କଟୁରିଆ: ଜଙ୍ଗଲ ବିଭାଗର ଜୁଲମ ପ୍ରତିବାଦରେ ଆଜି ମୟୂରଭଞ୍ଜଜିଲ୍ଲା କପ୍ତିପଦା ବ୍ଲକ୍ ଲାବଣ୍ୟଦେଈପୁର ପଞ୍ଚାୟତ ଅଧୀନ କଟୁରିଆ ହାଟସାହିସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି ୨ ହଜାରରୁ ଅଧିକ ଆଦିବାସୀ। ଏଥିସହ କପ୍ତିପଦା-ଶରତ ରାସ୍ତା ଅବରୋଧ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ଦିନ ଅଶ୍ୱକୋଟି ଗ୍ରାମର କିଛି ଲୋକେ ଜଙ୍ଗଲରେ ଗୋରୁ ଚରାଉଥିବା ସମୟରେ ବନ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଆକ୍ଷେପ କରି ମାଡ଼ ମାରିଥିଲେ। ଏଥିସହ ସେହି ରାତିରେ ଜୟରାମ ସିଂ, ରାମ ଗାଗାରାଇ, ମରା ଗାଗାରାଇ, ଦୀନବନ୍ଧୁ ସୋରେନ, ମଙ୍ଗଲ ଦେଓଗାମ, ଜଗେନ ଦେଓଗାମ, ଡିବୁରୁ ଗାଗରାଇ, ଚାମ୍ପାଏ ଗାଗାରାଈ, କନ୍ଦା ଗାଗାରାଈ, ସୁରୁ ଦେଓଗାମ, ଘନ ଦେଓଗାମ ପ୍ରମୁଖଙ୍କ ଘରେ ପଶି ସେମାନଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଥିଲେ।
ରାସ୍ତା ଅବରୋଧ, ପୁଲିସ ସହ ଧସ୍ତାଧସ୍ତି
ଆପୋସ ସମାଧାନ ପାଇଁ ସମୟ ନେଲା ପ୍ରଶାସନ
ଘରେ ଥିବା ଛେଳି, ବତକ, କୁକୁଡ଼ା ଆଦି ନେଇଯାଇଥିଲେ। ଗ୍ରାମବାସୀ ଏନେଇ ଶରତ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏତଲା ପଞ୍ଜୀକରଣ କରି ନଥିଲା ପୁଲିସ। ଏହାର ପ୍ରତିବାଦରେ ହୁଡ଼ିସାହି, ମାହାରାସାହି, ବିନ୍ଧାଣିସାହି, ବେହେରାସାହି, ଅଶ୍ବକୁଟି, ବଡ଼ଅଶ୍ବକୁଟି, ଚାପଲସାହି, ଗାଡ଼ାସାହି, ମୁଣ୍ଡାସାହି, କଟୁରିଆ, ହାଟସାହି, ହଦଗୁଠ, ଢିପାସାହି, ପାତାସାହି, ଠାକୁରାଣୀସାହି, ଗଜାପଥର ଓ ଶାଣଦେଈ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ପୂର୍ବାହ୍ଣ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କଟୁରିଆ ଫରେଷ୍ଟ ଅଫିସ ଘେରାଉ କରିଥିଲେ। କପ୍ତିପଦା-ଶରତ ରାସ୍ତାକୁ ୭ ଘଣ୍ଟା ଧରି ଅବରୋଧ କରି ବନ ବିଭାଗ କର୍ମଚାରୀଙ୍କ ଜୁଲମ ବିରୋଧରେ ନାରାବାଜି କରିଥିଲେ। ଫଳରେ କପ୍ତିପଦା-ଶରତ-ଠାକୁରମୁଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇ ଯାଇଥିଲା।
ଖବର ପାଇ ଶରତ ଥାନା ଅଧିକାରୀ ରମାକାନ୍ତ ପାତ୍ର, ଉଦଳା ଏସ୍ଡିପିଓ ହୃଷୀକେଶ ନାୟକ, କପ୍ତିପଦା ରେଞ୍ଜ ଅଧିକାରୀ, କପ୍ତିପଦା ଅତିରିକ୍ତ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ୨ ପ୍ଲାଟୁନ୍ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ। ଏହି ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମାମଲାର ଆପୋସ ସମାଧାନ ନିମନ୍ତେ ଆସନ୍ତା ୨୬ ତାରିଖ ଯାଏଁ ପ୍ରଶାସନ ସମୟ ନେବା ସହ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ଶାନ୍ତ ପଡ଼ିଥିଲେ। ଲାବଣ୍ୟଦେଇପୁର ସରପଞ୍ଚ ତୁରାମ ସିଂ, ଯୁବ ସମାଜସେବୀ ମହାନ୍ତି ଦେଓଗାମ, ଘନ ପାତ୍ର, ମାଙ୍ଗିଲାଲ ଜଙ୍କ, ଶୈଳେନ୍ଦ୍ର ହେମ୍ବ୍ରମ, ଧନୁ ହେମ୍ବ୍ରମ, ନାରଣ କିସ୍କୁ, ବୀର ଗାଗାରାଇ, ରବୀନ୍ଦ୍ର ମୁର୍ମୁ, ମାଣ୍ଡୁଆଲ ଗୋଇପାଇ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଏନେଇ କପ୍ତିପଦା ରେଞ୍ଜର ଅଚ୍ୟୁତାନନ୍ଦ ଦାଶ କହିଛନ୍ତି ଏସ୍ଟିଆର୍ ଟିମ୍ର ଚଢ଼ଉ ବେଳେ ଏଭଳି ବିବାଦ ଉପୁଜିଛି। ମାମଲାର ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ତେବେ ପ୍ରଶାସନ ପ୍ରତିଶ୍ରୁତି ପାଳନ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତା ଅବରୋଧ କରାଯିବ ବୋଲି ସରପଞ୍ଚ ତୁରାମ ସିଂ ଓ ଧନୁ ହେମ୍ବ୍ରମ ଚେତାବନୀ ଦେଇଛନ୍ତି।