ଦଶପଲ୍ଲା : ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲାର ଏକମାତ୍ର ବନ ଉନ୍ନୟନ ନିଗମ। ଖାଲି ଦଶପଲ୍ଲା ବନାଞ୍ଚଳ ନୁହେଁ, ଜିଲ୍ଲାର ସମସ୍ତ ୭ଟି ବନାଞ୍ଚଳ ମଧ୍ୟରୁ ପ୍ରତିବର୍ଷ ଜଙ୍ଗଲଜାତ ଦ୍ରବ୍ୟ ତଥା କାଠ, ପଟାଠାରୁ ଆରମ୍ଭ କରି ରହିଥିବା କାଜୁ ଜଙ୍ଗଲରୁ ସରକାର କୋଟିକୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଛନ୍ତି। ମାତ୍ର ଏହି ବନଉନ୍ନୟନ ନିଗମରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ହେତୁ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଖାଲି ସେତିକି ନୁହେଁ, ରହିଥିବା ଡିପୋ ମଧ୍ୟରେ ସଞ୍ଜ ନଇଁବା ପରେ ନିଶାଡ଼ିଙ୍କ ଆଡ଼ା ଜମୁଛି। ବିଭିନ୍ନ ସମୟରେ ଡିପୋରୁ ମୂଲ୍ୟବାନ କାଠ ଚୋରି ହେଉଥିବା ବେଳେ ୨ ବର୍ଷ ତଳେ ଲକ୍ଷଲକ୍ଷ ଟଙ୍କା ମୂଲ୍ୟର ଜାଳେଣି କାଠକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଛନ୍ତି।
/sambad/media/post_attachments/wp-content/uploads/2021/10/forest-2.jpg)
ବଡ଼କଥା ହେଉଛି, ନୟାଗଡ଼ ଜିଲ୍ଲା ବନ ବିଭାଗରୁ ଯାହାବି ରାଜସ୍ବ ଆଦାୟ ହୋଇଥାଏ ସରକାର ଏହି ବନ ଉନ୍ନୟନ ନିଗମ ମାଧ୍ୟମରେ ସଂଗ୍ରହ କରିଥାନ୍ତି। ଦଶପଲ୍ଲା ବନାଞ୍ଚଳଠାରୁ ଆରମ୍ଭ କରି ଗଣିଆ, ମହିପୁର, ଖଣ୍ତପଡ଼ା, ପଞ୍ଚିରିଡ଼ା, ଓଡ଼ଗାଁ ଏବଂ ନୟାଗଡ଼ ବନାଞ୍ଚଳ ମଧ୍ୟରୁ ବିଭିନ୍ନ ସମୟରେ ଚଢ଼ଉ ହୋଇ ଜବତ ହେଉଥିବା କାଠ, ପଟା, ବାଉଁଶ ଏବଂ ଫର୍ଣ୍ଣିଚର ପ୍ରଭୃତି ସାମଗ୍ରୀ ଏଠାକୁ ଆସିଥାଏ। ଏହା ପରେ ସରକାରଙ୍କ ପକ୍ଷରୁ ଏହାକୁ ନିଲାମ ପ୍ରକ୍ରିୟା ହେଉ କି ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ବିକ୍ରୟ କରାଯାଇଥାଏ। ଯାହାଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନର ବ୍ୟକ୍ତି ଏହାଦ୍ବାରା ଉପକୃତ ହୋଇଥାନ୍ତି। ଏଠାରୁ କଟକ ଖପୁରିଆସ୍ଥିତ ସ-ମିଲ୍କୁ କାଠ ଯିବା ପରେ ସେଠାରେ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାଠପଟା ବିକ୍ରୟ ହୋଇଥାଏ। ଏଥି ସହିତ ବନ ଉନ୍ନୟନ ନିଗମ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୬ଟି କାଜୁ ଜଙ୍ଗଲ ରହିଛି। କିଛି କାଜୁ ଜଙ୍ଗଲକୁ ନିଲାମ ଦିଆଯାଉଥିବା ବେଳେ ଆଉ କିଛି ନିଜ ଅଧୀନରେ ରହୁଛି। ଏହାଦ୍ବାରା ସରକାର ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଯାହାକି ୨୦୨୦/୨୧ ଆର୍ଥିକ ବର୍ଷରେ ୩ କୋଟି ୫୦ ଲକ୍ଷ ଟଙ୍କା ସରକାର ରାଜସ୍ବ ପାଇଥିବା ବେଳେ ୨୦୨୧/୨୨ରେ କରୋନା ସତ୍ତ୍ବେ ୨ କୋଟି ୩୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି।
ବିଗତ ବର୍ଷରେ ମଧ୍ୟ ବାର୍ଷିକ ୮ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ବଡକଥା ହେଉଛି ପାରିପାର୍ଶ୍ବିକ କାର୍ଯ୍ୟ ଉପରେ ନଜର ପକାଇଲେ କାର୍ଯ୍ୟାଳୟରେ ଯେତିକି ସଂଖ୍ୟକ କର୍ମଚାରୀ ରହିବା କଥା ତାହା ନ ଥିବାରୁ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ୧୦ ଜଣ ଫିଲ୍ଡ ଆସିଷ୍ଟାଣ୍ଟଙ୍କ ସ୍ଥାନରେ ମାତ୍ର ଜଣେ କର୍ମଚାରୀ ରହିଥିବା ବେଳେ ୪ ଜଣ ସୁପରଭାଇଜରଙ୍କ ସ୍ଥାନରେ ଜଣେ ରେଗୁଲାର୍ ଓ ଜଣଙ୍କୁ ରିଏନ୍ଗେଜ୍ମେଣ୍ଟ ଭାବେ ନିଯୁକ୍ତି ମିଳିଛି। ସେହିଭଳି ୧୦ ଜଣ ୱାଚରଙ୍କ ସ୍ଥାନରେ ୩ ଜଣ ରେଗୁଲାର୍ ୱାଚର୍ ରହିଥିବା ବେଳେ ୨ ଜଣ ରିଏନ୍ଗେଜ୍ମେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ଫଳରେ ବିଭିନ୍ନ ବନାଞ୍ଚଳରେ ଜବତ ହୋଇ ରହୁଥିବା କାଠ ଠିକ୍ ସମୟରେ ସଂଗ୍ରହ କରି ଆଣିବା ସମ୍ଭବ ହେଉନଥିବା ବେଳେ ଡିପୋ ମଧ୍ୟରେ ରହୁଥିବା ମୂଲ୍ୟବାନ କାଠ ସୁରକ୍ଷିତ ରହୁନାହିଁ। ଖାଲି ସେତିକି ନୁହେଁ, ପ୍ରତିବର୍ଷ ଦଶପଲ୍ଲାର ଚଡ଼େୟାପଲ୍ଲୀ ୧, ୨, ସେଣ୍ଟ୍ରାଲ ସଂରକ୍ଷିତ ଜଙ୍ଗଲ ୧, ୨ ଏବଂ ନଅସଘର ସମେତ ମହିପୁରର ରତାଦେଈ ଓ ମାଈଛେଳିରୁ ପ୍ରାକୃତିକ ବିପର୍ଯ୍ୟୟରେ ଭାଙ୍ଗି ପଡୁଥିବା କାଠ ଓ ଜାଳେଣି ସାଙ୍ଗକୁ ପରିପକ୍ବ ହେଉଥିବା କାଠକୁ ସଂଗ୍ରହ କରାଯାଇଥାଏ। କର୍ମଚାରୀ ଅଭାବରୁ ଏସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି।