଚାୟତର ମଙ୍ଗରାଜପୁର ଠାରେ ଚଢ଼ଉ କରି ଏକ ପାଳଗଦା ଭିତରେ ଲୁଚାଯାଇଥିବା ୨୧ ସିଫ୍ଟ ଚୋରା ଶାଗୁଆନ କାଠକୁ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବବୋଲି ବନବିଭାଗ ଆକଳନ କରିଛି। ଏହି ଚଢ଼ଉରେ ଭିଜିଲାନସ ଏସିଏଫ ରଜନୀକାନ୍ତ ମହାନ୍ତି, ଇନିସପେକ୍ଟର ଜ୍ୟୋତି ର˚ଜନ ସାହୁ, ବୈରୀ ରେଞ୍ଜର ଅଭିରାମ ଜେନା, ଚଣ୍ତିଖୋଲ ବନପାଳ ଶଶିକାନ୍ତ ବେହେରାଙ୍କ ସହ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର