ଗୁରୁଣ୍ଡିଆ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ସୋଲ ରେଞ୍ଜ ଅଞ୍ଚଳରୁ ହାତୀଦାନ୍ତ ବିକ୍ରି ଉଦ୍ୟମ କରୁଥିବା ସମୟରେ ବନ ବିଭାଗ କର୍ମଚାରୀ ଗ୍ରାହକ ସାଜି ୩ ଜଣଙ୍କୁ କାବୁ କରିଛନ୍ତି। ସେମାନଙ୍କଠାରୁ ୨ଟି ହାତୀଦାନ୍ତ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଗୁରୁଣ୍ଡିଆ ଥାନା କୁଞ୍ଜାର ଗ୍ରାମର ଥୋମାସ ଟେଟେ (୫୯), କୁଅଁର ବିଲୁଙ୍ଗ (୫୦) ଓ ସୋଲଗୁଡ଼ାର ଶତ୍ରୁଘ୍ନ ନାୟକ (୫୦)। ସେମାନଙ୍କଠାରୁ ୧ କେଜିରୁ ଅଧିକ ଓଜନର ହାତୀଦାନ୍ତ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ସହକାରୀ ବନସଂରକ୍ଷକ ଜଗନ୍ନାଥ ବିଶୋଇ ଓ ନଳିନୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ବନ ବିଭାଗର ୨ଟି ଟିମ୍ ଗଲା ୪ ମାସ ଧରି ଶିକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏହି ସମୟରେ କୁଞ୍ଜାର ଓ ସୋଲଗୁଡ଼ାରେ ୨ଟି ହାତୀଦାନ୍ତ ସମ୍ବନ୍ଧରେ ସୂଚନା ମିଳିଥିଲା। ଶିକାରୀଙ୍କୁ ଧରିବା ପାଇଁ ଟିମ୍ ଗ୍ରାହକ ସାଜି ଡିଲ୍ କରିଥିଲେ। ରବିବାର ରାତିରେ ଗୋଟିଏ ଟିମ୍ କୁଞ୍ଜାର ଓ ଅନ୍ୟ ଟିମ୍ ସୋଲଗୁଡ଼ା ଯାଇଥିଲେ। କୁଞ୍ଜାରରେ ହାତୀଦାନ୍ତ ବିକ୍ରି ନେଇ କଥାବାର୍ତ୍ତା ଶେଷ ହେବା ପରେ ଗ୍ରାହକ ସାଜି ଯାଇଥିବା ବନ ବିଭାଗ ଟିମ୍ ଥୋମାସ ଟେଟେ ଓ କୁଅଁର ବିଲୁଙ୍ଗଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ହାତୀଦାନ୍ତ ଜବତ କରିଥିଲେ। ସେହିପରି ସୋଲଗୁଡ଼ାରେ ବନବିଭାଗ ଟିମ୍ ଶତ୍ରୁଘ୍ନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ହାତୀଦାନ୍ତ ଜବତ କରିଥିଲା। ଜବତ ୨ ହାତୀଦାନ୍ତର ଓଜନ ୧.୨ କେଜି ବୋଲି ସୂଚନା ମିଳିଛି। ଏଥିସହିତ (ଓଡି୧୫ଏମ୍-୧୩୮୮) ବାଇକ୍ ଜବତ ହୋଇଛି। ଏହି ଚଢ଼ଉରେ ଜର୍ଡା ଓ ସୋଲ ବନାଞ୍ଚଳ ଅଧିକାରୀ କୈଳାସ କିସାନ, ରଶ୍ମିରଞ୍ଜନ ରାଉଳ, ବନପାଳ ପ୍ରତାପ ସାହୁ, ମନେଶ ସାହୁ, ପ୍ରକାଶ ଜେନାଙ୍କ ସହ ଅନ୍ୟ ବନ କର୍ମଚାରୀ ସାମିଲ ଥିଲେ। ସୂଚନାଥାଉକି, ଗତ ୨ ମାସରେ ୪ଟି ବନ୍ୟପ୍ରାଣୀ ମକଦ୍ଦମାରେ ୧୭ ଜଣଙ୍କୁ ବନ୍ୟପ୍ରାଣୀ ଅଙ୍ଗ ଓ ମାରଣାସ୍ତ୍ର ସହ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।