ଭୁବନେଶ୍ବର: ସାମୁଦ୍ରିକ କଇଁଛ ଅଲିଭ୍‌ରିଡଲେଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପଦ‌କ୍ଷେପ ଦେଇଛି। ବାଲେଶ୍ୱରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚ‌ଳରେ ସେମାନଙ୍କ ସୁରକ୍ଷା ଓ ନିରାପଦ ଅଣ୍ଡାଦାନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜଙ୍ଗଲ ବିଭାଗ, ସାମୁଦ୍ରିକ ପୁଲିସ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସ୍ଥାନୀୟ ଗୋଷ୍ଠୀଙ୍କ ମିଳିତ ପ୍ରୟାସରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ସମୁଦ୍ର କୂଳିଆ ଗ୍ରାମଗୁଡ଼ିକରେ ଅଲିଭରିଡଲେଙ୍କ ସୁରକ୍ଷା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ସହ ସେମାନଙ୍କ ଅଣ୍ଡାଦାନ ଅଞ୍ଚଳକୁ ପରିଷ୍କାର କରାଯିବା ଓ ନିରାପଦ ଅଣ୍ଡାଦାନକୁ ସୁନିଶ୍ଚିତ କରାଯାଉଛି। କଇଁଛମାନଙ୍କୁ ରକ୍ଷା କରିବାକୁ ଏକାଧିକ ବିଭାଗର କର୍ମଚାରୀଙ୍କୁ ନେଇ ଦୃଢ଼ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି। ସମୁଦ୍ର ଭିତରେ କୋଷ୍ଟଗାର୍ଡ ଓ ମେରାଇନ୍ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି।

Advertisment

୬୭ କଇଁଛ ସୁରକ୍ଷା ଶିବିର
ନିୟନ୍ତ୍ରିତ ହେଉଛି ସାମୁଦ୍ରିକ ଜାହାଜର ଗତିବିଧି
କୃତ୍ରିମ ହ୍ୟାଚେରିରୁ ୨,୮୫୪ ଅଣ୍ଡା ସଂଗ୍ରହ

ସମୁଦ୍ର ଭିତରେ ସାମୁଦ୍ରିକ ପୁଲିସ, ମତ୍ସ୍ୟ ବିଭାଗ ଓ ତଟରକ୍ଷୀ ବାହିନୀ ସହଯୋଗରେ ପ୍ରତିଦିନ ମିଳିତ ପାଟ୍ରୋଲିଂ ହେଉଛି। ବାବୁବାଲି, ମାଡେଲି, ଧାମରା ଓ ଦେବୀ ନଦୀ ମୁହାଣରେ ଅଫସୋ‌ର ପାଟ୍ରୋଲିଂ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ବାଲେଶ୍ୱର ପ୍ରତିରକ୍ଷା ଗବେଷଣାଗାର(ଡିଆର୍‌ଡିଓ) ଏହାର ହ୍ୱିଲର୍‌ ଦ୍ୱୀପ(ଅବଦୁଲ୍ କଲାମ୍ ଦ୍ୱୀପ)ରେ କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଆଲୋକ ହ୍ରାସ କରି ସହଯୋଗ ବୃଦ୍ଧି କରିଛି। ସେହିପରି ଭଦ୍ରକ ଡିଭିଜନର ଧାମରା ବନ୍ଦର ଏହାର ଆଲୋକକୁ ମ୍ଲାନ କରିବା ଓ କଇଁଛମାନଙ୍କ ଅସୁବିଧା ହ୍ରାସ କରିବାକୁ ଜାହାଜର ଗତିବିଧିକୁ ନିୟନ୍ତ୍ରଣ କରାଯାଇଛି। ନିରବଚ୍ଛିନ୍ନ ବସା ବାନ୍ଧିବାକୁ ବ୍ରହ୍ମପୁର, ଚିଲିକା ଓ ରାଜନଗରରେ ୬୨ଟି ଅନସୋର, ୫ଟି ଅଫ୍‌ସୋର କଇଁଛ ସୁରକ୍ଷା ଶିବିର ହୋଇଛି। ବ୍ରହ୍ମପୁର ବନଖଣ୍ଡରେ ଗୋଖରକୁଦା, ପୋଡମପେଟା ଓ ଋଷିକୂଲ୍ୟା ପର୍ଯ୍ୟନ୍ତ ୧୧ଟି, ଚିଲିକା ବନ୍ୟପ୍ରାଣୀର ନନ୍ଦଳା, ଅରଖକୁଦା, ସାତପଡ଼ା ପର୍ଯ୍ୟନ୍ତ ୮ଟି, ରାଜନଗର ହେନ୍ତାଳବନ ବନ୍ୟପ୍ରାଣୀ ପକ୍ଷରୁ ଗହିରମଥା, ହାବେଳି ଖଟି ଓ ଏକାକୁଲା ମଧ୍ୟରେ ୧୭ଟି, ବାଲେଶ୍ୱର ବନ୍ୟପ୍ରାଣୀ ପକ୍ଷରୁ ଡଗରା, କୀର୍ତ୍ତନିଆ ଓ ବାହବଳପୁର ମଧ୍ୟରେ ୧୦ଟି, ଭଦ୍ରକ ବନଖଣ୍ଡର ଧାମରାରୁ ଚାନ୍ଦବାଲି ପର୍ଯ୍ୟନ୍ତ ୬ଟି, ପୁରୀ ବନଖଣ୍ଡର ଅସ୍ତରଙ୍ଗଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ୧୫ଟି ଶିବିର ହୋଇଛି।