ଭୁବନେଶ୍ବର : ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍ଟିସିଏ) କର୍ତୃପକ୍ଷ ବାତିଲ୍ କରିଥିଲେ । ଏଥିସହ ପାଖାପାଖି ଏକ ବର୍ଷରୁ ଅଧିକ ସମୟ ଧରି ସାତକୋଶିଆର ରାୟଗଡ଼ ଏନ୍କ୍ଲୋଜରରେ ବନ୍ଦୀ ଜୀବନ କାଟୁଥିବା ମଧ୍ୟପ୍ରଦେଶ ବାନ୍ଧବଗଡ଼ର ବ୍ୟାଘୁଣୀ ‘ସୁନ୍ଦରୀ’କୁ ଫେରାଇ ନେବାକୁ କଠୋର ନିଷ୍ପତ୍ତି ଶୁଣାଇଥିଲାଏନ୍ଟିସିଏ। ବହୁ ଦିନ ହେଲା ବନ୍ଦୀ ଜୀବନ କାଟୁଥିବାରୁ ‘ସୁନ୍ଦରୀ’ର ଜଙ୍ଗଲୀ ସ୍ବଭାବ ନଷ୍ଟ ହେବାରେ ଲାଗିଛି। ତେଣୁ ତାହାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବ ବୋଲି ଏନ୍ଟିସିଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ଏବେ ରାଜ୍ୟ ସରକାର ‘ସୁନ୍ଦରୀ’କୁ ଫେରାଇ ନେବାଲାଗି ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି କି ବନ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ସରକାର ଓ ବ୍ୟାଘ୍ର ପ୍ରକଳ୍ପ କର୍ତୃପକ୍ଷଙ୍କୁ ‘ସୁନ୍ଦରୀ’କୁ ଫେରାଇ ନେବା ଲାଗି କୁହାଯାଇଛି। ଏ ଯାବତ୍ ଉକ୍ତ ଚିଠିର ଉତ୍ତର ଆସିନାହିଁ। ଯେଉଁ ବିଶେଷଜ୍ଞମାନଙ୍କ ସହାୟତାରେ ଏଠାକୁ ସୁନ୍ଦରୀକୁ ଅଣାଯାଇଥିଲା, ସେମାନେ ହିଁ ଏଠାରୁ ବାଘୁଣୀକୁ ଫେରାଇ ନେବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ଓଡ଼ିଶାରେ ବ୍ୟାଘ୍ର ସମ୍ପ୍ରସାରଣ ତଥା ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଥିଲା ଏନ୍ଟିସିଏ। ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ଏନ୍ଟିସିଏ ପକ୍ଷରୁ କୁହାଯାଇଥିଲା ଯେ ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ବ୍ୟାଘ୍ର(ଟି-୧ ତଥା ମହାବୀର) ଓ ବ୍ୟାଘ୍ରୁଣୀ(ଟି-୨ ତଥା ସୁନ୍ଦରୀ)ଙ୍କ ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିଲା। ଏପରିକି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍ଓପି) ପାଳନ କରାଯାଇ ନଥିଲା। ଏନେଇ ଏନ୍ଟିସିଏ ପକ୍ଷରୁ ବାରମ୍ବାର ରାଜ୍ୟ ଜଙ୍ଗଲ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ବିହିତ ପଦକ୍ଷେପ ନିଆଗଲା ନାହିଁ। ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ବାନ୍ଧବଗଡ଼ରୁ ସାତକୋଶିଆକୁ ଆଣିବା ସମୟରେ ଏନ୍ଟିସିଏ ପକ୍ଷରୁ ଦିଆଯାଇଥିବା ପ୍ରକ୍ରିୟା ତଥା ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨କୁ ପାଳନ କରାଯାଇ ନାହିଁ। ପାଖାପାଖି ବର୍ଷେ ହେଲା ବ୍ୟାଘ୍ରୁଣୀକୁ ଏକ ଛୋଟିଆ ଏନ୍କ୍ଲୋଜରରେ ରଖାଯାଇଥିଲା। ତାହାର ଜଙ୍ଗଲ ପ୍ରକୃତି ପୁଣିଥରେ ଫେରାଇ ଆଣିବା ଦିଗରେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା ସ୍ପଷ୍ଟ ଭାବେ କୁହାଯାଇଥିଲା।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଏହି ପ୍ରକଳ୍ପ ଲାଗି ବରାଦ ହୋଇଥିବା ଟଙ୍କାକୁ ବି ଠିକ୍ ଭାବେ ଖର୍ଚ୍ଚ କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପ ଲାଗି ଯେତିକି ଟଙ୍କା ଦିଆଯାଇଥିଲା ସେହି ଅନୁଯାୟୀ ସଫଳତା ମିଳିଲା ନାହିଁ। ପର୍ଯ୍ୟାପ୍ତ ଫଣ୍ଡ୍ ଓ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯିବା ପରେ ମଧ୍ୟ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପୁଣିଥରେ ପ୍ରକଳ୍ପ ଆରମ୍ଭ କରିବା, କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଗଲା ନାହିଁ। ତେଣୁ ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ଆଉ ବେଶି ଦିନ ଛୋଟିଆ ଏନ୍କ୍ଲୋଜରରେ ରଖିବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ରାଜ୍ୟ ବନ ବିଭାଗ ହାତ ଟେକି ଦେଇଛି। ତେବେ ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରେ ଥିବା ଘୋରେଲା କେନ୍ଦ୍ରକୁ ପ୍ରତ୍ୟାହାର କରି ନିଆଯିବ ବୋଲି କୁହାଯାଉଛି।