ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଏବଂ ଛତିଶଗଡ଼ ଅନ୍ତର୍ଗତ ଇନ୍ଦଗାଓଁ ବନ ବିଭାଗ ପକ୍ଷରୁ ଆଜି ମିଳିତ ଚଢାଉ କରି ଏକ କଲରା ପତରିଆ ବାଘ ଛାଲ , ହରିଣ ସିଙ୍ଘ ଓ କିଛି ବନ୍ୟଜନ୍ତୁ ଅବଶେଷ ସହିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାପଡିଛି | ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ପଞ୍ଚାୟତର କଲମଡଙ୍ଗରି ଗ୍ରାମରେ ଏହି ମିଳିତ ଚଢାଉ ହୋଇଥିବା ବେଳେ ଉକ୍ତ ଗ୍ରାମର କୁଶ ଭତରା , ଡମାର ମାଝୀ ଓ ମହନ ସିଂ ରାଉତଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ କଲମଡଙ୍ଗରି ଗ୍ରାମର କିଛି ଲୋକ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ସହିତ ବିଭିନ୍ନ ଜିବଜନ୍ତୁର ଅଂଶବିଶେଷ ରହିଥିବା ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡ଼ର ଇନ୍ଦଗାଓଁ ବନ ବିଭାଗ ଓ ସ୍ଥାନୀୟ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା | ଆଜି ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ କଲମ ଡଙ୍ଗରି ଗ୍ରାମର ପ୍ରାୟ ୧୦ ରୁ ୧୫ଟି ଘରେ ଚଢାଉ କରାଯାଇଥିଲା | ସେଥିମଧ୍ୟରୁ କୁଶ ଭତରା , ଡମାର ମାଝୀ ଓ ମହନ ସିଂ ରାଉତଙ୍କ ଘରୁ ଏକ କଲରା ପତରିଆ ବାଘ ଛାଲ , ହରିଣ ସିଙ୍ଘ , କୁଟୁରା ଓ ମୟୂର ଆଦି ବନ୍ୟଜନ୍ତୁଙ୍କ ଅବଶେଷ ଜବତ କରାଯାଇଥିଲା | ଏଥିସହିତ ସମାନଙ୍କ ଘରୁ ତୀର ଓ ବର୍ଚ୍ଛା ଭଳି କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା |
ଏ ନେଇ ବନ ବିଭାଗ ପୃଥକ ପୃଥକ ଭାବେ କେଶ୍ ନମ୍ବର ୧୧/୨୦୨୩ , ୧୨/୨୦୨୩ ଓ ୧୩/୨୦୨୩ ରେ ମାମଲା ଋଜ୍ଜୁ କରାଯାଇଥିବା ବେଳେ ଆସନ୍ତାକାଲି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନବରଂଗପୁର ଉପ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ଓ ଉପ ବନ ସଂରକ୍ଷୀକା ମନ୍ସୁନ୍ ଖେମୁଡୁ ପ୍ରକାଶ କରିଛନ୍ତି | ଏହି ଚଢାଉ ସମୟରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ତନୁଜା କାର୍ତିକ , ବନପାଳ କାମାକ୍ଷା ପ୍ରସାଦ ସ୍ୱାଇଁ , ବନପାଳ ରାମଚନ୍ଦ୍ର ଜାନୀ , ବନରକ୍ଷୀ ହରେକୃଷ୍ଣ ନାୟକଙ୍କ ସମେତ ଉମରକୋଟ ଓ ଝରିଗାଁ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।