ଜୟପୁର: ଜାପାନ ପଦ୍ଧତିରେ ନୂଆ ଜଙ୍ଗଲ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ମକାପୁଟ ନିକଟରେ ମିୱାୱାକି ଫରେଷ୍ଟ କ୍ୟାମ୍ପା ୧ମିଟର ଓସାରକୁ ୧ମିଟର ଲମ୍ବରେ ସାଢ଼େ ୨ଏକର ପରିଧିରେ ୯୦ରକମର ୮ହଜାର ଔଷଧୀୟ, ଫଳନ୍ତି ଓ ଫୁଲ ବୃକ୍ଷ ଲାଗିଛି । ଏହା ପରିସରରେ ଚାଳିବା ପାଇଁ ରାସ୍ତା ଚତୁଃପାର୍ଶ୍ବରେ କରାଯାଇଛି। ବସିବା ପାଇଁ ସିମେଣ୍ଟର ଚେୟାର ବି ପଡ଼ିଛି । ଏକା ସ୍ଥାନରେ ୮ହଜାର ଗଛ ଗତ ୨୦୨୧-୨୨ରୁ ଲଗାଯାଇଥିବା ବେଳେ ଗଛ ଗୁଡିକ ବି ସୁନ୍ଦର ଭାବେ ବଢ଼ିଗଲାଣି।
ସୂଚନା ଅନୁଯାୟୀ, ଜୟପୁର ବନଖଣ୍ଡର ଜୟପୁର ବନାଂଚଳ ପକ୍ଷରୁ ଏହି ବନ ଗତ ୨୦୨୧-୨୨ରେ ଆରମ୍ଭ କରାଯାଇଥିଲା। ସାଢ଼େ ୨ଏକର ପରିଧିରେ ସେଭଳି ଆମ୍ବ , ପଣସ, ସାପଟା, କଦଳୀ, ସୀତାଫଳ, ଲିଚୁ, ବାଉଁଶ ସହ ଆମ୍ବଡା, ଆମଳା, ଅଜୁର୍ନ, ଆସନ, ଅଶୋକ, ବାହାଡା, ବଳଦିଆ, ବରା, ବେଲ, ବଣ ଭାଲିଆ, ଚମ୍ପା, ଚନ୍ଦନ, ଚାର, ଦେବଧାରୁ, ଡିମିରୀ, ହଳଦୁ, ହରିଡା, ହିଂଜାଳ, ଜାମୁ, ଜାଫରା, ଜେଉଟ, କଦମ୍ବ, କାଜୁ, କାଂଚନ, କରଂଜ, କଷି, କେନ୍ଦୁ, କୁସୁମ, ମୁଛକୁନ୍ଦ, ମହାଗନି, ମହୁଲ, ନିମ୍ବ, ପଲାସ, ପାଇନ, ସହଜ, ରୁଦ୍ରାକ୍ଷ, ରକ୍ତଚନ୍ଦନ, ନାଗେଶ୍ବର, ଡାଲଚିନି, ସର୍ବମସଲା, ପିସ୍ତାବାଦମ, ଲିଚି, ଲେମ୍ବୁ, ଏପୁଲ, ଗୁଲବଜାମୁନ, ବରକୁଳି, ନାଗଲିଙ୍ଗ ଏଭଳି ୯୦ ରମକର ଗଛ ଲଗାଯାଇଛି ବୋଲି କହିଛନ୍ତି ବନାଂଚଳଅଧିକାରୀ ସଚ୍ଚିଦାନନ୍ଦ ପରିଡ଼ା । ସଂପ୍ରତି ପରିବେଶ ପ୍ରଦୁଷିତ ହେବା ସହ ଲୋକେ ଭଲ ଓକ୍ସିଜେନ(ଅମ୍ଲଜାନ) ଟିକକ୍ ସହ ଭଲ ଔଷଧୀୟ ଗୁଳ୍ମ ପାଇ ପାରୁନାହାନ୍ତି।
ସହରର ଅତି ନିକଟରେ ଏହା ରହିଥିବା ବେଳେ ଏହି ପାର୍କରେ ଲୋକେ ପିକନିକ୍ କିମ୍ବା ଭୋଜିଭାତ କରି ସବୁଜ ପରିବେଶରେ ଦିନ ଅତିବାହିତ କରି ପାରିବେ। ଏହା ପରିସରରେ ଭୋଜିଭାତ କରିବା ପାଇଁ ରୁମ ବି ରହିଥିବା ବେଳେ ପାଣି ସୁବିଧା ବି କରାଯାଇଛି। ଯେଉଁ ମହତ ଉଦେଶ୍ୟ ନେଇ ଏହା ଆରମ୍ଭ କରାଯାଇଛି ତାହା ସଫଳ ହେବା ସହ ସହରବାସୀଙ୍କ କାମରେ ଲାଗି ପାରିଲେ ଲକ୍ଷ୍ୟ ସାଧିତ ହେବ। ଜାପାନ ପଦ୍ଧତିରେ ୧ଫୁଟ ଓସାରରେ ଏକଫୁଟ ଲମ୍ବରେ ଗଛ ଲଗାଯାଇଥିବାରୁ ବନଟି ପୁରା ଘଂଛ ହୋଇ ରହିଛି। ଏବଂ ଶୀଘ୍ର ଶୀଘ୍ର ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି ବନାଂଚଳ ଅଧିକାରୀ। ଗତ ୨ବର୍ଷ ମଧ୍ୟରେ ଘଂଚ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ଅନ୍ୟସ୍ଥାନରେ ବି ଏଭଳି କମ୍ ସ୍ଥାନ ମଧ୍ୟରେ ବଡ଼ ଜଙ୍ଗଲ ସୃଷ୍ଟି କରିବା ଆଗାମୀ ଦିନରେ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ବନାଂଚଳ ଅଧିକାରୀ।