ହରଭଙ୍ଗା: ବୌଦ୍ଧ ବନଖଣ୍ତ ଅଧୀନସ୍ଥ ମାଧପୁର ରେଞ୍ଜ ବଡ଼ଖଜୁରୀ ଗ୍ରାମର ବିଶ୍ବାମିତ୍ର ଯାନୀ (୩୫)ର ଘରେ ସୋମବାର ସକାଳୁ ବନ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗର ଏକ ୧୬ ଜଣିଆ ଟିମ୍ ମିଳିତ ଚଢ଼ଉ କରିଥିଲା। ସେଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବାଘ ଖପୁରୀ, କିଛି ହାଡ଼, ଲୋମ, ଚମଡ଼ା ସମେତ କଟୁରୀ ଜବତ କରିବା ସହ ବିଶ୍ବାମିତ୍ରକୁ ଗିରଫ କରାଯାଇଛି। ସୂଚନା ଥାଉ କି ଗତ ଦେଢ଼ ମାସ ତଳେ ବଡ଼ଖଜୁରୀ ଅଞ୍ଚଳରୁ ଏକ କଲରାପତରିଆ ବାଘ ଶିକାର ମାମଲା ବିଶ୍ବାମିତ୍ର ନାମରେ ବାଣିଗୋଛା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ରୁଜୁ ହୋଇଥିଲା ତେବେ ଫେରାର ଥିବାରୁ ତାକୁ ଧରିବାରେ ବନ୍ୟପ୍ରାଣୀ ବିଭାଗ ଫେଲ ମାରିଥିଲା।
ଏହି ମାମଲାରେ ବିଶ୍ବାମିତ୍ର ଘରେ ଆଜି ୧୬ ଜଣିଆ ଟିମ୍ ଅଚାନକ ଚଢ଼ଉ କରି ତାକୁ କାବୁ କରିବା ସହିତ ବାଘ ଶିକାର ସର୍ମ୍ପକରେ ପଚରାଉଚରା କରିଥିଲା। ଶିକାର ପରେ ଘରଠାରୁ ଦେଢ଼ କିମି ଦୂରରେ ବାଘର ମୃତଦେହ ପୋତିଥିବା ସେ କହିଥିଲା। ଫଳରେ ଉକ୍ତ ସ୍ଥାନରୁ ଖପୁରୀ, ହାଡ଼, ଲୋମ ଆଦି ଜବତ କରାଯାଇଛି। ଚଢ଼ଉରେ ବାଣିଗୋଛା (ପଶ୍ଚିମ) ବନ୍ୟପ୍ରାଣୀ ରେଞ୍ଜ ଅଫିସର ସଂସାର ବର୍ଗିଆ, ବାଣିଗୋଛା (ପୂର୍ବ) ବନ୍ୟପ୍ରାଣୀ ରେଞ୍ଜ ଅଫିସର ରୁକ୍ମଣ ବାରିହା, ଫରେଷ୍ଟର ଗୋଲକ ବିହାରୀ ବେହେରା, ମନୋରଞ୍ଜନ ନାଏକ, ହେମନ୍ତ ମହାକୁଡ଼, ଜନକ ଯାନୀ, ଶଙ୍କର ଖଣ୍ଡେଇ, ମାଧପୁର ରେଞ୍ଜ ଅଫିସର ପ୍ରବୀଣ ମହାକୁଡ଼, ଏସିଏଫ୍ ଆଶିଷ କହଁର, ଫରେଷ୍ଟ ଗାର୍ଡ ଦୀପକ ନାୟକ, ପ୍ରଦୀପ ସାହୁ, ପ୍ରକାଶ ପ୍ରଧାନ, ଅଜ୍ଜୁର୍ନ ବେହେରା, ଦୀପକ ପ୍ରଧାନ ପ୍ରମୁଖ ସାମିଲ ଥିଲେ।